୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବରେ ମୋଦି ବିରୋଧୀ ନେତା ଏକାଠି ପରେ ଏବେ ବିଜେଡି ଉପରେ ନଜର

ଭୁବନେଶ୍ବର : ମିସନ ୧୯’। ଏଥର ଲଢେଇ ଏନଡିଏ ବନାମ ୟୁପିଏ। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରୁ ବାରି ହୋଇଛି ଆଭାସ । ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ବହୁ ବିଜେପି ବିରୋଧୀ ଦଳର ନେତାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ସାମିଲ ଥିଲେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଏନସି ନେତା ଫାରୁକ ଅବଦ୍ଦୁଲା, ଏନସିପି ଅଧ୍ୟକ୍ଷ ଶରଦ ପାୱାର, ଡିଏମକେ ମୁଖ୍ୟ ଷ୍ଟାଲିନ ଓ ଶରଦ ଯାଦବ ପ୍ରମୁଖ । ୟୁପିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ରାହୁଲ । ଏମିତି ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି ଷ୍ଟାଲିନ ।

ଜାତୀୟ ରାଜନୀତିରେ ପାଣିପାଗ ବଦଳୁଥିବା ବେଳେ ବିଜେଡିର ଆଭିମୁଖ୍ୟକୁ ନେଇ ଉଠିଛି ପ୍ରଶ୍ନ । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରକ୍ଷା କରୁଥିବା ବିଜେଡି ପ୍ରତି ଉଭୟ ମହାମେଣ୍ଟର କଣ ରହିବ ଆଭିମୁଖ୍ୟ ତାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ଏତିକିବେଳେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ସେପଟେ ଏହାର ମଧ୍ୟ ଜବାବ ରଖିଛି ବିଜେଡି।

ଆସନ୍ତା ୨୪ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୋର୍ଦ୍ଧାରେ ଜନସମାବେଶକୁ ସମ୍ବୋଧିତ କରିବେ । ପୂର୍ବରୁ ଗତ ସେପ୍ଟମ୍ବରରେ ଓଡିଶାରେ ଗସ୍ତରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ । ଏଭିତରେ ବିଜେପି ହାତରୁ ଖସିଯାଇଛି ତିନିଟି ରାଜ୍ୟ। ସେପଟେ ବିଜେପି ବିରୋଧୀ ମେଣ୍ଟ ମଜଭୁତ ହେବାରେ ଲାଗିଛି। ଏପରିସ୍ଥିତିରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋଦି । ପ୍ରଶ୍ନ ଉଠୁଛି, ଏଥର ମୋଦିଙ୍କ ଭାଷଣରେ ନବୀନ ନିଶାନାରେ ରହିବେ ନା ନାହିଁ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.