ଆଉ ନାହାନ୍ତି ସାଉଥ୍‌ ସିନେମାର ଭେଟେରାନ୍‌ ଅଭିନେତା କୈକଲା ସତ୍ୟନାରାୟଣ; ୮୭ ବର୍ଷ ବୟସରେ ନେଲେ ଶେଷ ନିଃଶ୍ୱାସ

ସାଉଥ୍‌ ସିନେମା ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ଆସିଛି। ଭେଟେରାନ୍‌ ଅଭିନେତା କୈକଲା ସତ୍ୟନାରାୟଣଙ୍କ ପରଲୋକ ଘଟିଛି। ଅଭିନେତା ଆଜି ସକାଳେ ହାଇଦ୍ରାବାଦସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୮୭ ବର୍ଷ ବୟସରେ ସେ ଦୁନିଆକୁ ଅଲ୍‌ବିଦା କହିଛନ୍ତି।

ଗତ କିଛି ମାସ ହେବ ସତ୍ୟନାରାୟଣ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାରେ ଜୁଝି ହେଉଥିଲେ ଏବଂ ୨୩ ଡିସେମ୍ବର ସକାଳେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି। କୈକଲା ସତ୍ୟନାରାୟଣଙ୍କ ନିଧନ ଖବର ଶୁଣି ପୂରା ସିନେମା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳି ଯାଇଛି।

ଅଭିନେତା କୈକଲା ସତ୍ୟନାରାୟଣଙ୍କ ନିଧନ ଖବର ଭାମ୍‌ସି ଓ ଶେଖର ନିଜର ଟ୍ଵିଟର ହ୍ୟାଣ୍ଡେଲ ଜରିଆରେ ଦେଇଛନ୍ତି। ସେମାନେ ନିଜ ଟ୍ଵିଟ୍‌ରେ ଲେଖିଛନ୍ତି, ‘ଭେଟେରାନ୍‌ ଅଭିନେତା କୈକଲା ସତ୍ୟନାରାୟଣ ଗାରୁଙ୍କ ନିଧନ ହୋଇଯାଇଛି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ’।

ଏହି ପୋଷ୍ଟ ପରେ ଦକ୍ଷିଣ ଫିଲ୍ମର ଅନେକ ସେଲିବ୍ରିଟି ଏବଂ ଫ୍ୟାନ୍ସ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୂଚନା ଅନୁସାରେ, ଅଭିନେତାଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ଅର୍ଥାତ୍‌ ୨୪ ଡିସେମ୍ବରରେ ମହାପ୍ରସ୍ଥାନମ୍‌ରେ ହେବ। କହି ରଖୁଛୁ, କୈକଲା ସତ୍ୟନାରାୟଣ ୧୯୬୦ ମସିହାରେ ନାଗେଶ୍ୱରମ୍ମାଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର କନ୍ୟା ଏବଂ ଦୁଇ ପୁତ୍ର ସନ୍ତାନ ଅଛନ୍ତି। ଅଭିନୟ ବ୍ୟତୀତ ସତ୍ୟନାରାୟଣ ଅନେକ ଫିଲ୍ମ ପ୍ରଯୋଜନା ମଧ୍ୟ କରିଛନ୍ତି। ପାଖାପାଖି ୭୫୦ରୁ ଅଧିକ ଫିଲ୍ମରେ ସେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.