ସ୍ୱାମୀ ବନେଇ ଦେଲେ ଦେହଜୀବୀ: ବଲିଉଡ୍‌ ସ୍ବପ୍ନ ଦେଖିଥିଲେ ହେଲେ ବନିଗଲେ ଆଉ କିଛି, ଜାଣନ୍ତୁ ଗଙ୍ଗୁବାଇ କାଠିଆବାଡ଼ିଙ୍କ ବାସ୍ତବ କାହାଣୀ

ମାତ୍ର ୧୬ ବର୍ଷ ବୟସରୁ ଘରୁ ଫେରାର ହୋଇ ଯାଇଥିଲେ ବଲିଉଡ଼ ଫିଲ୍ମରେ ଅଭିନୟ କରିବା ପାଇଁ । କିନ୍ତୁ ପରିସ୍ଥିତି ତାଙ୍କୁ ସଜେଇ ଦେଲା ଆଉ କିଛି । ଜଣେ ଦେହଜୀବୀ ।

ଏଭଳି ବାସ୍ତବ ଘଟଣା ଅନେକ ଥର ଘଟିଛି ଆଉ ଫିଲ୍ମର କାହାଣୀ ଭାବେ ପରଦାକୁ ବି ଆସିଛି । ସେହିଭଳି ଏକ କାହାଣୀ ଏବେ ସିନେ ଦୁନିଆରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଭିତରେ ଚର୍ଚ୍ଚା ସୃଷ୍ଟି କରିଛି । ଫିଲ୍ମଟି ହେଉଛି ‘ଗଙ୍ଗୁବାଇ’ ଯେଉଁଥିରେ ଅଲିଆ ଭଟ୍ଟ ମୁଖ୍ୟ ଭୂମିକା ଗଙ୍ଗୁବାଇ ଭାବେ ଅଭିନୟ କରିଛନ୍ତି । ତେବେ ସେଇ ଗଙ୍ଗୁବାଇ କୌଣସି କାଳ୍ପନିକ ଚରିତ୍ର ନୁହେଁ, ଏକଦମ୍‌ ବାସ୍ତବ । ଯିଏ ନିଜ ହକ ପାଇଁ ଲଢ଼ିବାକୁ ଆଦୌ ପଛାଉ ନଥିଲେ । ଏହା ଯେମିତି ତାଙ୍କର ଥିଲା ଜନ୍ମଗତ ପ୍ରକୃତି । ତାଙ୍କର ଏହି ଗୁଣ ଦେହଜୀବୀ ହେବା ପରେ ବି ପୂର୍ବଭଳି ରହିଥିଲା । ତେଣୁ ଦେହଜୀବୀମାନଙ୍କ ଅଧିକାର ପାଇଁ ଏମିତି ଲଢ଼ିଥିଲେ ଯେ ଅନ୍ୟ ଦେହଜୀବୀମାନେ ତାଙ୍କୁ ମା ବୋଲି ଡାକୁଥିଲେ।

ଫିଲ୍ମର ପୋଷ୍ଟରରେ ତ ତାଙ୍କର ଫଟୋ ଲାଗି ପରିଲାନି ହେଲେ ମୁମ୍ବାଇର କାମାଠିପୁରାର ସବୁ କୋଠାରେ ଲାଗିଥିଲା ୟାଙ୍କ ଫଟୋ। ଆଉ ଯଦି ଫିଲ୍ମ କଥା କହିବା ତେବେ ଆଜି ତ ତାଙ୍କ ଜୀବନ ଉପରେ ହିଁ ଫିଲ୍ମ ତିଆରି ହୋଇଛି ‘ଗଙ୍ଗୁବାଇ କାଠିଆୱାଡି’।

 

ତେବେ ଆମେ ଆଜି ଗଙ୍ଗୁବାଇଙ୍କ ଜୀବନ ବିଷୟର ଏମିତି କିଛି କଥା କହିବୁ ହୁଏତ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କେମିତି ମାୟା ନଗରୀ ମୁମ୍ବାଇର ମାୟାରେ ପଡ଼ି ଜଣେ ୧୬ ବର୍ଷର ଝିଅ ଘରୁ ପଳାଇ ଆସିଥିଲେ? କାହିଁକି ଅଭିନେତ୍ରୀ ହେବାକୁ ଆସିଥିବା ଗଙ୍ଗୁ ପାଲଟି ଗଲେ ଦେହଜୀବୀ।

ସେ ଏତେ ଅର୍ଥ କମାଇ ଥିଲେ ଯେ ତାଙ୍କ ପାଖରେ ଥିଲା ନିଜର ଭେଣ୍ଟଲେ କାର। ଗଙ୍ଗୁବାଇ କାଠିଆବାଡ଼ିଙ୍କର ପ୍ରକୃତ ନାମ ହେଉଛି ଗଙ୍ଗା ହାର୍ଜିବନ୍ ଦାସ କାଠିଆବାଡ଼ି। କାଠିଆବାଡ଼ିରେ ସେ ନିଜ ପରିବାର ସହ ରହୁଥିଲେ। ତାଙ୍କ ପରିବାରରେ ସମସ୍ତେ ଥିଲେ ବେଶ୍‌ ଶିକ୍ଷିତ । ସେ ମଧ୍ୟ ପାଠ ପଢ଼ାରେ ଖୁବ୍ ଭଲ ଥିଲେ। ତାଙ୍କ ବାପା ଜଣେ ଓକିଲ ଥିଲେ ଓ ତାଙ୍କ ପରିବାରରେ ଅନେକ ସଦସ୍ୟ ମଧ୍ୟ ଥିଲେ ସେହି ପେସାରେ । ଏମିତିକି ତାଙ୍କ ପରିବାରର ସମ୍ପର୍କ କାଠିଆବାଡ଼ିଙ୍କର ରାଜ ପରିବାର ସହ ମଧ୍ୟ ଥିଲା । ଗଙ୍ଗୁଙ୍କ ପରିବାର କାଠିଆବାଡ଼ିର ବେଶ୍‌ ନାମୀ ଓ ଖାନଦାନୀ ଥିଲା। କିନ୍ତୁ ଗଙ୍ଗା ପାଠପଢ଼ାରେ ଭଲ ଥାଇ ମଧ୍ୟ ପିଲାଦିନରୁ ବଲିଉଡ଼ରେ ପାଦ ରଖିବାକୁ ସ୍ୱପ୍ନ ଦେଖୁଥିଲେ । ସେତେବେଳେ ଗାଙ୍ଗୁଙ୍କ ବାପାଙ୍କ ପାଖକୁ ରମଣିକ ଲାଲ୍ ନାମରେ ଜଣେ କ୍ଲର୍କ କାମ କରିବା ପାଇଁ ଆସିଲେ । ଯିଏକି ମୁମ୍ବାଇରେ ରହୁଥିଲେ ଓ ତାଙ୍କର ଚଳଚ୍ଚିତ୍ର ଦୁନିଆରେ ମଧ୍ୟ ଚିହ୍ନା ଥିଲା।

ଯେତେବେଳେ ଗଙ୍ଗୁଙ୍କୁ ଏହି କଥା ଜଣାପଡ଼ିଲା ସେ ଚା’ ଦେବା ବାହାନାରେ ରମଣିକ ଲାଲକୁ ଦେଖା କରୁଥିଲେ । ତାଙ୍କ ସହ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ କଥା ହେଉଥିଲେ। ଏମିତିରେ ରମଣିକ ଲାଲ୍ ଓ ଗଙ୍ଗୁଙ୍କ ଭିତରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ତେବେ ଗଙ୍ଗୁ ଜାଣିଥିଲେ ଯେ ଫିଲ୍ମରେ କାମ କରିବା ପାଇଁ ତାଙ୍କ ପରିବାର ତାଙ୍କୁ କେବେ ବି ସୁଯୋଗ ଦେବନି । ତେଣୁ ସେ ଘରୁ ଲୁଚି ମୁମ୍ବାଇ ଫେରାର ହେବା ପାଇଁ ଚାହୁଁଥିଲେ ।

ଫିଲ୍ମରେ କାମ ଦେବା ପାଇଁ କହିଥିବା ପ୍ରେମିକକୁ ଭରସା କରି ସେ ତାଙ୍କୁ ବିବାହ ମଧ୍ୟ କଲେ । ପ୍ରେମିକର କହିବା ଅନୁସାରେ ଘରୁ ସୁନା ଗହଣା, ଟଙ୍କା ସହ ମୁମ୍ବାଇ ବାହାରିଲେ ଅହମଦାବାଦ ଷ୍ଟେସନରୁ । ମୁମ୍ବାଇ ଆସିବା ପରେ ରମଣିକ୍ ଲାଲ ଗଙ୍ଗୁ ଆଣିଥିବା ଟଙ୍କାରେ ଘର ଭଡ଼ା ନେଲେ ଆଉ ସେଠାରେ ରହିଲେ । କିନ୍ତୁ ଗଙ୍ଗୁ ଆଣିଥିବା ଟଙ୍କା ସବୁ ସରିବା ପରେ ରମଣିକ ଲାଲ ତାର ଅସଲ ରୂପ ଦେଖାଇଲା । ଶିଲା ନାମରେ ଜଣେ ମହିଳାଙ୍କୁ ନିଜ ମାଉସୀର ପରିଚୟ ଦେଇ ତାଙ୍କ ଘରେ ଗଙ୍ଗୁଙ୍କୁ ରହିବା ପାଇଁ କହିଥିଲା ।

ପରେ ଗଙ୍ଗୁଙ୍କୁ ଶିଲା ଏମିତି ଏକ ସ୍ଥାନକୁ ନେଇ ଯାଇଥିଲା ଯେ ଯାହାର ସେ କେବେ କଳ୍ପନା ମଧ୍ୟ କରି ନଥିଲେ। ଗଙ୍ଗୁ କିଛି ବୁଝି ପାରୁନଥିଲେ । ଶିଲା ତାଙ୍କୁ ଗୋଟେ ବନ୍ଦ କୋଠୋରୀ ଭିତରୁକୁ ନେଇଯାଇ କହିଥିଲେ ସଜ ହୋଇ ରେଡ଼ି ହେଇଯା। ପରେ ଗଙ୍ଗୁ ଜାଣିଲେ କି ଶିଲା ରମଣିକ ଲାଲର ମାଉସୀ

ନୁହେଁ ଏକ ବେଶ୍ୟାଳୟର ମୁଖ୍ୟ । ଗଙ୍ଗୁଙ୍କୁ ମାତ୍ର ୫୦୦ ଟଙ୍କାରେ ରମଣିକଲାଲ ତାକୁ ବିକ୍ରି କରି ଦେଇଛି। ଏହା ପରେ ଶିଲା ଆଉ ଗଂଗୁଙ୍କ ମଧ୍ୟରେ ଖୁବ୍ ଝଗଡ଼ା ହୋଇଥିଲା । ଗଙ୍ଗୁ ସେତେବେଳେ ଯାଇ ଜାଣିଲେ କି ସେ ବେଶ୍ୟାଳୟରେ ଫସି ସାରିଛନ୍ତି । ହେଲେ ସେ ଅନେକ ଦିନ ପର୍ଯ୍ୟନ୍ତ ବେଶ୍ୟାଳୟ ମୁଖିଆ ଶିଲାର କଥାକୁ ମାନି ନଥିଲେ। ତାଙ୍କ ଉପରେ ଅତ୍ୟାଚାର କରାଗଲା। ଏମିତିକି ତାଙ୍କୁ ଦିନ ଦିନ ଧରି ଓପାସ ରଖାଗଲା । କିନ୍ତୁ ପରେ ନିଜ ପରିବାରର ଇଜ୍ଜତ ପାଇଁ ଗଙ୍ଗୁ ଆଉ ନିଜ ଘରକୁ ବି ଫେରିନଥିଲେ। ଅନେକ ଦିନ ପରେ ସେ ବାଧ୍ୟ ହୋଇ ଗ୍ରହଣ କରିଥିଲେ ବେଶ୍ୟାବୃତ୍ତି।

ଏହା ପରେ ପୂରା ବଦଳି ଯାଇଥିଲା ଗଙ୍ଗୁବାଇଙ୍କ ଜୀବନ । ଧୀରେ ଧୀରେ ସେ ବେଶ୍ୟାଳୟର ଜଣେ ଚର୍ଚ୍ଚିତ ଦେହଜୀବୀ ପାଲଟିଗଲେ। ଆଉ ନିଜର ରାଜ୍‌ ଚଳାଇଲେ । ଦେହ ବିକି ଖୁବ୍ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ। ଅନ୍ୟପଟେ ନିଜର ସୁରକ୍ଷା ପାଇଁ ସେଠାରେ ଜଣେ ଡନ୍‌କୁ ନିଜ ଭାଇ କରିଥିଲେ । ଆଉ ତା ପରେ ଗଙ୍ଗୁ ବନି ଯାଇଥିଲେ ଲେଡୀ ଡନ୍। ତାଙ୍କର ପତିଆରା ଏତେ ବଢ଼ିଗଲା ଯେ ପରେ ରାଜନୀତିରେ ଯୋଗ ଦେଇଥିଲେ ଗଙ୍ଗୁ। ଏମିତିକି

ଦେହଜୀବୀଙ୍କ ସମର୍ଥନ ପାଇ ଦୁଇ ଦୁଇଟି ଇଲେକ୍ସନ ଜିତିଥିଲେ । ଇଲେକ୍ସନ୍ ଜିତିବା ପରେ କୋଠାବାଲୀ ଗଙ୍ଗୁବାଇ ହୋଇଗଲେ ଗଙ୍ଗୁବାଇ

କାଠିଆବାଡି । ନିଜ ପରିବାରର ଉପାଧି ନାମ ସେ ନିଜେ ପାଇଗଲେ । ଆଉ ଖୁବ୍ ଟଙ୍କା ମଧ୍ୟ କମାଇଥିଲେ। ଏମିତିକି ସେ ନିଜ ପାଇଁ ଗୋଟେ ଭେଣ୍ଟଲେଟ କାର ମଧ୍ୟ ନିଜେ କିଣିଥିଲେ । ଧଳା ରଙ୍ଗର ଯେଉଁ ଶାଢ଼ୀ ସେ ପିନ୍ଧୁଥିଲେ ସେଥିରେ କରାଯାଉଥିଲା ସୁନାର କାମ। ତାଙ୍କୁ ସୁନା ଖୁବ୍ ପସନ୍ଦ ଥିବାରୁ ସବୁବେଳେ ସୁନା ପିନ୍ଧୁଥିଲେ। କୁହାଯାଏ ସେ ସୁନାର ଦାନ୍ତ ମଧ୍ୟ ଲଗାଇଥିଲେ। ତେବେ ସେ ଯାହାବି ଆୟ କରୁଥିଲେ ସୁନା କିଣୁଥିଲେ ଓ ଗରିବଙ୍କ ପାଇଁ ଖର୍ଚ୍ଚ କରୁଥିଲେ।

ଗଙ୍ଗୁବାଇ ସେକ୍ସ ୱର୍କରଙ୍କ ହକ୍ ପାଇଁ ମଧ୍ୟ ଲଢ଼ିବାକୁ ଲାଗିଲେ । ତାଙ୍କ ବିଷୟରେ ଏହା ମଧ୍ୟ କୁହାଯାଏ କି ସେ କୌଣସି ଝିଅଙ୍କୁ ଜବରଦସ୍ତି ଦେହଜୀବୀ ସଜାଉ ନଥିଲେ। ଶୁଣିବାକୁ ମିଳେ, ଦେହ ବ୍ୟବସାୟକୁ ଆଇନ୍‌ଗତ କରିବା ପାଇଁ ସେ ଉଦ୍ୟମ କରିଥିଲେ । ଏମିତିବୀ କୁହାଯାଏ ଯେ ଗଙ୍ଗୁବାଇ ଥିବା ସମୟରେ ମୁମ୍ବାଇରେ ସବୁ ଝିଅ ନିର୍ଭୟରେ ବୁଲି ପାରୁଥିଲେ । ଗାଙ୍ଗୁଙ୍କୁ ଅନେକ ସାମାଜିକ କାର୍ଯ୍ୟକ୍ରମରେ ଅତିଥି କରାଯାଉଥିଲା । ତାଙ୍କ ଭାଷଣ ଶୁଣିବାକୁ ମଧ୍ୟ ଲୋକେ ଅପେକ୍ଷା କରି ରହୁଥିଲେ ।

ସ୍ୱାମୀ ଧୋକା ଦେଇ ତାଙ୍କୁ ଦେହଜୀବୀ ବନାଇ ଦେଲେ ସିନା ନିଜ ସ୍ୱଭାବକୁ ଛାଡ଼ି ପାରିନଥିଲେ ଗଙ୍ଗୁବାଇ । ୨୦୦୮ରେ ୬୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ତଥାପି ଆଜିବି ଦେହଜୀବୀମାନଙ୍କ ମନ ଭିତରେ ମା’ ଭାବରେ ରହିଛନ୍ତି ଗଙ୍ଗୁବାଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.