Below header

ବିଦେଶରୁ ଆସିଥିବା ଯାତ୍ରୀଙ୍କଠାରେ ମିଳିଲା ୧୧ ପ୍ରକାରର ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ! ୧୯,୨୨୭ ନମୁନାରୁ ୧୨୪ ପଜିଟିଭ୍‌

ଦେଶରେ କରୋନାର ନୂଆ ଲହରର ଆଶଙ୍କା ଭିତରେ ବିଦେଶରୁ ଆସିଥିବା ଯାତ୍ରୀଙ୍କଠାରେ କୋଭିଡ-୧୯ ଓମିକ୍ରନ୍ ଭାରିଆଣ୍ଟର ୧୧ଟି ସବ୍-ଭାରିଆଣ୍ଟ ମିଳିଛି। ୨୪ ଡିସେମ୍ବରରୁ ୩ ଜାନୁୟାରୀ ମଧ୍ୟରେ ୧୯,୨୨୭ ଅନ୍ତର୍ଜାତୀୟ ଯାତ୍ରୀଙ୍କ ନମୁନା ଯାଞ୍ଚ କରାଯାଇଥିଲା। ସେଥି ମଧ୍ୟରୁ ୧୨୪ଟି ନମୁନା ପଜିଟିଭ୍ ଆସିଛି।

ବିଦେଶରୁ ଭାରତ ଆସିଥିବା ଯାତ୍ରୀମାନଙ୍କ ନମୁନା ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସମୁଦ୍ର ବନ୍ଦରରେ ନିଆଯାଇଥିଲା। ଯାଞ୍ଚରେ କରୋନା ସଂକ୍ରମିତ ମିଳିଥିବା ୧୨୪ ଜଣ ଯାତ୍ରୀଙ୍କୁ ଆଇସୋଲେଟ୍‌ କରାଯାଇଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି, ୧୨୪ କରୋନା ପଜିଟିଭ ସଂକ୍ରମିତଙ୍କ ମଧ୍ୟରୁ ୪୦ ଜଣଙ୍କର ଜିନୋମ ସିକ୍ୱେସିଙ୍ଗ୍‌ର ଫଳାଫଳ ଆସିଛି। ଏଥିରେ ଓମିକ୍ରନର XBB.1 ସବ ଷ୍ଟ୍ରେନର ସର୍ବାଧିକ ୧୪ଟି ନମୁନା ମିଳିଥିବା ବେଳେ ଜଣଙ୍କଠାରେ BF.7.4.1 ମିଳିଛି।

ଗୁରୁବାର ଦେଶରେ କୋଭିଡ ସଂକ୍ରମଣରେ ମାମୁଲି ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮୮ ନୂଆ ମାମଲା ମିଳିଥିବା ବେଳେ ବୁଧବାର ୧୭୪ଟି ମାମଲା ରେକର୍ଡ ହୋଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗୁରୁବାର ସକାଳେ ଜାରି ତଥ୍ୟ ମୁତାବକ, ନୂଆ ମାମଲା ସମେତ ଦେଶରେ ଏ ପର୍ଯ୍ୟନ୍ତ ମୋଟ ୪,୪୬,୭୯,୩୧୯ ସଂକ୍ରମିତ ବାହାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.