ୟୁଟ୍ୟୁବ୍ ଦେଖି ସନ୍ତାନ ପ୍ରସବ କଲା ୧୫ ବର୍ଷର ଝିଅ, ଛୁଆ କାନ୍ଦିବାରୁ ଜୀବନରୁ ମାରିଦେଲା

ୟୁଟ୍ୟୁବ୍ ଦେଖି ସନ୍ତାନ ପ୍ରସବ କଲା ୧୫ ବର୍ଷର ଝିଅ। କିନ୍ତୁ ବଞ୍ଚାଇ ପାରିଲାନି ଛୁଆର ଜୀବନ। ଇନ୍‌ଷ୍ଟାଗ୍ରାମ୍‌ର ପୁରୁଷବନ୍ଧୁ ଦ୍ବାରା ଗର୍ଭବତୀ ହୋଇଥିବା ନାଗପୁରର ଜଣେ ୧୫ ବର୍ଷୀୟା ଝିଅକୁ ନେଇ ଏବେ ଚର୍ଚ୍ଚା। ୧୫ ବର୍ଷୀୟା ଝିଅ ଜଣକ ନବମ ଶ୍ରେଣୀ ଛାତ୍ରୀ।

ନାଗପୁର: ୟୁଟ୍ୟୁବ୍ ଦେଖି ସନ୍ତାନ ପ୍ରସବ କଲା ୧୫ ବର୍ଷର ଝିଅ। କିନ୍ତୁ ବଞ୍ଚାଇ ପାରିଲାନି ଛୁଆର ଜୀବନ। ଇନ୍‌ଷ୍ଟାଗ୍ରାମ୍‌ର ପୁରୁଷବନ୍ଧୁ ଦ୍ବାରା ଗର୍ଭବତୀ ହୋଇଥିବା ନାଗପୁରର ଜଣେ ୧୫ ବର୍ଷୀୟା ଝିଅକୁ ନେଇ ଏବେ ଚର୍ଚ୍ଚା। ୧୫ ବର୍ଷୀୟା ଝିଅ ଜଣକ ନବମ ଶ୍ରେଣୀ ଛାତ୍ରୀ। ଯିଏକି ଗତ ଶୁକ୍ରବାର ଘରେ ଏକୁଟିଆ ଥିବା ବେଳେ ୟୁଟ୍ୟୁବ୍‌ ଦେଖି ନିଜର ସନ୍ତାନକୁ ନିଜେ ପ୍ରସବ କରାଇବା ପରେ ଲୋକଲଜ୍ଜା ଭୟରେ ଛୁଆକୁ ତଣ୍ଟିଚିପି ମାରିଦେଇଛି। ଦର୍ଶକବନ୍ଧୁ ଏହି ଖବର ଶୁଣିବାପରେ ଆପଣଙ୍କ ଲୁମ ଟାଙ୍କୁରୀ ଉଠୁଥିବ ନିଶ୍ଚୟ।

ସୂଚନା ମୁତାବକ, ଝିଅଟି ଅଧିକାଂଶ ସମୟ ମୋବାଇଲରେ କଟିଥାଏ। କିଛି ମାସ ତଳେ ଜନୈକ ଏକ ଯୁବକ ସହ ଇନ୍‌ଷ୍ଟାଗ୍ରାମ୍‌ରେ ତା’ର ବନ୍ଧୁତା ହୋଇଥିଲା। ଯୁବକ ତା’ ସହ ସବୁବେଳେ କଥାବାର୍ତ୍ତା କରୁଥିଲା। ତେବେ ଆଶ୍ଚର୍ଯ୍ୟର କଥା ଝିଅଟି ଯୁବକ ସହ କଥା ହେଉଥିଲେବି , ଯୁବକର ନା,ଗାଁ କିଛିବି ବି ଜାଣିନି। ଝିଅଟି ଅପରିଚିତ ପୁଅମାନଙ୍କ ସହ ଚାଟିଂ କରୁଥିବା ଓ ଫୋନର ଦୁରୁପଯୋଗ କରୁଥିବା ଜାଣିବା ପରେ କିଛି ସପ୍ତାହ ତଳେ ତା’ର ମାଆ ତା’ର ଫୋନକୁ ଫୋପାଡ଼ି ଭାଙ୍ଗି ଦେଇଥିଲେ। ଏହାପରେ ଝିଅ ମାଆର ଫୋନ୍ ବ୍ୟବହାର କରୁଥିଲା ଓ ବ୍ୟବହାର କରିବା ପରେ ବ୍ରାଉଜିଂ ହିଷ୍ଟ୍ରିକୁ ଡିଲିଟ କରିଦେଉଥିଲା।

ତେବେ ଏଭଳି ଏକ ଜଘନ୍ୟ କାଣ୍ଡ ସାମ୍ନାକୁ କେମିତି ଆସିଲା ଏ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିଥିବ ନିଶ୍ଚିତ। ସୂଚନା ମୁତାବକ ଝିଅଟିର ମାଆ ଏକ ମଲ୍‌ରେ କାମ କରନ୍ତି। ତା’ର ମାଆ କାମ ସାରି ଶୁକ୍ରବାର ଘରକୁ ଫେରିବା ପରେ ରୁମ୍ ଭିତରେ ଅନେକ ଜାଗାରେ ରକ୍ତର ଛିଟା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଝିଅଟି ମଧ୍ୟ ଦୁର୍ବଳ ଜଣାପଡ଼ୁଥିଲା। ରକ୍ତଛିଟା ତା’ର ମାସିକ ଋତୁସ୍ରାବଜନିତ କହି ମାଆକୁ ଭୂତେଇବାକୁ ଚେଷ୍ଟା କରିଥିଲା ଝିଅ। କିନ୍ତୁ କିଛି ସମୟ ପରେ କଷ୍ଟ ସହିନପାରି ସେ କାନ୍ଦିପକେଇ ମାଆ ଆଗରେ ସବୁ ସତକଥା କହିଦେଇଥିଲା।

ସେ କେମିତି ଏକ ଝିଅ ଛୁଆକୁ ଜନ୍ମଦେଇ ମାରିଦେଇଛି ତାହା ସେ ବର୍ଣ୍ଣନା କରିଥିଲା। ଛୁଆଟିର କାନ୍ଦଣା ଶୁଣି ପଡ଼ିଶାଘର ଲୋକେ ଆସିଯିବେ ଭାବି ସେ ତା’ ବେକରେ ବେଲ୍‌ଟ ଗୁଡ଼େଇ ହତ୍ୟା କରିଥିବା ପ୍ରକାଶ କରିଥିଲା। ଏହାପରେ ଝିଅକୁ ନେଇ ମାୟୋ ହସ୍ପିଟାଲ ଯାଇଥିଲେ ମାଆ । ସେଠାକାର ଡାକ୍ତରମାନେ ଘଟଣା ବିଷୟରେ ଅମ୍ବାଜାରି ପୋଲିସକୁ ଖବର ଦେଇଥିଲେ। ଝିଅଟି ପୋଲିସକୁ କହିଥିଲା ଯୁବକ ଜଣକ ତାକୁ ତା’ର ଜଣେ ସାଙ୍ଗ ଘରକୁ ଡକାଇଥିଲା। ସେଠାରେ ତାକୁ ମଦ ପିଆଇ ଦୁଷ୍କର୍ମ କରିଥିଲା। ଯାହାଦ୍ବାରା ସେ ଗର୍ଭବତୀ ହୋଇଥିଲା। କିନ୍ତୁ ଯୁବକର ନାଁ ଓ ଫୋନ୍ ନମ୍ବର ସେ ପୋଲିସକୁ ଦେଇପାରି ନ ଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି।

ତେବେ ଏଭଳି ଏକ ଘଟଣା ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି କେମିତି ଏତେ କମ ବୟସର ଝିଅଟି ଗର୍ଭବତୀ ଥିବା ନେଇ ଜାଣିପାରିଲେନି ପରିବାର ଲୋକେ?ଝିଅଟିକୁ କେମିତି ବାପା ମାଆ ଏତେ ସମୟ ମୋବଇଲ ବ୍ୟବହାର କରିବାକୁ ଦେଉଥିଲେ? ୧୫ ବର୍ଷର ଝିଅ ଯଦି ୟୁଟ୍ୟୁବ୍ ଦେଖି ସନ୍ତାନ ପ୍ରସବ କରିବା ଭଳି ଏକ ବିପଦପୂର୍ଣ୍ଣ ସାହସ କରିପାରୁଛି ତେବେ ଭାବନ୍ତୁ ଯୁଗ କେଉଁଠୁ ଯାଇ କେଉଁଠି ପହଁଚିଲାଣି ।