ଲଣ୍ଡନ ଯାଉଥିବା ବିମାନ ଭିତରେ ଯାତ୍ରୀଙ୍କ ହଙ୍ଗାମା, ଦିଲ୍ଲୀ ଫେରି ଆସିଲା Air India

ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ହଙ୍ଗାମା ସୃଷ୍ଟି କରିଛନ୍ତି। ବିମାନ ଭିତରେ ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ ଶେଷରେ ବିମାନକୁ ଦିଲ୍ଲୀ ଫେରିଯିବାକୁ ପଡ଼ିଥିଲା।

ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ହଙ୍ଗାମା ସୃଷ୍ଟି କରିଛନ୍ତି। ବିମାନ ଭିତରେ ଉତ୍ତେଜନା ଏତେ ବଢ଼ିଯାଇଥିଲା ଯେ ଶେଷରେ ବିମାନକୁ ଦିଲ୍ଲୀ ଫେରିଯିବାକୁ ପଡ଼ିଥିଲା। ଦିଲ୍ଲୀ ବିମାନବନ୍ଦରରେ ଏୟାରଲାଇନ୍ସ ତରଫରୁ ଏ ନେଇ ପୋଲିସରେ ଅଭିଯୋଗ କରାଯାଇଛି। ଏହି ଘଟଣାରେ ହଙ୍ଗାମା ସୃଷ୍ଟିକାରୀ ଯାତ୍ରୀଙ୍କୁ ପୋଲିସ ଗିରଫ କରିଛି।

ଏୟାର ଇଣ୍ଡିଆ ବିମାନ ସୋମବାର ସକାଳ ୬ଟା ୩୫ରେ ଦିଲ୍ଲୀରୁ ଲଣ୍ଡନ ପାଇଁ ଉଡ଼ାଣ ଭରିଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ଜଣେ ଯାତ୍ରୀ ବିମାନରେ ମାରପିଟ ଆରମ୍ଭ କରିଦେଇଥିଲେ। କ୍ରୁ ମେମ୍ବରଙ୍କ ସହିତ ବି ସେ ମାରପିଟ କରିଥିଲେ। ଏଥିରେ ଦୁଇ ଜଣ ସଦସ୍ୟ ଆହତ ହୋଇଛନ୍ତି। ଯାତ୍ରୀଙ୍କୁ ନିୟନ୍ତ୍ରଣ ବାହାରେ ଦେଖି ପାଇଲଟ୍ ବିମାନଟିକୁ ଦିଲ୍ଲୀ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ।

ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇବା ପରେ ହଙ୍ଗାମା ସୃଷ୍ଟି କରିଥିବା ଯାତ୍ରୀଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏଫଆଇଆର ପଞ୍ଜୀକୃତ କରି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବିମାନକୁ ସୋମବାର ଅପରାହ୍ନ ପାଇଁ ରିସେଡ୍ୟୁଲ କରାଯାଇଛି।

ଏୟାର ଇଣ୍ଡିଆ ଏକ ବୟାନରେ କହିଛି ଯେ ‘ପୋଲିସରେ ଏ ସମ୍ପର୍କରେ ଏକ ଏଫଆଇଆର ଦାଖଲ କରାଯାଇଛି। ଏୟାର ଇଣ୍ଡିଆରେ ଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଏବଂ ସମ୍ମାନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ପ୍ରଭାବିତ ଚାଳକ ଦଳର ସଦସ୍ୟମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛୁ। ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ କ୍ଷମା ମାଗୁଛୁ। ଉଡ଼ାଣର ସମୟ ପରିବର୍ତ୍ତନ କରାଯାଇ ଆଜି ଅପରାହ୍ନରେ ରିସେଡ୍ୟୁଲ୍‌ କରାଯାଇଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.