Below header

ହସ୍ପିଟାଲରେ ଅଭିନନ୍ଦନ : ପାକିସ୍ତାନରେ ଶାରିରୀକ ନୁହେଁ ଅକଥନୀୟ ମାନସିକ ନିର‌୍ୟାତନା ମିଳିଥିଲା କହିଲେ ୱିଙ୍ଗ କମାଣ୍ଡର

ବାୟୁସେନା ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଦେଇଥିଲା ବହୁ ମାନସିକ ନିର‌୍ୟାତନା। କିନ୍ତୁ ଶାରିରୀକ ନିର‌୍ୟାତନା ମିଳି ନଥିଲା। ସ୍ୱଦେଶ ଫେରିବା ପରେ ଏକଥା କହିଛନ୍ତି ଅଭିନନ୍ଦନ। ବର୍ତ୍ତମାନ ଦିଲ୍ଲୀରେ ଆର୍ମିର ରିସର୍ଚ୍ଚ ଏଣ୍ଡ ରେଫେରାଲ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଆଜି ତାଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ସମ୍ପୂର୍ଣ୍ଣ ସୁସ୍ଥ ଓ ସ୍ୱାଭାବିକ ସ୍ଥିତି ଫେରିବା ପରେ ଅଭିନନ୍ଦନଙ୍କ ସହ ଆଲୋଚନା କରିବେ ବାୟୁସେନା ଅଧିକାରୀ। ସମ୍ପୂର୍ଣ୍ଣ ଘଟଣାର ଅନୁଧ୍ୟାନ କରୁଛି ବାୟୁସେନା।

ସ୍ୱଦେଶ ଫେରିଛନ୍ତି ସାହସୀ ପୁଅ ଅଭିନନ୍ଦନ ବର୍ତ୍ତମାନ। ଦୁଇ ଦିନ ପାକିସ୍ତାନ କବଜାରେ ରହିବା ପରେ ଗତକାଲି ଓ୍ଵିଙ୍ଗ କମାଣ୍ଡରଙ୍କୁ ଭାରତକୁ ହସ୍ତାନ୍ତର କରିଥିଲା ପାକିସ୍ତାନ। ଓ୍ଵାଘା-ଅଟ୍ଟାରୀ ବୋର୍ଡର ଦେଇ ଭାରତ ମାଟିରେ ପାଦ ଥାପିବା ପରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କୁ ନିଆଯାଇଥିଲା ଦିଲ୍ଲୀ। ପାଲମ୍ ଏୟାରପୋର୍ଟରେ ପରିବାର ଲୋକଙ୍କୁ ପ୍ରଥମେ ଭେଟିଥିଲେ ଅଭିନନ୍ଦନ। ସେଠାରୁ ମେଡିକାଲ୍ ଯାଞ୍ଚ ପାଇଁ ତାଙ୍କୁ ନିଆଯାଇଥିଲା ସେନାର ଆର୍. ଆର୍. ହସ୍ପିଟାଲ୍। ତାଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ।

abhinandan

ବର୍ତ୍ତମାନ ବିଶେଷଜ୍ଞ ଡାକ୍ତରୀ ଟିମ୍ ଅଭିନନ୍ଦନଙ୍କ ଚିକିତ୍ସାରେ ଲାଗିଛନ୍ତି। କିଛି ଦିନ ଡାକ୍ତରଙ୍କ ସ୍ୱତନ୍ତ୍ର ତତ୍ତ୍ୱାବଧାନରେ ସେ ରହିବେ। ମିଗ୍-୨୧ ବିମାନ ଦୁର୍ଘଟଣା ପରେ ପାରାଚୁଟରେ ପାକ୍ ଅଧିକୃତ କାଶ୍ମୀରରେ ଓହ୍ଲାଇଥିଲେ ଅଭିନନ୍ଦନ। ପାକିସ୍ତାନ ସେନାକୁ ହସ୍ତାନ୍ତର ପରେ ସେ ଶାରୀରିକ ଓ ମାନସିକ ସ୍ତରରେ ନିର‌୍ୟାତନାର ଶିକାର ହୋଇଥିବେ। ବର୍ତ୍ତମାନ ଅଭିନନ୍ଦନଙ୍କ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଗୁରୁତ୍ୱ ଦେଉଛି ବାୟୁସେନା। ପୁଣି ଥରେ ଯୁଦ୍ଧ ବିମାନ ଚଳାଇବାକୁ ସେ ମାନସିକ ଓ ଶାରୀରିକ ଭାବରେ ଫିଟ୍ କି ନୁହଁ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଣାପଡ଼ିବ। ଅଭିନନ୍ଦନଙ୍କୁ କୌଣସି ପ୍ରକାର ଡ୍ରଗ୍ସ ଦିଆଯାଇଥିଲା କି? ତାଙ୍କ ଶରୀରର ପାକ୍ ସେନା କିମ୍ବା ଆଇଏସଆଇ ଚିପ୍ କିମ୍ବା ଅନ୍ୟ କୌଣସି ଜିନିଷ ଲଗାଇଛନ୍ତି କି ? ଏମିତି ଅନେକ ଦିଗର ବି ଯାଞ୍ଚ କରାଯାଉଛି। ମନସ୍ତତ୍ତ୍ୱବିତ୍ ବି ଅନୁଧ୍ୟାନ କରି ପାରନ୍ତି।

ଅଭିନନନ୍ଦନ ଆଜି ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ବି. ଏସ୍. ଧନଓ୍ଵାଙ୍କ ଭେଟିଥିଲେ। ପାକିସ୍ତାନରେ ଅଟକ ସମ୍ପର୍କରେ କହିଥିଲେ ଅଭିନନ୍ଦନ। ସେପଟେ ଅଭିନନ୍ଦନଙ୍କୁ ଭାରତ ହସ୍ତାନ୍ତର କରିବାରେ ଅହେତୁକ ବିଳମ୍ବ ନେଇ ଅନେକ ପ୍ରଶ୍ନ ଉଠିଛି। ତାଙ୍କୁ ଛାଡ଼ିବା ପୂର୍ବରୁ ବି ତାଙ୍କୁ ନିର‌୍ୟାତନା ଦେଇଥିବା ଅଭିଯୋଗ ହେଉଛି। କୁହାଯାଉଛି, ପାକିସ୍ତାନ ସେନା କ୍ୟାମେରା ସାମନାରେ ତାଙ୍କର ବୟାନ ରେକର୍ଡ କରିଥିଲା। ତାର ଭିଡିଓ ବି ପ୍ରସ୍ତୁତ କରିଥିଲା। ଅଭିନନ୍ଦନଙ୍କୁ ଛାଡ଼ିବାର କିଛି ସମୟରେ ପରେ ଭାଇରାଲ୍ ହୋଇଥିଲା ସେହି ଭିଡିଓ। ଯେଉଁଥିରେ ଅନେକ ଏଡ଼ିଟ୍ ହୋଇଥିଲା।

ଅଭିନନ୍ଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପରେ ବାୟୁସେନାର ବରିଷ୍ଠ ଅଧିକାରୀ ବି ତାଙ୍କ ସହ ଆଲୋଚନା କରିବେ। ପାକିସ୍ତାନରେ ରହଣି ବେଳେ କେମିତି ବ୍ୟବହାର କରିଥିଲା ପାକିସ୍ତାନ? ପାକ୍ ସେନା ଓ ଆଏସଆଇ ଶାରୀରିକ କିମ୍ବା ମାନସିକ ନିର‌୍ୟାତନା ଦେଉଥିଲେ କି ? କ’ଣ ସବୁ ପଚାରିଥିଲେ? ଭାରତୀୟ ସେନା ବାବଦରେ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିଥିଲେ କି? କଥାବାର୍ତ୍ତାର କିଛି ଭିଡିଓ କରିଛି କି ପାକିସ୍ତାନ ସେନା? ଚିକିତ୍ସା ଓ ଖାଇବା ପିଇବାରେ ବିଶେଷ ଧ୍ୟାନ ଦିଆଯାଇଥିଲା କି ନାହିଁ? ସମସ୍ତ ପ୍ରକ୍ରିୟା ସରିବା ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.