ମରାମତି ପରେ ପାକିସ୍ତାନରେ ଖୋଲିଲା ୧୨୬ ବର୍ଷ ପୁରୁଣା ଶିବ ମନ୍ଦିର, ଶ୍ରଦ୍ଧାଳୁମାନେ କରିପାରିବେ ପୂଜାର୍ଚ୍ଚନା

ପାକିସ୍ତାନରେ ମରାମତି ପରେ ପୁଣିଥରେ ଖୋଲିଲା ୧୨୬ ବର୍ଷ ପୁରୁଣା ଶିବମନ୍ଦିର। ଏବେ ଶ୍ରଦ୍ଧାଳୁମାନେ ବିନା କୌଣସି ପ୍ରତିବନ୍ଧକରେ ମନ୍ଦିରକୁ ଯାଇ ମହାଦେବଙ୍କୁ ଦର୍ଶନ କରିପାରିବେ। ମରାମତି ପରେ ଏବେ ଏହି ମନ୍ଦିରରେ ଆଉ କିଛି ଜାଗା ମଧ୍ୟ ଯୋଡ଼ି ଦିଆଯାଇଛି। ଫଳରେ ଶ୍ରଦ୍ଧାଳୁମାନେ ଠିକ୍‌ଭାବେ ହୋମ, ଯଜ୍ଞ କରିପାରିବେ। ଶୁକ୍ରବାର ଦିନ ପାକିସ୍ତାନର ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।

ଅଧିକାରୀ ଜଣକ କହିଛନ୍ତି, ଶିବ ମନ୍ଦିରକୁ ପ୍ରଶାସନର ମଞ୍ଜୁରୀ ପରେ ଏକ ସ୍ଥାନୀୟ ହିନ୍ଦୁ ସଂଗଠନକୁ ହସ୍ତାନ୍ତର କରାଯାଇଛି। ପାକିସ୍ତାନରେ ଅଳ୍ପସଂଖ୍ୟକ ଧାର୍ମିକସ୍ଥଳୀର ସୁରକ୍ଷା କରୁଥିବା ଏବେକ୍ୟୁଇ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ(ଇଟିବିପି) କହିଛି, ସେମାନେ ନିକଟରେ ଡଜନେରୁ ଊର୍ଦ୍ଧ୍ୱ ମନ୍ଦିରର ପୁନରୁଦ୍ଧାର କରିଛନ୍ତି।

ଇଟିବିପିର ପ୍ରବକ୍ତା ଅମୀର ହାସ୍‌ମୀ କହିଛନ୍ତି, ହାଇଦ୍ରାବାଦ ସ୍ଥିତ ୧୨୬ ବର୍ଷ ପୁରୁଣା ଶିବ ମନ୍ଦିର, ଯାହା ଗୋସ୍ୱାମୀ ପୁରୁଷୋତ୍ତମ ଘର ନିହାଲ ଘର ଭାବେ ପରିଚିତ, ତାହାକୁ ପୁନର୍ନିର୍ମିତ କରାଯାଇଛି। ମନ୍ଦିର ସହ ଆଉ କିଛି ସ୍ଥାନକୁ ବି ଯୋଡ଼ାଯାଇଛି। ଫଳରେ ହିନ୍ଦୁ ଲୋକମାନେ ଉତ୍ସବ ଓ ଅନୁଷ୍ଠାନ ଆୟୋଜନ କରିପାରିବେ। ହାସ୍‌ମୀ କହିଛନ୍ତି, ନିକଟରେ ପୁନର୍ନିର୍ମିତ କରାଯାଇଥିବା ଅନ୍ୟ ମନ୍ଦିର ମଧ୍ୟରେ ସିୟାଲକୋଟର ୧୦୦୦ ବର୍ଷ ପୁରୁଣା ଶାବଲା ତେଜା ମନ୍ଦିର ମଧ୍ୟ ସାମିଲ ଅଛି। ସେ କହିଛନ୍ତି, ପେଶାବରରେ ମନ୍ଦିରର ମରାମତି କାମ ଚାଲିଛି।

ସୂଚନାଯୋଗ୍ୟ ଯେ ପାକିସ୍ତାନରେ ଗତ କିଛି ମାସ ତଳେ କେତେକ ମନ୍ଦିରକୁ ଭଙ୍ଗାରୁଜା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ପାକିସ୍ତାନର ୨୦୧୭ର ସର୍ଭେ ମୁତାବକ, ଦେଶରେ ପ୍ରାୟ ୪୪ ଲକ୍ଷ ହିନ୍ଦୁ ବାସ କରୁଛନ୍ତି ଓ ଏହା ଦେଶର ସବୁଠାରୁ କମ୍‌ ସମ୍ପ୍ରଦାୟ। ଅନ୍ୟପଟେ କିଛି ସଂଗଠନ ଦାବି କରିଛନ୍ତି, ପାକିସ୍ତାନରେ ହିନ୍ଦୁଙ୍କ ସଂଖ୍ୟା ୮୦ ଲକ୍ଷରୁ ବି ଅଧିକ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.