କର୍ଣ୍ଣାଟକ ଉପନିର୍ବାଚନ ଫଳାଫଳ ପରେ ଜୋସରେ ବିରୋଧୀ , ମୋଦୀ ବିରୋଧୀ ମହାମେଣ୍ଟ ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ଉଦ୍ୟମ ଜାରି

କର୍ଣ୍ଣାଟକ : ଉପନିର୍ବାଚନରେ ବିଜେପିର ବିପର୍ଯ୍ୟୟ ବିରୋଧୀଙ୍କୁ କରିଛି ଅଧିକ ଉତ୍ସାହିତ । ଉପନିର୍ବାଚନ ଫଳାଫଳ ଏନ୍ଡିଏ ବିରୋଧରେ ଲୋକଙ୍କ ମୁଡ୍ କଥା କହୁଥିବା ବିରୋଧୀ କହିଲେଣି । ଏପରିସ୍ଥିତିରେ ମୋଦୀ ସରକାର ବିରୋଧରେ ମହାମେଣ୍ଟ ଗଠନ ପାଇଁ ଉଦ୍ୟମକୁ ଜୋର କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଆଜି ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବଗୌଡାଙ୍କୁ ଭେଟିଛନ୍ତି । ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ଏନ୍ଡିଏ ବିରୋଧରେ ହାମେଣ୍ଟ ଗଠନ ନେଇ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଛିି।
ଦେଶ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଅଭିଯାନ ଚଳାଇଛନ୍ତି ଚନ୍ଦ୍ରବାବୁ ନାଇଡୁ। ମହାମେଣ୍ଟ ନେଇ ସେ ଡିଏମ୍କେ ନେତା ଏମ୍.କେ. ଷ୍ଟାଲିନଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ଏହାପରେ ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କୁ ଭେଟିବେ ବୋଲି ଜଣାପଡିଛି। ଦେଶରେ ଯେତେବେଳେ ଏନଡିଏ ଶାସନର ପତନ ଘଟିବ ସେତେବେଳେ ପ୍ରକୃତ ଦୀପାବଳି ପାଳନ ହେବ ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ।
ପୂର୍ବରୁ ୨ ସପ୍ତାହ ତଳେ ଚନ୍ଦ୍ରବାବୁ ନାଇଡୁ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଏନ୍ସିପି ସୁପ୍ରିମୋ ଶରଦ ପାୱାର, ନ୍ୟାସନାଲ କନ୍ଫରେନ୍ସ ନେତା ଫାରୁକ ଅବଦୁଲା, ସମାଜବାଦୀ ପାର୍ଟି ନେତା ମୁଲାାମ ସିଂହଯାଦବ, ଆପ୍ ନେତା ଅରବିନ୍ଦ କେଜିରୱାଲ, ଲୋକ ତାନ୍ତ୍ରିକ ଜନତାଦଲ ନେତା ଶରଦ ଯାଦବ ପ୍ରମୁଖଙ୍କୁ ଭେଟି ୨୦୧୯ରେ ମହାମେଣ୍ଟ ଗଠନ ନେଇ ଆଲୋଚନା କରିଥିଲେ ।