ଅଖିଳେଶ ଯାଦବଙ୍କ କାରକେଡ୍ ଦୁର୍ଘଟଣାର ସମ୍ମୁଖୀନ; ପଛକୁ ପଛ ଧକ୍କା ହୋଇଗଲେ ୪ କାର୍, ଅନେକ ଆହତ
ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ପୂର୍ବତନ ସିଏମ୍ ଅଖିଳେଶ ଯାଦବଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ୟୁପିର ହରଦୋଇରେ ତାଙ୍କ କାର୍କେଡ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ୪ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏଥି ସହିତ ଅନେକ ଜଣ ଆହତ ହୋଇଥିବା ଖବର ରହିଛି। ସୂଚନା ମୁତାବକ, ଅଖିଳେଶ ଯାଦବ ଏଠାରେ ହରପାଲପୁରର ବୈଠାପୁରରେ ଏକ ବିବାହ ସମାରୋହରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ମଲ୍ଲାଓ୍ଵା ବିଲଗ୍ରାମ ରୋଡ୍ର ଖେମିପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ଦୁର୍ଘଟଣା ପରର କିଛି ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି। ଏଥିରେ ପଛକୁ ପଛ ୪ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳୁଛି। ଗାଡ଼ିଗୁଡ଼ିକ ଆଖପାଖରେ ଲୋକେ ଜମା ହୋଇଛନ୍ତି। ସେଠାରେ ଆମ୍ବୁଲାନ୍ସ ମଧ୍ୟ ରହିଛି।
ସୂଚନା ମୁତାବକ, ଗାଡ଼ିଗୁଡ଼ିକ ପଛକୁ ପଛ ଯାଉଥିବା ବେଳେ ରାସ୍ତା ଉପରେ ହଠାତ୍ କିଛି ଗୋଟେ ଆସିଯାଇଥିଲା। ଏହି କାରଣରୁ ଏକ ଗାଡ଼ି ବ୍ରେକ୍ ମାରିବାରୁ ପଛରେ ଥିବା ଅନ୍ୟ ଗାଡ଼ିଗୁଡ଼ିକ ପରସ୍ପର ସହିତ ପିଟି ହୋଇ ଯାଇଥିଲେ। ଯଦିଓ ଅଖିଳେଶଙ୍କ ଗାଡ଼ିକୁ ଏହି ଦୁର୍ଘଟଣାରେ କୌଣସି କ୍ଷତି ପହଞ୍ଚି ନାହିଁ। ତାଙ୍କ ପଛରେ ଥିବା ଗାଡ଼ିଗୁଡ଼ିକ ପରସ୍ପର ସହ ଧକ୍କା ହୋଇଥିଲେ।
ଅଖିଳେଶ ଯାଦବଙ୍କର ଏହି ଏକଦିବସୀୟ ହରଦୋଇ ଗସ୍ତ ପୂର୍ବରୁ ହିଁ ସ୍ଥିର ହୋଇଥିଲା। ସେ ସକାଳ ୧୧ଟାରେ ଲକ୍ଷ୍ନୌରୁ ହରଦୋଇ ପାଇଁ ବାହାରିଥିଲେ। ଅପରାହ୍ନ ୪ଟା ୩୦ ସୁଦ୍ଧା ତାଙ୍କୁ ଲକ୍ଷ୍ନୌରେ ପହଞ୍ଚିବାର ଥିଲା। ତେବେ ଏହା ପୂର୍ବରୁ ଗୁରୁବାର ଅଖିଳେଶ ଯାଦବଙ୍କର ମୁରାଦାବାଦ ଗସ୍ତ ଚର୍ଚ୍ଚାରେ ରହିଥିଲା। ସମାଜବାଦୀ ପାର୍ଟି ଅଭିଯୋଗ ଆଣିଥିଲା ଯେ ଚାପର ବଶବର୍ତ୍ତୀ ହୋଇ କମିଶନର ଓ ଡିଏମ୍ ମୁରାଦାବାଦରେ ଅଖିଳେଶଙ୍କ ବିମାନକୁ ଲ୍ୟାଣ୍ଡ ହେବାକୁ ଅନୁମତି ଦେଇ ନ ଥିଲେ।