ରୋଷେଇ ଘର ଟିପ୍ସ: ବର୍ଷାଋତୁରେ ଜକେଇ ଯାଉଛି କି ଲୁଣ, ଚିନି; ଆଜି ହିଁ ଟ୍ରାଏ କରନ୍ତୁ ଏହି ଟିପ୍ସ

ବର୍ଷାଋତୁ ଆରମ୍ଭ ହେଉ ହେଉ ରୋଷେଇ ଘରେ ରହିଥିବା ଲୁଣ, ଚିନି ଆଦି ଜକେଇ ଯାଇଥାଏ। ପ୍ୟାକେଟରେ ଥିବା ବିସ୍କୁଟ ସେମେଟା ହୋଇଯାଉଥିବା ବେଳେ ମସଲାଗୁଣ୍ଡ ଆର୍ଦ୍ରତା ସଂସ୍ପର୍ଶରେ ଆସି ବିଣ୍ଡା ବିଣ୍ଡା ହୋଇଯାଏ, ଯେଉଁ କାରଣରୁ ଗୃହିଣୀମାନେ ନାନାଦି ସମସ୍ୟାରେ ପଡ଼ିଥାଆନ୍ତି। ଏଥିପାଇଁ ଏହା ଜାଣିବା ଜରୁରୀ କି ଲୁଣ ଏବଂ ଅନ୍ୟାନ୍ୟ ଜିନିଷକୁ ଏଥିରୁ କିପରି ରକ୍ଷା କରାଯାଇ ପାରିବ। ଆସନ୍ତୁ ଜାଣିବା କିଛି ଟିପ୍ସ ବିଷୟରେ।

-ବର୍ଷାଦିନେ ଜକେଇ ଯାଉଥିବା ଲୁଣ, ଚିନି ଏବଂ ଅନ୍ୟାନ୍ୟ ଜିନିଷଗୁଡ଼ିକୁ କାଚ ଜାର୍‌ରେ ହିଁ ରଖନ୍ତୁ। କାଚ ଜାର୍‌ ବି ଏୟାର ଟାଇଟ୍‌ ହେବା ଉଚିତ, ଯେପରି ତା’ ଭିତରକୁ ଏୟାର କି ପାଣି ନ ପଶିପାରିବ। କାଚ ଅପେକ୍ଷା ପ୍ଲାଷ୍ଟିକ୍‌ରେ ବହୁତ ଜଲ୍‌ଦି ଆର୍ଦ୍ରତା ଆସିଯାଇଥାଏ।

-ଲବଙ୍ଗ ଆର୍ଦ୍ରତାକୁ ଅବଶୋଷଣ କରି ନେଇଥାଏ। ତେଣୁ ଆପଣ ଲୁଣ କିମ୍ବା ଚିନି ଜାର୍‌ରେ କିଛି ଲବଙ୍ଗକୁ ଏକ ପୁଟୁଳିରେ ବାନ୍ଧି ରଖି ଦେଇପାରିବେ। ଏହାଦ୍ୱାରା ଆପଣଙ୍କ ଜିନିଷ ଶୁଖିଲା ରହିବ।

-ଏକ ଛୋଟିଆ ପୁଟୁଳିରେ ଚାଉଳ ରଖିଦେଲେ ମଧ୍ୟ ଆପଣଙ୍କ ଲୁଣ ଆଉ ଜକେଇ ଯିବ ନାହିଁ। ଲୁଣ କିମ୍ବା ଚିନି ରଖିବା ପୂର୍ବରୁ ଜାର୍‌ରେ ପ୍ରଥମେ ଚାଉଳ ପୁଟୁଳିକୁ ରଖି ଦିଅନ୍ତୁ। ଏହା ଆର୍ଦ୍ରତାକୁ ଅବଶୋଷଣ କରିପାରିବ।

-ବ୍ଲୋଟିଙ୍ଗ୍‌ ପେପର ବି ଚାଉଳ ପରି କାମ ଦେଇଥାଏ। ଯେତେବେଳେ ବି ଆପଣ ଜାର୍‌ରେ ଲୁଣ କିମ୍ବା ଚିନି ରଖିବାକୁ ଯାଉଛନ୍ତି, ତ ପ୍ରଥମେ ବ୍ଲୋଟିଙ୍ଗ୍‌ ପେପର୍‌କୁ ବିଛାଇ ଦିଅନ୍ତୁ। ଏହା ଉପରେ ଲୁଣ କିମ୍ବା ଚିନି ଭରନ୍ତୁ।

-ସେହିପରି ବିସ୍କୁଟ ପ୍ୟାକେଟକୁ ଏକ ବଡ଼ ବ୍ଲୋଟିଙ୍ଗ୍‌ ପେପରରେ ଭଲ ଭାବେ ର‍୍ୟାପ୍‌ କରି ଏୟାର ଟାଇଟ୍‌ କଣ୍ଟେନରରେ ରଖନ୍ତୁ। ଏହାଦ୍ୱାରା ବିସ୍କୁଟ ସେମେଟା ହେବ ନାହିଁ।

-ଆପଣ ମସଲାଗୁଡ଼ିକୁ ଏୟାର ଟାଇଟ୍‌ କଣ୍ଟେନରରେ ଭର୍ତ୍ତି କରି ଫ୍ରିଜରରେ ରଖିପାରିବେ। ଏହାଦ୍ୱାରା ମସଲା ଶୁଖିଲା ରହିବ ଏବଂ ଆପଣ ଏହାକୁ ଆରାମରେ ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.