ରୋଷେଇ ଘର କାମକୁ ଆହୁରି ସହଜ କରି ଦେବ ଏହି ଟିପ୍ସ ଆଣ୍ଡ ଟ୍ରିକ୍ସ, ଖାଦ୍ୟ ଜିନିଷ ବି ହେବ ନାହିଁ ନଷ୍ଟ

ବ୍ୟସ୍ତବହୁଳ କାର୍ଯ୍ୟସୂଚୀରେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସମୟ ଖୋଜିବା ଅତ୍ୟନ୍ତ କଷ୍ଟକର ଏବଂ ଜଲ୍‌ଦି ଜଲ୍‌ଦିରେ ବେଳେବେଳେ ଖାଦ୍ୟ ମଧ୍ୟ ସ୍ୱାଦିଷ୍ଟ ହୋଇପାରି ନ ଥାଏ। ତେଣୁ ଯଦି ଆପଣ କିଛି ରୋଷେଇ ଘରର ଟିପ୍ସ ବିଷୟରେ ଜାଣିଛନ୍ତି, ତା’ହେଲେ ଏହି ସମସ୍ୟାର ସମାଧାନ ବହୁତ ସହଜରେ କରି ପାରିବେ। ଏଥି ସହିତ ଅନେକ ଜିନିଷ ନଷ୍ଟ ହେବାଠାରୁ ମଧ୍ୟ ରକ୍ଷା କରିପାରିବେ । ଆସନ୍ତୁ ଜାଣିବା କିଛି ରୋଷେଇ ଘରର ଟିପ୍ସ ବିଷୟରେ।

-ପିଆଜକୁ ଶୀଘ୍ର ଭାଜିବା ପାଇଁ ଏଥିରେ ଏକ ଚାମଚ ବେକିଂ ସୋଡା ମିଶାନ୍ତୁ । ଏହା ଜଲ୍‌ଦି ନରମ ହୋଇଯିବ ଏବଂ ନିଅାଁ ତାତିରେ ଅଧିକ ପୋଡ଼ିଯିବ ନାହିଁ ।

-ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ଏଗୁଡ଼ିକୁ ଅଲଗା ଅଲଗା କାଗଜରେ ଗୁଡ଼ାଇ ରଖନ୍ତୁ । ଏହାଦ୍ୱାରା ଲେମ୍ବୁ ଶୁଖିଯିବ ନାହିଁ କି ନଷ୍ଟ ହେବ ନାହିଁ।

-ପନିପରିବା ଏବଂ ଫଳ ସଫା କରିବା ପାଇଁ ବେକିଂ ସୋଡା ଓ ଗୋଟିଏ ଲେମ୍ବୁ ରସକୁ ପାଣିରେ ମିଶାନ୍ତୁ । ଏହାକୁ ଏକ ସ୍ପ୍ରେ ବୋତଲରେ ଭରନ୍ତୁ । ଏବେ ବଜାରରୁ କିଣିକି ଆଣିଥିବା ପନିପରିବା ଉପରେ ସିଞ୍ଚନ କରନ୍ତୁ ।

-ରସୁଣକୁ ଗଚ୍ଛିତ ରଖିବା ପାଇଁ ଏହାର ପଛ ଭାଗକୁ କାଟି ଦିଅନ୍ତୁ, କାହିଁକିନା, ଏଠାରୁ ହିଁ ଏହା ଅଙ୍କୁରିତ ହେବା ଆରମ୍ଭ କରିଥାଏ। ଏବେ ସମସ୍ତ ରସୁଣକୁ ଏକ କାଗଜ ବ୍ୟାଗରେ ଭରନ୍ତୁ ଏବଂ ଏହାକୁ ଷ୍ଟାପଲର୍ କିମ୍ବା ସେଲୋଟେପରେ ପ୍ୟାକ୍ କରନ୍ତୁ। ବର୍ତ୍ତମାନ ସେହି କାଗଜ ବ୍ୟାଗ୍‌ରେ ଛୋଟ ଛୋଟ କଣା କରି ଦିଅନ୍ତୁ, ଯେପରି ପବନ ଯିବା ଆସିବା କରି ପାରିବ।

-ଗାଜର କିମ୍ବା ମୂଳାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିବା ପାଇଁ ଏହାର ଆଗ ଏବଂ ପଛ ଭାଗକୁ କାଟି ଦିଅନ୍ତୁ। ଏହାପରେ ଗାଜର ଏବଂ ମୂଳାକୁ କୌଣସି ଏକ ଡବାରେ ବନ୍ଦ କରି ଫ୍ରିଜରେ ରଖି ଦିଅନ୍ତୁ।

-ଅଣ୍ଡା ସତେଜ କି ନୁହେଁ, ତାହା ଯାଞ୍ଚ କରିବା ପାଇଁ ପାତ୍ରରେ ପାଣି ଭର୍ତ୍ତି କରି ସେଥିରେ ଅଣ୍ଡା ରଖନ୍ତୁ । ପାଣିରେ ଭାସୁଥିବା ଅଣ୍ଡାଗୁଡ଼ିକ ପୁରୁଣା ଏବଂ ବୁଡ଼ି ଯାଉଥିବା ଅଣ୍ଡାଗୁଡ଼ିକ ସତେଜ ।

– ସ୍ଫଟିକ୍ ସ୍ୱଚ୍ଛ ବରଫ ସେଟ୍‌ କରିବା ପାଇଁ ପାଣିକୁ ପ୍ରଥମେ ଫୁଟାନ୍ତୁ ଏବଂ ହାଲୁକା ଥଣ୍ଡା କରି ନିଅନ୍ତୁ। ଏହା ସାଧାରଣତଃ ଜଲ୍‌ଦି ସେଟ୍‌ ହୋଇଯାଇଥାଏ। ଏଥି ସହିତ ଏକଦମ୍‌ ସ୍ଫଟିକ୍ ସ୍ୱଚ୍ଛ ନଜର ଆସିଥାଏ।

-ଯଦି ଆପଣ ବାରମ୍ବାର ପିଆଜ ଛଡ଼ାଇବା ଏବଂ କାଟିବାର ଝିନଝଟ୍‌କୁ ଏଡାଇବାକୁ ଚାହୁଁଛନ୍ତି, ତା’ହେଲେ ପ୍ରଥମେ ପିଆଜର ଚୋପା ଛଡ଼ାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ପାଣିରେ ଭରନ୍ତୁ ଏବଂ ଏଥିରେ ପିଆଜ ପକାନ୍ତୁ। ଏଥି ସହିତ ଲୁଣ ଏବଂ ଲେମ୍ବୁ ମଧ୍ୟ ମିକ୍ସ କରି ନିଅନ୍ତୁ। ଏବେ ଆପଣ ଯେତେବେଳେ ଚାହିଁବେ ଏହାକୁ ବ୍ୟବହାର କରି ପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.