ଛତିଶଗଡ଼: ନିର୍ବାଚନ ପୂର୍ବରୁ ବସ୍ତରରେ ୨୬ ହାର୍ଡକୋର ନକ୍ସଲ କଲେ ଆତ୍ମସମର୍ପଣ, ଛାଡ଼ିଲେ ହିଂସାର ରାସ୍ତା

ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନରେ ନିୟୋଜିତ ଫୋର୍ସକୁ ମିିଳିଛି ବଡ଼ ସଫଳତା । ସୋମବାର ଏଠାରେ ୨୬ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।

ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନରେ ନିୟୋଜିତ ଫୋର୍ସକୁ ମିିଳିଛି ବଡ଼ ସଫଳତା । ସୋମବାର ଏଠାରେ ୫ ମହିଳା ଏବଂ ୩ କିଶୋର, କିଶୋରୀଙ୍କ ସମେତ ମୋଟ ୨୬ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।

ଦାନ୍ତେଓ୍ଵାଡା ହେଉଛି ବସ୍ତର ଲୋକସଭା ଆସନର ଏକ ଅଂଶ । ଏଠାରେ ଏପ୍ରିଲ ୧୯ରେ ମତଦାନ ହେବ । ଦାନ୍ତେୱାଡାର ପୋଲିସ ଅଧୀକ୍ଷକ ଗୌରବ ରାୟ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ଯୋଗା ମୁଚାକି ଥିଲେ ପ୍ରତିବନ୍ଧିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)ର ‘କୋରାଜଗୁଡା ପଞ୍ଚାୟତ ଜନତାନା ସରକାର’ର ମୁଖ୍ୟ । ତାଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି ।

ପୋଲିସ ଅଧୀକ୍ଷକ କହିଛନ୍ତି କି, ନକ୍ସଲମାନେ ପୋଲିସ ଏବଂ ସିଆର୍‌ପିଏଫ୍‌ ଅଧିକାରୀଙ୍କ ସମ୍ମୁଖରେ ଅସ୍ତ୍ର ରଖିଥିଲେ । ସେମାନେ ଦକ୍ଷିଣ ବସ୍ତରରେ ମାଓବାଦୀମାନଙ୍କ କିଷ୍ଟାରାମ, ଭେରମଗଡ଼, ମଲାଙ୍ଗୀର ଏବଂ କଟେକଲ୍ୟାଣ ଅଞ୍ଚଳ କମିଟିର ଅଂଶ ଥିଲେ । ପୋଲିସର ପୁନର୍ବାସ ଅଭିଯାନ ‘ଲୋନ ଭରାଟୁ’ ଦ୍ୱାରା ସେମାନେ ପ୍ରଭାବିତ ହୋଇଥିବା ବେଳେ ମାଓବାଦୀଙ୍କ ବିଚାରଧାରାକୁ ନେଇ ନିରାଶ ଅଛନ୍ତି ।

ପୋଲିସ ଅଧୀକ୍ଷକ ରାୟ କହିଛନ୍ତି, ଏହି ନକ୍ସଲମାନଙ୍କୁ ରାସ୍ତା ଖୋଳିବା, ରାସ୍ତା ଅବରୋଧ କରିବା ପାଇଁ ଗଛ ପକାଇବା, ମାଓବାଦୀମାନଙ୍କ ଦ୍ୱାରା ବନ୍ଦ ଡାକରା ବେଳେ ପୋଷ୍ଟର, ବ୍ୟାନର ଆଦି ଲଗାଇବା କାର୍ଯ୍ୟ ଦିଆଯାଇଥିଲା । ସେମାନଙ୍କୁ ବର୍ତ୍ତମାନ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତି ଅନୁସାରେ ସୁବିଧା ପ୍ରଦାନ କରାଯିବ ।

ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ୨୬ ନକ୍ସଲଙ୍କ ମଧ୍ୟରେ ଅଛନ୍ତି ପାଞ୍ଚ ଜଣ ମହିଳା, ଦୁଇ ଜଣ କିଶୋରୀ ଏବଂ ଜଣେ କିଶୋର ।

ଅଧିକାରୀମାନେ କହିଛନ୍ତି ଯେ ୨୦୨୦ ଜୁନ୍‌ରେ ଆରମ୍ଭ ହୋଇଥିଲା ପୋଲିସର ‘ଲୋନ ଭରାଟୁ’ (ନିଜ ଘରକୁ ବା ଗାଁକୁ ଫେର) ଅଭିଯାନ । ଏହା ଅଧୀନରେ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୧୭ ନକ୍ସଲ ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୧୭୬ ଜଣଙ୍କ ଉପରେ ନଗଦ ପୁରସ୍କାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.