ଯୁଦ୍ଧକୁ ୧୪ ମାସ ପୂରିଲାଣି, ୟୁକ୍ରେନକୁ ହରାଇ ପାରୁନି ଶକ୍ତିଶାଳୀ ରୁଷ
ଯୁଦ୍ଧକୁ ୧୪ ମାସ ପୂରିଲାଣି। ୟୁକ୍ରେନକୁ ହରାଇ ପାରୁନି ଶକ୍ତିଶାଳୀ ରୁଷ। ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ରରେ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି ୟୁକ୍ରେନ। ରୁଷର ଅସ୍ତ୍ରଭଣ୍ଡାର ଖାଲି ହେବାରେ ଲାଗିଛି। ଏତିକି ବେଳେ ମସ୍କୋକୁ ସେନା ବିଦ୍ରୋହ ଆଶଂକା ଘାରିଛି। ପୁଟିନଙ୍କୁ ସାବଧାନ କରି ଦେଇଛନ୍ତି ରୁଷର ପୁରୁଣା କମାଣ୍ଡର । ସେପଟେ ରୁଷ ଉପରେ ପ୍ରତିଆକ୍ରମଣ ପାଇଁ ବ୍ୟୂହ ରଚନା ଶେଷ ହୋଇଥିବା କହିଛି ୟୁକ୍ରେନ।
ନୂଆଦିଲ୍ଲୀ : ଯୁଦ୍ଧକୁ ୧୪ ମାସ ପୂରିଲାଣି। ୟୁକ୍ରେନକୁ ହରାଇ ପାରୁନି ଶକ୍ତିଶାଳୀ ରୁଷ। ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ରରେ ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି ୟୁକ୍ରେନ। ରୁଷର ଅସ୍ତ୍ରଭଣ୍ଡାର ଖାଲି ହେବାରେ ଲାଗିଛି। ଏତିକି ବେଳେ ମସ୍କୋକୁ ସେନା ବିଦ୍ରୋହ ଆଶଂକା ଘାରିଛି। ପୁଟିନଙ୍କୁ ସାବଧାନ କରି ଦେଇଛନ୍ତି ରୁଷର ପୁରୁଣା କମାଣ୍ଡର । ସେପଟେ ରୁଷ ଉପରେ ପ୍ରତିଆକ୍ରମଣ ପାଇଁ ବ୍ୟୂହ ରଚନା ଶେଷ ହୋଇଥିବା କହିଛି ୟୁକ୍ରେନ।
ରୁଷରେ ସାମରିକ ବିଦ୍ରୋହ ଆଶଂକା। ପୁଟିନଙ୍କୁ ସତର୍କ କଲେ ରୁଷର ପୂର୍ବତନ କମାଣ୍ଡର ଆଇଗୋର ଗିରକିନ୍। ବିଦ୍ରୋହ କରିପାରେ ଓ୍ଵାଗନର ଗ୍ରୁପ। ଓ୍ଵାଗନର ଗ୍ରୁପ ନେତା ୟେଭଜେନି ପ୍ରିଗୋଝିନ ଧମକ ଦେଇଛନ୍ତି, ବାଖମୁତରୁ ସୈନ୍ୟ ପ୍ରତ୍ୟାହାର କରିନେବେ। ଏକ ଟେଲିଗ୍ରାମ ପୋଷ୍ଟରେ ଗିରକିନ ଲେଖିଛନ୍ତି ହାଇ କମାଣ୍ଡଙ୍କ ବିନା ପରାମର୍ଶରେ ସୈନ୍ୟ ପ୍ରତ୍ୟାହାର ସାମରିକ ବିଦ୍ରୋହ ବ୍ୟତୀତ ଅନ୍ୟ କିଛି ନୁହେଁ। ରୁଷ ସେନାର ବାଖମୁତ ନିୟନ୍ତ୍ରଣରେ ବଡ଼ ଭୂମିକା ନେଇଛି ଓ୍ଵାଗନର ଗ୍ରୁପ।
ତଥାପି ଓ୍ଵାଗନର ଗ୍ରୁପକୁ ଅସ୍ତ୍ରଶସ୍ତ୍ର ଏବଂ ଯଥେଷ୍ଟ ସହାୟତା ଦେଉନି ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ। ଶୁକ୍ରବାର ସୁଦ୍ଧା ଏହାର ସମାଧାନ ନହେଲେ ବାଖମୁତ ପୋଜିସନ ଛାଡ଼ିବେ ବୋଲି ଚେତାବନୀ ଦେଇଥିଲେ ଓ୍ଵାଗନର କମାଣ୍ଡର। ତେବେ ସୈନ୍ୟ ପ୍ରତ୍ୟାହାର ଧମକ ଦେଇ ରୁଷ ସାମରିକ ନେତୃତ୍ୱକୁ ପ୍ରିଗୋଝିନ ଖୋଲାଖୋଲି ବ୍ଲାକମେଲ କରିଥିବା କହିଛନ୍ତି ଆଇଗୋର ଗିରକିନ।
ଓ୍ଵାଗନର ଗ୍ରୁପ ଯୁଦ୍ଧରୁ ଓହରିଲେ କଣ ହେବ ସ୍ଥିତି ? ରୁଷ ପାଇଁ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ । ଏକଥା ଓ୍ଵାଗନର କମାଣ୍ଡରଙ୍କୁ ଜଣା । ଆଗକୁ ରୁଷ ଉପରେ ବଡ଼ ହମଲ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି ୟୁକ୍ରେନ। ଯୋଜନାକୁ ରୂପ ଦେବା ପାଇଁ ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ୟୁକ୍ରେନକୁ ଟ୍ୟାଙ୍କ, ଆର୍ଟିଲାରୀ ସମେତ ବିପୁଳ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି । ପ୍ରତିଆକ୍ରମଣ ପାଇଁ ୟୁକ୍ରେନ ପ୍ରସ୍ତୁତି କରୁଥିବା ବେଳେ ରୁଷ ସାମରିକ ବିଦ୍ରୋହର ସାମ୍ନା କରିବାକୁ ଯାଉଛି। ଏତିକି ବେଳେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କୁ ଚିଠି ଲେଖି ସେନା ପ୍ରତ୍ୟାହାର ଚେତାବନୀ ଦେଇଛନ୍ତି ପ୍ରିଗୋଝିନ। ପୁଟିନ ପ୍ରଶାସନ ଆବଶ୍ୟକ ସମର୍ଥନ ଦେଉନଥିବାରୁ ବହୁ ସଂଖ୍ୟାରେ ଓ୍ଵାଗନର ସୈନ୍ୟ ମୃତ୍ୟୁମୁଖରେ ପଡ଼ୁଥିବା କହିଛନ୍ତି ପ୍ରିଗୋଝିନ।
ରୁଷ ଉପରେ ପ୍ରତିଆକ୍ରମଣ ପାଇଁ ବ୍ୟୂହ ରଚନା ଶେଷ କରିଛି ୟୁକ୍ରେନ। ଯେ କୌଣସି ସମୟରେ ଯୋଜନାକୁ ରୂପ ଦିଆଯାଇପାରେ। ସମ୍ଭବତଃ ଦକ୍ଷିଣରେ ବଡ଼ ଆକ୍ରମଣ ହୋଇପାରେ। ୟୁକ୍ରେନ ସେନା କହିଛି, ଯୁଦ୍ଧର ଏହା ଗୁରୁତ୍ୱପୂର୍ଣ୍ଣ ସମୟ ହେବ। ତେବେ ପ୍ରତିଆକ୍ରମଣକୁ ପ୍ରତିହତ କରିବା ପାଇଁ ରୁଷ ମଧ୍ୟ ବିଶାଳ ପ୍ରସ୍ତୁତି କରିଛି। ବୟାନ କରୁଛି ସାଟେଲାଇଟ୍ ଚିତ୍ର । ଫ୍ରଣ୍ଟଲାଇନରେ ୩୦ କିଲୋମିଟର ଲମ୍ବର ଆଣ୍ଟି ଟ୍ୟାଙ୍କ ଖାତ ଖୋଳିଛି ରୁଷ। ଫଳରେ ଅଗାକୁ ବଢ଼ି ପାରିବନି ୟୁକ୍ରେନ ସେନା। ରୁଷ ଉପରେ ହମଲା ପାଇଁ ବ୍ୟୂହ ରଚନା ହେଉଥିବା କିଛି ଦିନ ତଳେ ଘୋଷଣା କରିଥିଲେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରୀ।