ମୋଦିଙ୍କ ନଜରରେ ଆଫଗାନିସ୍ତାନ ସ୍ଥିତି, ବାସଭବନରେ ଡାକିଲେ ଜରୁରୀ ବୈଠକ

କେନ୍ୟୁଜ୍(ବ୍ୟୁରୋ): ଆଫଗାନିସ୍ତାନ ସ୍ଥିତି ଉପରେ ଭାରତର କଡା ନଜର । ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବା ବେଳେ ଜରୁରୀ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତ ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ । ଆଫଗାନରେ ଘଟୁଥିବା ବିଭିନ୍ନ ଘଟଣା ଉପରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି । ବୈଠକରେ କ’ଣ ସବୁ ଆଲୋଚନା ହୋଇଛି ସେ ନେଇ ସ୍ୱଷ୍ଟଭାବେ ଜଣାପଡି ନାହିଁ । କିନ୍ତୁ ଏବେ ବି ଆଫଗାନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ କ’ଣ ସବୁ ବ୍ୟବସ୍ଥା ହୋଇଛି, ତା’ ଉପରେ କଥାବାର୍ତ୍ତା ହୋଇଛି ।

ସେହିପରି କାବୁଲରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ମୁଖ୍ୟ ଲେଫଟନାଣ୍ଟ ଜେନେରାଲ ଫଇଜ ହମିଦ୍‌ଙ୍କ ଉପସ୍ଥିତ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ଆଫଗାନରେ ତାଲିବାନ ସରକାର ଗଠନ ଏବଂ ତାଲିବାନ ଏବଂ ହକ୍ୱାନୀ ନେଟଓ୍ଵର୍କ ମଧ୍ୟରେ ବିବାଦ ଉପରେ ଭାରତ ସରକାର ନଜର ରଖିଛି । ତାଲିବାନ ସହ ପାକିସ୍ତାନ ହାତ ମିଶାଇ ପଞ୍ଜଶିର ଉପରେ ହମଲା କରିଥିବା ରିପୋର୍ଟ ପ୍ରକାଶ ପାଇଛି । ପାକିସ୍ତାନ ଏବେ ତାଲିବାନ ସହାୟତାରେ ଭାରତ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି । ତେଣୁ ଆଜିର ବୈଠରେ ମୋଦି ଏନଏସଏ ଡୋଭାଲଙ୍କ ସହ ଏ ବିଷୟରେ କଥା ହୋଇଥିବା କୁହାଯାଇଛି ।

ଗତ ୩୧ ତାରିଖରେ କତାର ରାଜଧାନୀ ଦୋହାରେ ଅବସ୍ଥାପିତ ଭାରତର ଦୂତାବାସରେ ଭାରତ-ତାଲିବାନ ମଧ୍ୟରେ ଆଲୋଚନା ହୋଇଥିଲା । ଆଫଗାନରେ ଫସିଥିବା ଭାରତୀୟ ଯେପରି ସୁରକ୍ଷିତ ଭାବେ ଶୀଘ୍ର ଭାରତ ଫେରିବେ ତା ଉପରେ ଆଲୋଚନା ହୋଇଥିଲା । ଆଫଗାନରେ ଥିବା ଭାରତୀୟଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.