ଗର୍ଭାବସ୍ଥାରେ ପ୍ରତିଦିନ ପିଅନ୍ତୁ ଡାଳିମ୍ବ ରସ, ଶିଶୁକୁ ମଧ୍ୟ ହେବ ଫାଇଦା
ଗର୍ଭାବସ୍ଥାରେ ଡାଳିମ୍ବ ରସ ପିଇବା ଦ୍ୱାରା କେବଳ ମା’ ନୁହେଁ ଗର୍ଭସ୍ଥ ଶିଶୁର ମଧ୍ୟ ବହୁ ଫାଇଦା ହୋଇଥାଏ। ଡାଳିମ୍ବରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଶରୀରର ବର୍ଜ୍ୟବସ୍ତୁ ନିଷ୍କାସନ କରିବାରେ ସାହାଯ୍ୟ କରେ। ଡାଳିମ୍ବ ରସ ପିଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବୃଦ୍ଧି ପାଏ। ଫଳରେ ଡେଲିଭରି ପରେ ମା’ଠାରେ ରକ୍ତହୀନତାର ଭୟ ରହେନାହିଁ। ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ମଧ୍ୟ ଡାଳିମ୍ବ ରସ ସହାୟକ ହୋଇଥାଏ। ଏନେଇ ଓ୍ଵାଶିଂଟନ୍ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିକାଲ ରିସର୍ଚ୍ଚରେ ଜଣାଯାଇଛି।
ଗର୍ଭାବସ୍ଥାରେ ଡାଳିମ୍ବ ଜୁସ୍ ପିଇବା ଦ୍ୱାରା ପ୍ରିକ୍ଲେପସିଆ, ସମୟ ପୂର୍ବରୁ ଜନ୍ମ ଓ ଶିଶୁର ବିକାଶରେ ଆସୁଥିବା ବାଧାକୁ ଦୂରେଇ ହେବ। ଏକ ଗବେଷଣାରୁ ଜଣାଯାଇଛି ଯେ, ଡାଳିମ୍ବ ରସ ପିଇବା ଦ୍ୱାରା ଗର୍ଭନଳୀରେ ଆଘାତ ଲାଗିବା ସମ୍ଭାବନା କମ୍ ହୋଇଥାଏ। ଡାଳିମ୍ବ ରସରେ ପଲିଫେନୋଲିକ୍ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ରହିଥାଏ। ଏହା ମାନସିକ ଚାପକୁ କମ୍ କରିବାରେ ସାହାଯ୍ୟ କରେ। ଏଥିସହ ମାନବ ଭ୍ରୁଣ ଓ ଗର୍ଭନଳୀର କୋଷିକାର ମୃତ୍ୟୁ ଆଶଙ୍କାକୁ ମଧ୍ୟ କମାଇଥାଏ।
ଗର୍ଭସ୍ଥ କୋଷିକା କମ୍ ଅମ୍ଳଜାନ ଥିବା ପରିବେଶ ବା କେମିକାଲ ସମ୍ପର୍କରେ ଆସିଲେ ଡାଳିମ୍ବ ରସରେ ଥିବା ପ୍ରୋଟିନ୍ରୁ ଅମ୍ଳଜାନ୍ ଉତ୍ପନ୍ନ ହୋଇଥାଏ। କେବଳ ଏତିକି ନୁହେଁ ଡାଳିମ୍ବ ଜୁସ୍ ପିଇବା ଦ୍ୱାରା ଗର୍ଭସ୍ଥ ଶିଶୁର ମସ୍ତିଷ୍କ ମଧ୍ୟ ବିକଶିତ ହୁଏ। ପ୍ରତିଦିନ ୨୫୦ ଗ୍ରାମ ଡାଳିମ୍ବ ରସ ପିଉଥିବା ଗର୍ଭବତୀଙ୍କ ଗର୍ଭରେ ବଢ଼ୁଥିବା ଶିଶୁର ସ୍ୱାସ୍ଥ୍ୟ ସୁସ୍ଥ ରହୁଥିବା ଏକ ସର୍ଭେରୁ ଜଣାଯାଇଛି।
ଏହାସହ ପଢନ୍ତୁ: ଶୋଇବା ପୂର୍ବରୁ ପିଲାଙ୍କୁ କ୍ଷୀର ପିଇବାକୁ ଦେଉଛନ୍ତି କି, ହୋଇପାରେ ଏହି ଅସୁବିଧା