ଗୁଜରାଟ: ଯଶସ୍ବୀ କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୫ ମୃତ ୩୨ ଆହତ

ସୁରାଟ: ଗୁଜରାଟର ଭରୁଚ ଜିଲ୍ଲାର ଦହେଜ ଇଣ୍ଡଷ୍ଟ୍ରୀଆଲ ଅଞ୍ଚଳରେ ଥିବା ଯଶସ୍ବୀ କେମିକାଲ ପ୍ରାଇଭେଟ୍ ଲିମିଟେଡରେ ଫ୍ୟାକ୍ଟ୍ରିରେ ଘଟିଛି ଭୟଙ୍କର ବିସ୍ଫୋରଣ। କମ୍ପାନୀର ଷ୍ଟୋରେଜ୍ ଏରିଆରେ ମଧ୍ୟାହ୍ନ ୧୨ଟା ବେଳେ ନିଆଁ ଲାଗିଯାଇଥିଲା। ଏହି ବିସ୍ଫୋରଣରେ ଚାଲିଯାଇଛି ୫ ଜଣଙ୍କର ଜୀବନ। ଆହତ ହୋଇଛନ୍ତି ୩୨ ଜଣ। ଏହି ଏକ କୀଟନାଶକ ଫ୍ୟାକ୍ଟ୍ରି ଥିଲା। ନିଆଁ ଲାଗିବା ପରେ ପ୍ରାୟ ୧୫ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ। ସେମାନଙ୍କ ଚେଷ୍ଟାରେ ଅପରାହ୍ନ ୪ଟା ବେଳକୁ ନିଆଁ ଲିଭିଥିଲା। କିନ୍ତୁ ସେତେବେଳକୁ ୫ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। ସୁରଟ ପୋଲିସ ଏହି ଦୁର୍ଘଟଣାର ତଦନ୍ତ ଜାରି ରହିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା ବିସ୍ଫୋରଣର ଶବ୍ଦ ପ୍ରାୟ ୨୦ କିଲୋମିଟର ଯାଏଁ ଶୁଣାଯାଇଥିଲା। ବିସ୍ଫୋରଣ ପରେ ନିଆଁ ଲାଗିବାରୁ କାରଖାନାରୁ ପ୍ରବଳ ଧୂଆଁ ଉଠିଥିଲା। ଏହି ଧୂଆଁ ମଧ୍ୟ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଇଥିଲା। ବିସ୍ଫୋରଣ ଓ ନିଆଁରୁ ପାଖଆଖର ଅନ୍ୟ କାରଖାନାକୁ ନିରପଦ ରଖିବା ପାଇଁ ସଙ୍ଗେସଙ୍ଗେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ଓ କାରଖାନାଗୁଡ଼ିକ ବନ୍ଦ କରିଦିଆଯାଇଥିଲା।