ଦିଲ୍ଲୀରେ ଥିଲା ଏବେ ପଞ୍ଜାବରେ ଇତିହାସ ରଚିଲା ଆମ୍‌ ଆଦମୀ ପାର୍ଟି

କେନ୍ୟୁଜ୍(ବ୍ୟୁରୋ):  ଆପର ବଢିଲା ଦବଦବା। ପଞ୍ଜାବରେ ଇତିହାସ ରଚିଲା ଆମ୍‌ ଆଦମୀ ପାର୍ଟି। ଦିଲ୍ଲୀରେ ଥିଲା ସରକାର। ଏବେ ଆଉ ଗୋଟିଏ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି ଆପ୍। କଂଗ୍ରେସକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବାକୁ ଯାଉଛି ଆପ୍‌। ରାଜ୍ୟରେ ୧୧୭ ଆସନରୁ ୯୦ଟିରେ ଆଗରେ ରହିଛି ଦଳ। ୨୦୧୭ ନିର୍ବାଚନରେ ଆପ୍‌ ୨୦ ଆସନ ଜିତିଥିଲା।

ଏ ସଂଖ୍ୟା ଏବେ ୯୦ରେ ପହଞ୍ଚିଛି। ଆପ୍‌ର ଝାଡୁ ଆଗରେ ପୋଛି ହୋଇଯାଇଛି କଂଗ୍ରେସ। ଅକାଳୀ ଦଳ ବି ଉଧେଇ ପାରି ନାହିଁ। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ହୁଅନ୍ତି କି ବାଦଲ ପରିବାର ସଦସ୍ୟ ସମସ୍ତେ ପଛରେ ରହିଯାଇଛନ୍ତି। ପ୍ରଥମ ଥର ଲାଗି ପଞ୍ଜାବରେ ସରକାର ଗଢିବାକୁ ଯାଉଛି ଅରବିନ୍ଦ କେଜ୍ରିୱାଲଙ୍କ ଆମ୍‌ ଆଦମୀ ପାର୍ଟି ।