ପଞ୍ଜାବ: ଜେଲ୍ରେ ଗ୍ୟାଙ୍ଗ୍ଓ୍ଵାର; ସିଦ୍ଧୁ ମୁସେଓ୍ଵାଲା ହତ୍ୟା ମାମଲାର ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୨ ଜଣଙ୍କର ମୃତ୍ୟୁ
ପଞ୍ଜାବର ଗୋଇନ୍ଦଓ୍ଵାଲା କେନ୍ଦ୍ରୀୟ ଜେଲରେ କଏଦୀମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଏଥିରେ ୨ କଏଦୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଦୁଇ କଏଦୀ ସିଦ୍ଧୁ ମୁସେଓ୍ଵାଲା ହତ୍ୟାକାଣ୍ଡ ମାମଲାରେ ଜେଲରେ ବନ୍ଦୀ ଥିଲେ।

ପଞ୍ଜାବର ତରନ ତାରନ ଜିଲ୍ଲାରେ ଥିବା ଗୋଇନ୍ଦଓ୍ଵାଲା କେନ୍ଦ୍ରୀୟ ଜେଲରେ କଏଦୀମାନଙ୍କ ମଧ୍ୟରେ ଗ୍ୟାଙ୍ଗଓ୍ଵାର୍ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇ ଗ୍ୟାଙ୍ଗଷ୍ଟାରଙ୍କର ମୃତ୍ୟୁ ଘଟିଛି ଏବଂ ଏଥିରେ ଜଣେ କଏଦୀ ଆହତ ହୋଇଛନ୍ତି। ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି। କହି ରଖୁଛୁ, ଯେଉଁ ଦୁଇ କଏଦୀଙ୍କର ମୃତ୍ୟୁ ଘଟିଛି, ସେମାନେ ଦୁହେଁ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ଵାଲା ହତ୍ୟାକାଣ୍ଡ ମାମଲାରେ ଜେଲରେ ବନ୍ଦୀ ଥିଲେ।
ଡିଏସ୍ପି ଜସ୍ପାଲ ସିଂ କହିଛନ୍ତି, ଗୋଇନ୍ଦଓ୍ଵାଲା ସାହିବ ଜେଲରେ କଏଦୀମାନେ ପରସ୍ପର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଲାଗିଥିଲେ। ଏହି ଘଟଣାରେ ରୟା ନିବାସୀ ଦୁରାନ ମନଦୀପ ସିଂ ତୁଫାନ ଏବଂ ବୁଢ଼ଲାଡା ନିବାସୀ ମନମୋହନ ସିଂ ମୋହାନାଙ୍କର ମୃତ୍ୟୁ ହୋଇଛି। ଯେତେବେଳେ କି, ବଠିଣ୍ଡା ନିବାସୀ କେଶବଙ୍କୁ ତରନ ତାରନର ସିଭିଲ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଘଟଣା ରବିବାର ଦ୍ୱିପ୍ରହର ପ୍ରାୟ ୩ଟା ସମୟର ବୋଲି କୁହାଯାଉଛି।
ସୂଚନାଥାଉ କି, ଗତବର୍ଷ ୨୯ ମେ’ରେ ପଞ୍ଜାବର ମାନସା ଜିଲ୍ଲା ଜବାହରକେ ଗାଁ ନିକଟରେ ସିଦ୍ଧୁ ମୁସେଓ୍ଵାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଗ୍ୟାଙ୍ଗ୍ଷ୍ଟାର ଗୋଲ୍ଡି ବରାର ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଗୋଲ୍ଡି ତିହାର ଜେଲରେ ବନ୍ଦୀ ଥିବା କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟାର ଲରେନ୍ସ ବିଶ୍ନୋଇଙ୍କର ଘନିଷ୍ଠ ଥିଲେ। ସେ ନିଜ ସାଙ୍ଗ ଭିକ୍କି ମିଦ୍ଧୁଖେଡ଼ାଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଏହି କାଣ୍ଡ ଘଟାଇଥିଲେ। ମିଦ୍ଧୁଖେଡ଼ାଙ୍କୁ ୨୦୨୧ରେ ଗୁଳି କରି ହତ୍ୟା କରାଯାଇଥିଲା। ଲରେନ୍ସ ଗ୍ୟାଙ୍ଗ୍ ଭାବୁଥିଲା କି, ଭିକ୍କି ମିଦ୍ଧୁଖେଡ଼ାଙ୍କ ହତ୍ୟାକାରୀମାନଙ୍କୁ ସିଦ୍ଧୁ ମୁସେଓ୍ଵାଲା ଆଶ୍ରୟ ଦେଇଥିଲେ।