ବଲିଉଡ୍‌ରୁ Oscar ପାଇଁ ମନୋନୀତ ହେଲା ୨ ଫିଲ୍ମ, ଜାଣନ୍ତୁ କିଏ

ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୨, ମାର୍ଚ୍ଚ ୨୭ରେ ୯୪ତମ ଏକାଡେମୀ ଆଓ୍ଵାର୍ଡସ୍‌ ଆୟୋଜନ କରାଯିବ। ପ୍ରତ୍ୟେକ ବର୍ଷ ଭାରତୀୟ ସିନେମା ମଧ୍ୟରୁ କିଛି ଫିଲ୍ମ ଓସ୍କାର ପାଇଁ ମନୋନୀତ ହୋଇଥାଏ। ଏଥର ମଧ୍ୟ ‘ଓସ୍କାର ୨୦୨୨’ ପାଇଁ ବିଦ୍ୟା ବାଲନ ଷ୍ଟାରର ‘ଶେରନୀ’ ଏବଂ ଭିକ୍କି କୌଶଲ ଷ୍ଟାରର ଫିଲ୍ମ ‘ସର୍ଦ୍ଦାର ଉଧମ୍‌ ସିଂ’ ମନୋନୀତ ହୋଇଛି। ଏହି ମଉକାରେ ଦୁଇଟି ଯାକ ଫିଲ୍ମର ଷ୍ଟାରମାନେ ଖୁସି ଜାହିର କରିଛନ୍ତି। ସେପଟେ ସେମାନଙ୍କ ପ୍ରଶଂସକ ଏବଂ ବଲିଉଡ୍‌ର ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି।

ଭାରତରୁ ୧୪ ଫିଲ୍ମ ତାଲିକାଭୁକ୍ତ

ପ୍ରତ୍ୟେକ ବର୍ଷ ଓସ୍କାର ପାଇଁ ଜୁରିମାନେ କିଛି ଫିଲ୍ମକୁ ଚୟନ କରିଥାଆନ୍ତି। ଏଥର ବି କୋଲକାତାର ଜୁରି ସଦସ୍ୟମାନେ ଭାରତୀୟ ସିନେମାରୁ ୧୪ଟି ଫିଲ୍ମ ସୂକ୍ଷ୍ମ ତାଲିକାଭୁକ୍ତ କରିଛନ୍ତି। ସେଥି ମଧ୍ୟରୁ କୌଣସି ଗୋଟିଏ ଫିଲ୍ମ ଫାଇନାଲ ଏଣ୍ଟ୍ରିରେ ସାମିଲ ହେବ। ଏକ ଚୂଡ଼ାନ୍ତ ଚଳଚ୍ଚିତ୍ର ବାଛିବା ପାଇଁ ଫିଲ୍ମଗୁଡ଼ିକୁ ସ୍କ୍ରିନିଂ କରାଯାଉଛି। ଏହି ୧୪ଟି ଫିଲ୍ମ ମଧ୍ୟରେ ମାଲୟାଲମ୍‌ ଫିଲ୍ମ ‘ନାୟଟୁ’, ତାମିଲ ଫିଲ୍ମ ‘ମଣ୍ଡେଲା’, ହିନ୍ଦୀ ଫିଲ୍ମରେ ବିଦ୍ୟା ବାଲନଙ୍କ ‘ଶେରନୀ’ ଏବଂ ନିକଟରେ ରିଲିଜ୍‌ ହୋଇଥିବା ଭିକ୍କି କୌଶଲଙ୍କ ‘ସର୍ଦ୍ଦାର ଉଧମ ସିଂ’ ସାମିଲ ଅଛି। ଦୁଇ ବଲିଉଡ୍‌ ଚଳଚ୍ଚିତ୍ର ବର୍ତ୍ତମାନ ଆମାଜନ ପ୍ରାଇମ୍‌ ଭିଡିଓରେ ଷ୍ଟ୍ରିମିଂ ହେଉଛି।

କହି ରଖୁଛୁ, ଫରେନ୍‌ କ୍ୟାଟାଗୋରୀରେ ଯେଉଁ ଫିଲ୍ମଗୁଡ଼ିକୁ ସବୁଠାରୁ ବଡ଼ ଦାବିଦାର ବୋଲି ବିବେଚନା କରାଯାଉଛି, ତାହା ହେଉଛି ଦମଦାର କାହାଣୀ ଥିବା ବିଦ୍ୟାଙ୍କ ‘ଶେରନୀ’ ଓ ଭିକ୍କିଙ୍କ ‘ସର୍ଦ୍ଦାର ଉଧମ ସିଂ’। ଅମିତ୍‌ ଭି ମସୁରକରଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ଶେରନୀ’ରେ ବିଦ୍ୟା ବାଲନ ଜଣେ ଫରେଷ୍ଟ ଅଫିସରର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି, ଯିଏକି ମଣିଷଖିଆ ବାଘକୁ ଧରିବା ପାଇଁ ଉଦ୍ୟମ କରୁଛନ୍ତି। ସେ ଏଥିରେ ମଣିଷ-ପଶୁ ବିବାଦର ସମାଧାନ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହି ଚଳଚ୍ଚିତ୍ରରେ ଶରତ ସକ୍ସେନା, ମୁକୁଲ ଖଡ୍ଡା, ବିଜୟ ରଜ, ଇଲା ଅରୁଣ, ବ୍ରିଜେନ୍ଦ୍ର କାଲା, ନୀରଜ କବି ପ୍ରମୁଖ ଅଭିନୟ କରିଛନ୍ତି।

ସେପଟେ ଫିଲ୍ମ ‘ସର୍ଦ୍ଦାର ଉଧମ ସିଂ’ରେ ବଲିଉଡ୍‌ ଅଭିନେତା ଭିକ୍କି କୌଶଲ, କ୍ରାନ୍ତିକାରୀ ସର୍ଦ୍ଦାର ଉଧମ ସିଂଙ୍କ ଭୂମିକା ନିଭାଇଛନ୍ତି। ଏହା ସେହି କ୍ରାନ୍ତିକାରୀଙ୍କ କାହାଣୀ, ଯିଏ ୧୯୧୯ର ଜାଲିୟାନାଓ୍ଵାଲା ବାଗ ନରସଂହାରର ପ୍ରତିଶୋଧ ନେବା ପାଇଁ ଜଣେ ବ୍ରିଟିଶ ଅଧିକାରୀଙ୍କୁ ଗୁଳି ମାରି ଦେଇଥିଲେ। ଫିଲ୍ମକୁ ସୁଜିତ୍‌ ସରକାର ପ୍ରଯୋଜନା କରିଛନ୍ତି। ତେବେ ୧୫ ଜଣିଆ ବିଚାରପତିଙ୍କୁ ନେଇ ଏକ ପ୍ୟାନେଲ ଆସନ୍ତା କିଛିଦିନ ମଧ୍ୟରେ ଶର୍ଟଲିଷ୍ଟ ହୋଇଥିବା ଏହି ୧୪ଟି ଫିଲ୍ମ ଦେଖିବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.