ମୁକୁଳିଲେ ରାଜୀବ ଗାନ୍ଧି ହତ୍ୟା ମାମଲାର ଦୋଷୀ ନଳିନୀ, ପ୍ରିୟଙ୍କା ଗାନ୍ଧିଙ୍କର କଲେ ଭୁରି ଭୁରି ପ୍ରଶଂସା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଛଅ ଜଣଙ୍କ ମଧ୍ୟରୁ ନଳିନୀ ଶ୍ରୀହରନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁକ୍ତ କରାଯାଇଛି। ଜେଲରୁ ମୁକୁଳିବା ପରେ ନଳିନୀ କହିଛନ୍ତି, ଏହି ହତ୍ୟା ଷଡ଼ଯନ୍ତ୍ରରେ ମୋର କୌଣସି ଭୂମିକା ନାହିଁ। ସ୍ୱାମୀଙ୍କ ସାଙ୍ଗମାନଙ୍କୁ ମୁଁ ଚିହ୍ନି ଥିବାରୁ ମୋତେ ଜେଲ୍‌ ହୋଇଥିଲା ବୋଲି ନଳିନୀ କହିଛନ୍ତି। ସେ କହିଛନ୍ତି, ଏହି ମାମଲାରେ ମୋର ଭୂମିକା ନାହିଁ। ମୁଁ ଜାଣେ ଯେ ମୁଁ ଦୋଷୀ ସାବ୍ୟସ୍ତ ହୋଇଛି। କିନ୍ତୁ ମୋର ହୃଦୟ ଜାଣେ କି ସେତେବେଳେ କ’ଣ ହୋଇଥିଲା।

ଏକ ସାକ୍ଷାତକାରରେ ନଳିନୀ କହିଛନ୍ତି କି ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଷଡ଼ଯନ୍ତ୍ରରେ ଜଡ଼ିତ ନୁହେଁ। କିଛି ଲୋକ ମୋ ସ୍ୱାମୀଙ୍କ ବନ୍ଧୁ ଥିଲେ। ତେଣୁ ସେମାନଙ୍କୁ ମୁଁ ଚିହ୍ନିଥିଲି। ତଥାପି ମୁଁ ଏହି ଘଟଣା ପରେ ତାଙ୍କ ସହ କଥାବାର୍ତ୍ତା କରୁନଥିଲି। ଯେତେବେଳେ ଆବଶ୍ୟକ ପଡ଼େ ମୁଁ ତାଙ୍କୁ ସାହାଯ୍ୟ କରେ। ଦୋକାନ କିମ୍ବା ଥିଏଟର କିମ୍ବା ହେଟେଲ ବା ମନ୍ଦିରକୁ ମୁଁ ତାଙ୍କ ସହ ଯାଏ। ବାସ୍‌ ଏତିକି। ଏହାବାଦ୍‌ ମୋର କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ। ମୁଁ ତାଙ୍କ ପରିବାରକୁ ଜାଣିନାହିଁ ବୋଲି ନଳିନୀ କହିଛନ୍ତି।

ନଳିନୀଙ୍କ କହିବାନୁସାରେ, ୨୦୦୧ରେ ମୋତେ ମୃତ୍ୟୁ ଦଣ୍ଡାଦେଶ ମିଳିବା ପୂର୍ବରୁ ମୁଁ ଜାଣିବାକୁ ପାଇଥିଲି ଯେ ମୁଁ ବି ଦୋଷୀ। ସାତଥର ସେମାନଙ୍କ ବିରୋଧରେ ବ୍ଲାକ୍‌ ୱାରେଣ୍ଟ ବା ଫାଶୀ ଅର୍ଡର ଦିଆସରିଥିଲା। ସେମାନେ ମୋତେ ଅପେକ୍ଷା କରିଥିଲେ।


ଜେଲରେ ରାଜୀବ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଭଦ୍ରାଙ୍କ ସହ ହୋଇଥିବା ସାକ୍ଷାତକୁ ମଧ୍ୟ ମନେ ପକାଇ କହିଛନ୍ତି, ପ୍ରିୟଙ୍କା ଜଣେ ଦୟାଳୁ ବ୍ୟକ୍ତି। ସେ ପରୀ ଥିଲେ। ସେ ମୋତେ ସମ୍ମାନ ଦେଇଥିଲେ। ମୋତେ ଜେଲରେ ଠିକ୍‌ ଭାବେ ଚିକିତ୍ସା କରାଯାଉନଥିଲା। ଆମକୁ ଅଧିକାରୀଙ୍କ ସାମ୍ନାରେ ବସିବାକୁ ମଧ୍ୟ ଅନୁମତି ଦିଆଯାଇନଥିଲା। ଆମକୁ ଠିଆ ହୋଇ କଥା କହିବାକୁ ପଡ଼ୁଥିଲା। କିନ୍ତୁ ପ୍ରିୟଙ୍କା ଭଦ୍ରା ଭେଟିବାକୁ ଆସିବା ବେଳେ ମୋତେ ତାଙ୍କ ପାଖରେ ବସିବାକୁ କହିଥିଲେ। ଏହା ମୋ ପାଇଁ ଏକ ଭିନ୍ନ ଅନୁଭୂତି ଥିଲା। ନଳିନୀ କହିଛନ୍ତି, ପ୍ରିୟଙ୍କା ତାଙ୍କ ପିତାଙ୍କ ହତ୍ୟା ବିଷୟରେ ପଚାରିଥିଲେ। ସେତେବେଳେ ସେ ଭାବୁକ ହୋଇ କାନ୍ଦିଥିଲେ।

ନଳିନୀ କହିଛନ୍ତି, ମୋର ଏକ ଝିଅ ସେହି ଜେଲରେ ଜନ୍ମ ହୋଇଥିଲା ଏବଂ ଜେଲ ବାହାରେ ସେ ବଢ଼ିଥିଲା। ୨୦୧୯ରେ ମୋ ଝିଅ ବିବାହ କରିଥିଲା। ବିବହା ପାଇଁ ମୁଁ ଏକ ମାସ ପାରୋଲରେ ବାହାରକୁ ଆସିଥିଲି।

ନଳିନୀଙ୍କ କହିବାନୁସାରେ, ତାଙ୍କ ଝିଅ ତାଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଛି। ନଳିନୀ କହିଛନ୍ତି, ମୁଁ ତାଙ୍କୁ ଜନ୍ମ ଦେଲି, କିନ୍ତୁ ଦୁଇ ବର୍ଷ ପରେ ମୁଁ ତା’ଠାରୁ ଅଲଗା ହୋଇଗଲି। ଯାହା ଘଟିଯାଇଛି ସେଥିରୁ ବାହାରିବାକୁ ଚେଷ୍ଟା କରୁଛି। ଏହା ମୋ ପାଇଁ ସବୁଠୁ ଦୁଃଖଦ ସମୟ ଥିଲା। ମୋ ଝିଅ ବି ଛୋଟ ଥିଲା। ତା’ ପାଇଁ ମଧ୍ୟ ସେ ସମୟ କଷ୍ଟଦାୟକ ଥିଲା ବୋଲି ନଳିନୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ୧୯୯୧ରେ ତାମିଲନାଡୁର ଶ୍ରୀପେରୁମୁଦୁରରେ ଏକ ନିର୍ବାଚନ ରାଲିରେ ରାଜୀବ ଗାନ୍ଧିଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା।

Also Read: ଜାଣନ୍ତୁ, ଆଜି ଆପଣଙ୍କ ସହରର ପେଟ୍ରୋଲ ଓ ଡିଜେଲ ଦାମ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.