ସମଗ୍ର ୟୁରୋପରେ ଅଗ୍ନି ବର୍ଷା! ଭାଙ୍ଗିଲା ସବୁ ରେକର୍ଡ; ସ୍ପେନ୍‌, ପର୍ତ୍ତୁଗାଲ ଓ ବ୍ରିଟେନରେ ୧୭୦୦ରୁ ଅଧିକ ମୃତ୍ୟୁ

ବିଶ୍ୱର ୭ ଦେଶ ସମେତ ସମଗ୍ର ୟୁରୋପ ବର୍ତ୍ତମାନ ଭୀଷଣ ଗ୍ରୀଷ୍ମ ପ୍ରବାହରେ ଜୁଝି ହେଉଛି। ବ୍ରିଟେନ ଇତିହାସରେ ପ୍ରଥମ ଥର ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଛି। ଏହା ପୂର୍ବରୁ ଶେଷ ଥର ସବୁଠାରୁ ଅଧିକ ତାପମାତ୍ରା ୩୯.୧ ଡିଗ୍ରୀ ସେଲ୍‌ସିୟସ ୨୦୧୯ରେ ରେକର୍ଡ କରାଯାଇଥିଲା।

ରିପୋର୍ଟ ମୁତାବକ, ଫ୍ରାନ୍ସ, ଇଟାଲୀ, ପର୍ତ୍ତୁଗାଲ, ସ୍ପେନ୍‌ ଓ ଗ୍ରୀସ୍‌ରେ ପ୍ରବଳ ଗରମ ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜଙ୍ଗଲରେ ନିଅାଁ କାବୁକୁ ଆସିପାରୁ ନାହିଁ। ଏହାଦ୍ୱାରା ଗରମ ଦିନକୁ ଦିନ ବଢ଼ି ଚାଲିଛି। ସପ୍ତାହ ଭିତରେ ସ୍ପେନ୍‌ ଓ ପର୍ତ୍ତୁଗାଲରେ ୧୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି।

ବ୍ରିଟେନରେ ପ୍ରବଳ ତାତି ଯୋଗୁ ରାସ୍ତା ଉପରେ ପିଚୁ ତରଳି ଯାଉଛି। ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ବେଳେ ଦେଶ ଏକ ପ୍ରକାର ଠିପ୍‌ ହୋଇପଡ଼ିଛି। ବ୍ରିଟେନର ଲିଙ୍କନଶାୟର ଏବଂ ହିଥ୍ରୋ ବିମାନବନ୍ଦରରେ ମଧ୍ୟ ମଙ୍ଗଳବାର ୪୦ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ୩୩ ଜାଗାରେ ତାପମାତ୍ରା ୩୮.୭ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି। ପାଣିପାଗ ବିଭାଗ ରାଜଧାନୀ ଲଣ୍ଡନ ସମେତ ମଧ୍ୟ, ଉତ୍ତର ଏବଂ ଦକ୍ଷିଣ-ପୂର୍ବ ଇଂଲଣ୍ଡର ଅଞ୍ଚଳଗୁଡ଼ିକରେ ହିଟ୍‌େଓ୍ଵଭ୍‌ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି।

wave
photo: al jazeera

ଲଣ୍ଡନର କିଛି ଜାଗାରେ ଟ୍ରେନ୍‌ ସର୍ଭିସ୍‌ ପ୍ରଭାବିତ ହୋଇଛି। ମିଡିଲ୍ୟାଣ୍ଡସ୍‌ ରେଲେଓ୍ଵ ଲୋକଙ୍କୁ ଯଥାସମ୍ଭବ ଘରେ ରହିବାକୁ ଅପିଲ କରିଛି। ସତର୍କ ଜାରି କରି କୁହାଯାଇଛି ଯେ ଅଧିକ ତାପମାତ୍ରା ବଢ଼ିଲେ ଟ୍ରେନର ଟ୍ରାକ୍‌ଗୁଡ଼ିକ ବି ପ୍ରସାରିତ କିମ୍ବା ବଙ୍କି ହୋଇ ଯାଇପାରେ। ଲଣ୍ଡନରେ ଟ୍ରେନ୍‌ଗୁଡ଼ିକ ୨୦୦ କିମି ପ୍ରତି ଘଣ୍ଟା ବେଗରେ ଦୌଡ଼ିଥାଏ। ଗତ ଦୁଇ ଦିନ ଭିତରେ ଏଠାରେ ହିଟ୍‌େଓ୍ଵଭରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସେପଟେ ଫାୟାର ବିଗ୍ରେଡ୍‌କୁ ଅନେକ ଜାଗାରେ ନିଅାଁ ଲାଗିବାର ସୂଚନା ମିଳିଛି। ପୂର୍ବ ଲଣ୍ଡନର ଭେନିଙ୍ଗ୍‌ଟନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନେକ ଘର ଜଳିପୋଡ଼ି ଛାରଖାର ହୋଇଯାଇଛି।

ସେହିପରି ସ୍ପେନ୍‌ରେ ହିଟ୍‌େଓ୍ଵଭରୁ ମୁକ୍ତି ମିଳିପାରୁ ନାହିଁ। ଏହି କାରଣରୁ ୩୬ଟି ଜାଗାରେ ଜଙ୍ଗଲରେ ନିଅାଁ କୁହୁଳୁଛି। ୭୦ ହଜାର ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି। ଏଥିଯୋଗୁ ପାଖାପାଖି ୧୩ ହଜାର ଲୋକଙ୍କୁ ଘର ଛାଡ଼ି ସୁରକ୍ଷିତ ଜାଗାକୁ ଯିବାକୁ ପଡ଼ିଛି। ଦକ୍ଷିଣ-ପଶ୍ଚିମ ସ୍ପେନ୍‌ରେ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ଉପରେ ଏବଂ ଦେଶର ବାକି ଭାଗରେ ତାପମାତ୍ରା ୪୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ସ୍ପେନ୍‌ରେ ଭୀଷଣ ଗରମ ଯୋଗୁ ୧୦ରୁ ୧୭ ଜୁଲାଇ ଭିତରେ ୬୭୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.