୮ ବର୍ଷର କାଶ୍‌ବୀ; ଯିଏ ଦେବେ ଅଷ୍ଟମ ଶ୍ରେଣୀ ପରୀକ୍ଷା! ହାଇକୋର୍ଟ ଦେଲେ ଅନୁମତି…

ହିମାଚଳ ପ୍ରଦେଶ ପାଲମପୁର ସହରର କାଶ୍‌ବୀ, ଯାହାଙ୍କ ବୟସ ୮, ହେଲେ ବୁଦ୍ଧି ବିଚକ୍ଷଣ। ନିଜର ଏହି ବିଚକ୍ଷଣ ବୁଦ୍ଧି ଯୋଗୁ ସେ ଆଜି ୮ମ ଶ୍ରେଣୀ ପରୀକ୍ଷା ଦେବାକୁ ଯୋଗ୍ୟ ହୋଇଛନ୍ତି। ଏଥିପାଇଁ ହାଇକୋର୍ଟ ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ପାଲମପୁର ସହରର ଲୋହନା ଓ୍ଵାର୍ଡ ଅନ୍ତର୍ଗତ ହିମୁଡା କଲୋନୀରେ ରହୁନ୍ତି କାଶବୀ। ନିକଟରେ ସେ ତାଙ୍କର ପ୍ରତିଭା ପାଇଁ ୮ମ ଶ୍ରେଣୀ ପରୀକ୍ଷା ଦେବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ। କାଶବୀଙ୍କ ବାପାଙ୍କ ଏ ନେଇ ହାଇକୋର୍ଟରେ ଏକ ପିଟିସନ ଦାଖଲ ମଧ୍ୟ କରିଥିଲେ, ଯାହା ଉପରେ ହାଇକୋର୍ଟ ତାଙ୍କୁ ଅସ୍ଥାୟୀ ରୂପେ ୮ମ ଶ୍ରେଣୀ ପାଠ ପଢ଼ିବାକୁ ଅନୁମତି ଦେଇଛନ୍ତି।

କହି ରଖୁଛୁ, ପାଖାପାଖି ଦେଢ଼ ବର୍ଷ ହେବ କୋଭିଡ୍‌-୧୯ କାରଣରୁ ସ୍କୁଲରେ ନିୟମିତ ପାଠପଢ଼ା ହେଉ ନ ଥିଲା, ଯାହାର ଭରପୂର ଲାଭ ଉଠାଇଥିଲେ କାଶବୀ। ସେ ଏହି ଅବଧି ମଧ୍ୟରେ ଚତୁର୍ଥରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଘରେ ବସି ହିଁ ଶେଷ କରି ଦେଇଥିଲେ। ବାସ୍ତବରେ, କାଶ୍‌ବୀ ହେଉଛନ୍ତି ତୃତୀୟ ଶ୍ରେଣୀ ଛାତ୍ରୀ। ସେ ସ୍ଥାନୀୟ ରେନ୍‌ବୋ ସିନିୟର ସେକେଣ୍ଡାରୀ ସ୍କୁଲରେ ପାଠ ପଢ଼ନ୍ତି। ତାଙ୍କ ବାପା ସନ୍ତୋଷ କୁମାର ଅଧ୍ୟାପକ ହୋଇଥିବା ବେଳେ ମା’ ଗୃହିଣୀ। ତେବେ କୁହାଯାଉଛି ଯେ କାଶବୀଙ୍କ ମା’ ନିଜ ଝିଅର ବିଚକ୍ଷଣ ବୁଦ୍ଧିକୁ ପରଖି ତାଙ୍କୁ ପରବର୍ତ୍ତୀ ଶ୍ରେଣୀ ପାଇଁ ଜୋର୍‌ସୋରେ ପ୍ରସ୍ତୁତି କରାଇଥିଲେ। ଯଦିଓ ପରେ ବାପାଙ୍କ ରୁଚି ବି ଏଥିପ୍ରତି ବଢ଼ିଥିଲା। କିନ୍ତୁ କାଶବୀଙ୍କୁ ସମ୍ପୂର୍ଣ୍ଣ ଶିକ୍ଷା ଦେବାର ଦାୟିତ୍ୱ ମା’ଙ୍କ କାନ୍ଧ ଉପରେ ରହିଛି।

ବଡ଼ କଥା ହେଲା, କାଶବୀ ସ୍କୁଲରେ ମାତ୍ର ଗୋଟିଏ ବର୍ଷ ହିଁ ପାଠପଢ଼ି ପ୍ରଥମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପୂର୍ବରୁ ସେ ନର୍ସରୀ କି ଏଲ୍‌କେଜି ପାଠ ପଢ଼ି ନ ଥିଲେ। ସ୍କୁଲ ତରଫରୁ ତାଙ୍କୁ ଦ୍ୱିତୀୟ ଶ୍ରେଣୀକୁ ପ୍ରମୋଟ କରାଯାଇଥିଲା। ତୃତୀୟ ଶ୍ରେଣୀ ପାଠପଢ଼ା ସେ ନିଜ ସ୍ତରରେ ଜାରି ରଖିବା ସହିତ ପରବର୍ତ୍ତୀ ଶ୍ରେଣୀଗୁଡ଼ିକର ପାଠପଢ଼ା ଘରେ ହିଁ ପୂରା କରି ଦେଇଥିଲେ। ବର୍ତ୍ତମାନ ସେ ୮ମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

କାଶବୀଙ୍କ ମା’ଙ୍କ କହିବା ହେଲା, ଝିଅର ପାଠପଢ଼ା ସହିତ ସଙ୍ଗୀତ ଓ ଖେଳରେ ମଧ୍ୟ ରୁଚି ରହିଛି। ଝିଅ ଦୁଇ ମାସ ଭିତରେ ହିଁ ତୃତୀୟ ଶ୍ରେଣୀର ପୂରା ପାଠ୍ୟକ୍ରମ ସମାପ୍ତ କରି ଅଭିଭାବକଙ୍କୁ ଶୁଣାଇ ଦେଇଥିଲା। କାଶବୀ ତାଙ୍କର ଏକମାତ୍ର ଝିଅ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.