ଆଜି ବିଶ୍ୱ ଦୁଗ୍ଧ ଦିବସ: କ୍ଷୀର ସହ ନିଶ୍ଚୟ ଖାଆନ୍ତୁ ଏହି ୩ଟି ଫଳ, ହାଡ଼ଠୁ ଆଖି ଯାଏଁ ସବୁ ରହିବ ସୁସ୍ଥ

ଜୁନ୍ ୧କୁ ବିଶ୍ୱ ଦୁଗ୍ଧ ଦିବସ ରୂପେ ପାଳନ କରାଯାଏ। ଏହି ଦିନକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କ୍ଷୀର ପିଇବାର ଫାଇଦା ସମ୍ପର୍କରେ ଜଣାଇବା। କ୍ଷୀରରେ ଅନେକ ପ୍ରକାରର ଜରୁରୀ ପୋଷକ ତତ୍ତ୍ୱ ରହିଛି, ଯାହା ଆମ ଶରୀରର ହାଡ଼କୁ ମଜଭୁତ କରିବାରେ ସାହାଯ୍ୟ କରେ। ଏଥିସହ କ୍ଷୀର ଶରୀରକୁ ଫୂର୍ତ୍ତି ରଖିବାରେ ମଧ୍ୟ ସାହାଯ୍ୟ କରେ। ତେବେ ଆଜି କ୍ଷୀର ଦିବସରେ ଆସନ୍ତୁ ଜାଣିବା କ୍ଷୀର ସହ କେଉଁ ଫଳ ସେବନ କଲେ ଶରୀରର ଅଧିକ ଫାଇଦା ହୋଇଥାଏ।
ଖରଭୁଜ:
କ୍ଷୀର ସହ ଖରଭୁଜ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ। ଏଥିରେ ଭିଟାମିନ୍ ଏ ସହ ବିଟା କ୍ୟାରୋଟିନ୍ ଗୁଣ ରହିଛି, ଯାହା ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ସହ ମୋତିଆ ବିନ୍ଦୁ ସମସ୍ୟାକୁ ମଧ୍ୟ ଦୂର କରେ। ସେହିପରି କ୍ଷୀର ଓ ଖରଭୁଜକୁ ଏକାଠି ଖାଇଲେ ପାଚନ ତନ୍ତ୍ର ମଧ୍ୟ ମଜଭୁତ ହୋଇଥାଏ।
କଦଳୀ:
କ୍ଷୀର ସହ କଦଳୀ ଖାଇବା ମଧ୍ୟ ସୁରକ୍ଷିତ ହୋଇଥାଏ। ଏହାକୁ ଏକାଠି ଖାଇବା ଶରୀର ପାଇଁ ବରଦାନ ଭଳି ହୋଇଥାଏ। ଉଭୟ କଦଳୀ ଓ କ୍ଷୀରକୁ ଏକାଠି ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ଭିଟାମିନ୍, ଫାଇବର, କ୍ୟାଲସିୟମ୍ ଆଦି ମଧ୍ୟ ମିଳିଥାଏ। କ୍ଷୀରରେ କଦଳୀ ଚକୁଟି ଖାଇଲେ ପାଚନ କ୍ରିୟା ସହ ଜଡ଼ିତ ସମସ୍ୟା ଶୀଘ୍ର ଦୂର ହୁଏ। ଆପଣ ଚାହିଁଲେ କଦଳୀର ସେକ୍ କିମ୍ବା ସ୍ମୁଦି କରି ମଧ୍ୟ ପିଇପାରିବେ। କ୍ଷୀରରେ ପ୍ରୋଟିନ, ଭିଟାମିନ, ରାଇବୋଫ୍ଳୋବିନ, ଭିଟାମିନ ବି ୧୨ ଭଳି ମିନେରାଲ୍ସ ରହିଥାଏ। ୧୦୦ ଗ୍ରାମ କ୍ଷୀରରେ ୪୨ କ୍ୟାଲୋରୀ ରହିଥାଏ। ଶାକାହାରୀଙ୍କ ପାଇଁ କ୍ଷୀର ପ୍ରୋଟିନର ସବୁଠୁ ଭଲ ସ୍ରୋତ। ଏହା ସହ କଦଳୀରେ ଭିଟାମିନ ବି୬ , ମାଙ୍ଗାନିଜ, ଭିଟାମିନ ସି, ଡାଇଟରୀ ଫାଇବର, ପୋଟାସିୟମ, ବାୟୋଟିନ ଭଳି ଭିଟାମିନ ଭରି ରହିଛି। ୧୦୦ ଗ୍ରାମ କଦଳୀରେ ୮୯ କ୍ୟାଲୋରୀ ରହିଥାଏ। ଏହାକୁ ଖାଇବା ପରେ ପେଟ ଭାରି ଭାରି ଲାଗିଥାଏ।
ଆମ୍ବ:
କ୍ଷୀର ସହ ଆମ୍ବ ଖାଇବା ମଧ୍ୟ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ୍ ଏ ରହିଛି, ଯାହା ଆଖିର ଦୃଷ୍ଟି ଶକ୍ତି ବଢ଼ାଇବା ସହ ବ୍ଲଡ ପ୍ରେସ ସମସ୍ୟାକୁ ବି ନିୟନ୍ତ୍ରଣ କରେ। କ୍ଷୀର ସହ ଆମ୍ବ ଖାଇଲେ ହାଡ଼ ମଧ୍ୟ ମଜଭୁତ ହୁଏ। ଏଥିପାଇଁ ଆପଣ ଆମ୍ବ ସେକ୍ କରି ପିଇପାରିବେ। ଖରାଦିନେ ଏହା ଶରୀରକୁ ମଧ୍ୟ ଶୀତଳ ରଖିଥାଏ।