ରାକ୍ଷୀ ବାନ୍ଧି ଯିବା ହେଲା କାଳ, ରାସ୍ତାରେ ଯାଉଥିବା ବେଳେ କଟିଲା ଯୁବକଙ୍କ ବେକ

ରାସ୍ତାରେ ଯାଉଥିବା ବେଳେ ସାବଧାନ ! ମୃତ୍ୟୁ କେବେ, କେତେବେଳେ, କେଉଁଠି ଅପେକ୍ଷା କରିଥାଏ, ତାହା ସମସ୍ତଙ୍କୁ ଅଜଣା। ଏପରି ଏକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି ଜଣେ ସିଭିଲ ଇଂଜିନିୟର। ଦୁଇ ଭଉଣୀ ସହିତ ସ୍କୁଟିରେ ଯାଉଥିବା ସମୟରେ ବେକରେ ଗୁଡି ସୂତା ଲାଗିଯିବାରୁ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ଚାଇନିଜ୍‌ ମାଞ୍ଜା ଲାଗିଥିବା ଗୁଡ଼ି ସୂତାରେ ତାଙ୍କ ବେକ କଟିଯାଇଥିଲା ।

ଘଟଣା ମୁତାବକ, ଦିଲ୍ଲୀର ପଶ୍ଚିମ ବିହାର ଇଷ୍ଟ ଥାନା ଅନ୍ତର୍ଗତ ରୋହିଣୀ ବିହାରର ମାନବ ଶର୍ମା (୨୨) ନାମକ ଜଣେ ଯୁବକ ନିଜ ଦୁଇ ଭଉଣୀ ସହିତ ରାକ୍ଷୀ ବାନ୍ଧିବା ପାଇଁ ହରିନଗରରେ ଥିବା ମାଉସୀ ଘରକୁ ଯାଉଥିବା ବେଳେ ଏପରି ଦୁର୍ଘଟଣାର ଶିକାର ହୋଇଛନ୍ତି। ଗୁରୁବାର ଦିନ ପ୍ରାୟ ଦିନ ୧ଟା ବେଳେ ମାନବ ପଶ୍ଚିମ ବିହାର ସ୍ଥିତ ଫ୍ଲାଏ ଓଭରରେ ଯାଉଥିବା ବେଳେ ଏକ ଗୁଡି ସୂତାରେ ତାଙ୍କ ବେକ କଟିଯାଇଥିଲା। କିଛି ବାଟ ଗଲା ପରେ ମାନବ ଚେତାଶୂନ୍ୟ ହୋଇ ରାସ୍ତାରେ ପଡିଯାଇଥିଲେ। ଦୁଇ ଭଉଣୀ ହଠାତ୍‌ କ’ଣ ହେଲା କିଛି ବୁଝି ପାରିନଥିଲେ। ସ୍କୁଟିରୁ ସମେସ୍ତ ପଡିଯିବା ପରେ ଭଉଣୀ ଦୁହେଁ ଭାଇର ବେକ କଟି ଯାଇଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ ଲୋକଙ୍କ ସାହାଯ୍ୟରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଉକ୍ତ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସୂଚନାଯୋଗ୍ୟ, ମାନବଙ୍କ ପିତାଙ୍କ ମୃତ୍ୟୁ ଗତ କିଛି ଦିନ ତଳେ ହୋଇଥିଲା। ମାନବ ଘରର ଏକମାତ୍ର ପୁତ୍ର ହୋଇଥିବା ଯୋଗୁଁ ତାଙ୍କ ଉପରେ ଦୁଇ ଭଉଣୀଙ୍କ ଦାୟିତ୍ୱ ମଧ୍ୟ ରହିଥିଲା। ସେହିପରି ଅନ୍ୟ ଏକ ମାମଲାରେ ଫ୍ଲାଏଓଭର ନିକଟରେ ଅନ୍ୟ ଜଣେ ବୃଦ୍ଧଙ୍କ ମୁହଁରେ ଗୁଡି ସୂତା ଲାଗିବା ଫଳରେ ତାଙ୍କ ମୁହଁ ସମ୍ପୂର୍ଣ୍ଣ ଭାବେ କଟିଯାଇଛି। ଉକ୍ତ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୋଲିସ ଏହି ସୂତା ବିକୁଥିବା ୧୭ ଜଣ ଦୋକାନୀଙ୍କୁ ସରକାରୀ ଆଦେଶ ଅବମାନନା କରିବା ଯୋଗୁଁ ଏମାନଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.