ମେଡିସିନ୍‌ ଆଣିବାକୁ ଯାଇଥିବା ବୃଦ୍ଧାଙ୍କୁ ଖିନ୍‌ଭିନ୍‌ କରି ଖାଇଗଲେ ବୁଲା କୁକୁର, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ହରିୟାଣା: ବୁଲା କୁକୁରଙ୍କ ଆକ୍ରମଣରେ ବୃଦ୍ଧା ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ। ଏଠାରେ ବୁଲା କୁକୁରମାନେ ଜଣେ ବୃଦ୍ଧାଙ୍କୁ କାମୁଡ଼ି କାମୁଡ଼ି କ୍ଷତବିକ୍ଷତ କରିବା ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧାଙ୍କ ବୟସ ପ୍ରାୟ ୭୦ ବର୍ଷ ହେବ ବୋଲି କୁହାଯାଉଛି।

ମୃତାଙ୍କ ପୁଅ ଦିଲବାଗ ସିଂହ ହରିୟାଣା ପୋଲିସରେ ଏଏସ୍‌ଆଇ ଭାବେ ନିଯୁକ୍ତ ହୋଇଥିବା ବେଳେ ହିସାରର ସେସନ୍‌ ଜଜ୍‌ଙ୍କ ଗନ୍‌ମ୍ୟାନ୍‌ଭାବେ କାର୍ଯ୍ୟରତ। ଦିଲବାଗ ସିଂହ କହିଛନ୍ତି, ଗାଁରେ ବୁଲା କୁକୁରମାନେ ଆତଙ୍କ ସୃଷ୍ଟି କରିଛନ୍ତି। ତାଙ୍କ ମା’ ମେଡିସିନ୍‌ ଷ୍ଟୋରକୁ କିଛି ଔଷଧ ଆଣିବାକୁ ଯିବା ବେଳେ ବୁଲା କୁକୁରମାନେ ତାଙ୍କୁ ଘେରିଯାଇଥିଲେ। ଅଧିକ ବୟସ ହୋଇଯାଇଥିବାରୁ ମା’ କିଛି କରିପାରିନଥିଲେ। ଫଳରେ କୁକୁରମାନେ ତାଙ୍କୁ ତଳେ ପକାଇ ହାତ, ଗୋଡ଼, ମୁହଁକୁ କାମୁଡ଼ି, ରାମ୍ପୁଡ଼ି ଖିନ୍‌ଭିନ୍‌ କରିପକାଇଥିଲେ।

ବୃଦ୍ଧାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। କୁକୁରଙ୍କୁ ଘଉଡ଼ାଇ ଲୋକେ ତୁରନ୍ତ ତାଙ୍କୁ ବରବାଲାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ ଅଗ୍ରୋହା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.