ପିଲାବେଳେ ଅଧିକ ଚିନି ସେବନ ବଢ଼ାଇଥାଏ ମୋଟାପଣ

ଅନିୟମିତ ଜୀବନଚର୍ଯ୍ୟା,ଓ ଖାଦ୍ୟ ପେୟ ଉପରେ ଯଥେଷ୍ଟ ଧ୍ୟାନ ନଦେବା କାରଣରୁ ଆଜି କାଲିର ଲୋକଙ୍କ ଠାରେ ମେଦ ବହୁଳତା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏବେ ଆମେରିକାରେ ହୋଇଥିବା ନୂଆ ଅଧୟନରୁ ଜଣା ଯାଇଛି ଯେ ଯେଉଁ ପିଲା ନିଜ ପିଲା ବେଳ ସମୟରେ ଅଧିକ ଚିନି ଖାଇଥାନ୍ତି ପ୍ରାପ୍ତ ବୟସ୍କ ସମୟରେ ତାଙ୍କ ଠାରେ ଅଧିକ ମେଦ ବହୁଳତା ଦେଖା ଦେଇଥାଏ । ‘ଇକୋନୋମିକସ ଓ ହୁମାନ ବାୟୋଲୋଜି’ ତରଫରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମାତ୍ରାଧିକ ଚିନି ଖାଇବା ଦ୍ୱାରା ବ୍ୟକ୍ତିଙ୍କ ଠାରେ ମୋଟା ପଣ ମଧ୍ୟ ବଢିଥାଏ ବୋଲି ଜଣା ଯାଇଛି ।

ପିଲା ବେଳର ଖାଦ୍ୟ ପେୟର ଅଭ୍ୟାସ ହିଁ ମୋଟା ପଣ ପାଇଁ ଦାୟୀ:

ଆମେରିକାର ଟେନିସି ବିଶ୍ୱବିଦ୍ୟାଳୟର ଗବେଷକ ମାନେ ଚିନି ଓ ମୋଟା ପଣ ସମ୍ପର୍କରେ ଏକ ନୂଆ ସମ୍ବନ୍ଧ ବାହାର କରିଛନ୍ତି । ଚିନି ଦର ୧୯୯୦ ମସିହାରୁ କମିବା କାରଣରୁ ଲୋକେ ଅଧିକ ଚିନି ସେବନ କରିବା ଆରମ୍ଭ କରିଥିଲେ । ଯାହା ଦ୍ୱାରା କି ୧୯୯୦ ମସିହାରୁ ୨୦୧୦ ମସିହା ଭିତରେ ମୋଟା ପଣ ଧୀରେ ଧୀରେ ବଢିବାକୁ ଲାଗିଲା । ଏଣୁ ଏହି ସମୟ ଭିତରେ ଲୋକେ ଅଧିକ ଚିନି ସେବନ କରି ଥିବାରୁ ହିଁ ମୋଟାପଣର ଶିକାର ହୋଇଥିବା ଜଣାଯାଇଛି । ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଗବେଷକ ଏଲେକ୍ସ ବେତେଲିଙ୍କ ଅନୁଯାୟୀ ଅଧିକାଂଶ ଗବେଷକ ମଣିଷର ବର୍ତ୍ତମାନର ଖାଦ୍ୟପେୟ ଅଭ୍ୟାସକୁ ନେଇ ଗବେଷଣା କରୁଥିବା ବେଳେ ସେମାନଙ୍କ ପିଲା ବେଳର ଅଭ୍ୟାସକୁ ସେତେଟା ଗୁରୁତ୍ୱ ଦେଇନଥାନ୍ତି । କିନ୍ତୁ ଏଠାକାର ଗବେଷକ ମାନେ ଗବେଷଣାରୁ ପାଇଛନ୍ତି ଯେ ବ୍ୟକ୍ତିର ପିଲା ବେଳର ଅଭ୍ୟାସ ବି ଏଥିପାଇଁ ମୁଖ୍ୟ ଭାବେ ଦାୟୀ ହୋଇପାରେ । ଯେଉଁ ନିଜ ପିଲାଦିନେ ଅଧିକ ଚିନି, ଚର୍ବି ଜାତୀୟ ଖାଦ୍ୟ ଆଦି ଖାଇଥାନ୍ତି ସେମାନଙ୍କୁ ନିଜ ପ୍ରାପ୍ତ ବୟସରେ ମୋଟା ପଣର ଶିକାର ହେବାକୁ ହିଁ ପଡିଥାଏ ।

ଏହା ସହ ପଢନ୍ତୁ:

ଏହି ପାଞ୍ଚୋଟି ଉପାୟ ଦ୍ୱାରା ନିଜ ପିଲାମାନଙ୍କୁ ଷ୍ଟ୍ରେସଠୁ ରଖନ୍ତୁ ଦୂରରେ

ଗବେଷକ ମାନେ ଏହା ମଧ୍ୟ କହିଛନ୍ତି ଯେ ୧୯୯୦ ମସିହାରେ କେବଳ ଟେନିସି ପରିସରରେ ମେଦ ବହୁଳତାର ଶିକାର ବ୍ୟକ୍ତି ପ୍ରାୟ ୧୧ ପ୍ରତିଶତ ଥିବା ବେଳେ ୨୦୧୬ ମସିହାରେ ଏହା ବଢି ୩୫ ପ୍ରତିଶତରେ ପହଂଚିଛି । ଏହା ସହ ୨୦୧୬ ମସିହା ବେଳକୁ ଆମେରିକାର ପ୍ରାୟ ୪୦ ପ୍ରତିଶତ ଲୋକ ମୋଟାପଣର ଶିକାର ହୋଇସାରିଥିଲେ । ଏହା ପଛର ପ୍ରକୃତ କାରଣ ସେମାନେ ଚିନିକୁ ଦର୍ଶାଇଥିବା ବେଳେ ଏକ ନିର୍ଦ୍ଧିଷ୍ଟ ମାତ୍ରାରୁ ଅଧିକ ପରିମାଣର ଚିନି ଖାଇଲେ ମୋଟା ପଣ ନିଶ୍ଚିତ ଭାବେ ବଢିବ ବୋଲି କୁହାଯାଉଛି । ଏମିତିକି ଗର୍ଭାବସ୍ଥା ସମୟରେ ଅଧିକ ଚିନି ଖାଇବା ଦ୍ୱାରା ଶିଶୁର କୋଷିକା ମାନଙ୍କରେ ଏକ ପ୍ରକାର ବୃଦ୍ଧି ଘଟିଥାଏ । ଯାହାକି ପରବର୍ତ୍ତୀ ସମୟରେ ଜନ୍ମିତ ଶିଶୁ ଠାରେ ମୋଟାପଣ ଦେଖା ଦେଇଥାଏ । ଏହି ଗବେଷଣାରୁ ଚିନିର କ୍ରମାଗତ ଦର ହ୍ରାସ ଓ ମେଦ ବହୁଳତା ବୃଦ୍ଧି ମଧ୍ୟରେ ଏକ ସମ୍ବନ୍ଧ ସ୍ଥାପନ କରିଛନ୍ତି । ବୈଜ୍ଞାନିକ ମାନେ ଶେଷରେ ବାହାର କରିଛନ୍ତି ଯେ ଚିନିର କ୍ରମାଗତ ଦର ହ୍ରାସ ପରବର୍ତ୍ତୀ ସମୟରେ ମୋଟାପଣ ବୃଦ୍ଧିର ପ୍ରମୁଖ କାରଣ ପାଲଟି ଥାଏ ।