କରୋନା କାଳରେ ପିଅନ୍ତୁ ଅଦା ମିଶା କ୍ଷୀର, ଇମ୍ୟୁନିଟି ବଢ଼ିବା ସହ ଦୂର ହେବ ଗମ୍ଭୀର ରୋଗ

ଶୀତଦିନେ ଇମ୍ୟୁନିଟି ସିଷ୍ଟମ୍ ଖୁବ୍ ଦୁର୍ବଳ ହୋଇଯାଏ। ଏଣୁ ଏହି ସମୟରେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ରଖିବା ଉଚିତ୍। ଏହି ସମୟରେ ଏମିତି କୌଣସି ଜିନିଷ ସେବନ କରିବା ଉଚିତ ନୁହେଁ ଯାହା ଦ୍ୱାରା ଥଣ୍ଡା, କାଶ କିମ୍ବା ଅନ୍ୟ କୌଣସି ଇନ୍ଫେକସନ୍ ହେବା ଆଶଙ୍କା ବଢ଼ିବ। କରୋନାର ବଢ଼ୁଥିବା ମାମଲାକୁ ଦେଖି ଏବେ ଅଧିକ ସାବଧାନ ରହିବା ଜରୁରୀ ହୋଇପଡ଼ିଛି। ବର୍ତ୍ତମାନର ଥଣ୍ଡାଦିନେ ତଥା କରୋନା ସମୟରେ ଅଦାକୁ ନିହାତି ଭାବେ ସେବନ କରନ୍ତୁ। ଅଦା ଖାଇବା ଦ୍ୱାରା ଶରୀର ଗରମ ରହେ। ଫଳରେ ଥଣ୍ଡା, କାଶ, ଭାଇରାଲ, ଫ୍ଲୁ ଆଦି ସମସ୍ୟା ଦୂର ହୁଏ। ଆପଣ ଯେକୌଣସି ଉପାୟରେ ବି ଅଦା ସେବନ କରିପାରିବେ। ତେବେ ଅଦାକୁ କ୍ଷୀର ସହ ସେବନ କରିବା ସବୁଠୁ ଭଲ ହୋଇଥାଏ। ଆସନ୍ତୁ ଜାଣିବା ଅଦା ଓ କ୍ଷୀରକୁ ଏକାଠି ସେବନ କରିବାର ଚମତ୍କାରୀ ଫାଇଦା…
ଇମ୍ୟୁନିଟି ମଜଭୁତ ହୁଏ:
କ୍ଷୀରରେ ଅଦା ମିଶାଇ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଏହା ଦ୍ୱାରା ଇମ୍ୟୁନିଟି ସିଷ୍ଟମ୍ ମଜଭୁତ ରହେ। ନିୟମିତ ଅଦା ମିଶା କ୍ଷୀର ପିଇଲେ ଥଣ୍ଡା, କାଶ, ସର୍ଦ୍ଦି ଭଳି ରୋଗ ହୁଏ ନାହିଁ।
ଗଳା ସଂକ୍ରମଣ ଦୂର ହୁଏ:
ଗଳା ସହ ଜଡ଼ିତ ସମସ୍ୟା ଯଥା- କଫ, କାଶ, ତଣ୍ଟି ଗତ ଗତ ହେବା ଆଦି ଦୂର ହୁଏ। ଅଦାରେ ଆଣ୍ଟି ବ୍ୟାକ୍ଟେଆଲ ଗୁଣ ରହିଥିବାରୁ ଏସବୁ ଅସୁବିଧା ଶୀଘ୍ର ଭଲ ହୁଏ। ତେବେ ରାତିରେ ଶୋଇବା ବେଳେ ଅଦାଯୁକ୍ତ କ୍ଷୀର ପିଇବା ଭଲ। ଏହାର ୧ ଘଣ୍ଟା ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ।
କବ୍ଜରୁ ମିଳେ ଆରାମ:
ପେଟ ସମସ୍ୟା ଥିବା ଲୋକ ବି ଅଦା- କ୍ଷୀର ପିଇପାରିବେ। ଅଦାରେ ଭରପୂର ଫାଇଭର ରହିଥାଏ, ଯାହା ଦ୍ୱାରା ମଳ ସହଜରେ ବାହାରକୁ ବାହାରିପାରେ। ଅଦା ଖାଇବା ଦ୍ୱାରା ପାଚନ କ୍ରିୟା ମଧ୍ୟ ତ୍ୱରାନ୍ଵିତ ହୋଇଥାଏ।
ଅଷ୍ଟିଓପୋରୋସିସ୍ ସମସ୍ୟା ଦୂର ହୁଏ:
ଅଦାରେ ଆଣ୍ଟି ଇନ୍ଫ୍ଲେମେଟୋରୀ ଗୁଣ ରହିଥାଏ। ଯାହା ଦ୍ୱାରା ଅଷ୍ଟିଓପୋରୋସିସ୍ ସମସ୍ୟା ଦୂର ହୁଏ। ଅଦାରେ କ୍ଷୀର ମିଶାଇ ପିଇବା ଦ୍ୱାରା ଶରୀରକୁ କ୍ୟାଲସିୟମ୍ ଓ ପୋଟାସିୟମ୍ ମିଳେ, ଯାହା ଦ୍ୱାରା ହାଡ଼ ମଜଭୁତ ହୁଏ।
ପେଟ ପୀଡ଼ାରୁ ଦିଏ ମୁକ୍ତି:
ଅଦାରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ଗୁଣ ରହିଥାଏ। ଏହାକୁ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ତ ରୋଗ ଭଲ ହୁଏ। ଯେକୌଣସି ପେଟ ସମସ୍ୟା ଥିଲେ ଅଦା ସହ କ୍ଷୀର ମିଶାଇ ପିଅନ୍ତୁ ଆରାମ ମିଳିବ।