ମଣିପୁରରେ ପୁଣି ଏକ ଯୌନ ଉତ୍ପୀଡ଼ନ ମାମଲା, ପୀଡ଼ିତା ବଖାଣିଲେ ସେହି ଭୟଙ୍କର ଘଟଣା
ମଣିପୁରରେ ଜାତି ହିଂସା ବେଳେ ଯୌନ ଉତ୍ପୀଡ଼ନର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଆଶ୍ରୟ ଶିବିରରେ ରହୁଥିବା ଜଣେ ପୀଡ଼ିତା ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ଆଇପିସି ଧାରା ୩୭୬ଡି, ୩୫୪, ୧୨୦ବି ଓ ୩୪ ଅଧୀନରେ ମାମଲା ରୁଜୁ ହୋଇଛି।

ମଣିପୁରରେ ଜାତି ହିଂସା ବେଳେ ଯୌନ ଉତ୍ପୀଡ଼ନର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଆଶ୍ରୟ ଶିବିରରେ ରହୁଥିବା ଜଣେ ପୀଡ଼ିତା ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ଆଇପିସି ଧାରା ୩୭୬ଡି, ୩୫୪, ୧୨୦ବି ଓ ୩୪ ଅଧୀନରେ ମାମଲା ରୁଜୁ ହୋଇଛି। ଘଟଣା ଘଟିଛି ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ। ଏଠାରେ ୩୭ ବର୍ଷୀୟା ଜଣେ ମହିଳାଙ୍କ ଅଭିଯୋଗ ମୁତାବକ, ଏକ ପୁରୁଷ ଗୋଷ୍ଠୀ ତାଙ୍କ ସହିତ ଜୋର୍ ଜବରଦସ୍ତ ଯୌନ ଉତ୍ପୀଡ଼ନ କରିଛନ୍ତି।
ପୀଡ଼ିତା କହିଛନ୍ତି ଯେ ରାଜ୍ୟରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଇବା ଘଟଣା ସମ୍ପର୍କରେ ଜାଣିବା ପରେ ମୁଁ ପୋଲିସ ନିକଟକୁ ଯିବାକୁ ସାହସ ଜୁଟାଇଥିଲି। ମୁଁ ନିଜର ଏବଂ ନିଜ ପରିବାରର ଇଜ୍ଜତ ବଞ୍ଚାଇବା ତଥା ସାମାଜିକ ବହିଷ୍କାରରୁ ରକ୍ଷା ପାଇବା ପାଇଁ ଘଟଣାର ଖୁଲାସା କରି ନ ଥିଲି। ସାମାଜିକ କଳଙ୍କ ସହିବା ସ୍ଥିତିରେ ମୁଁ ନ ଥିଲି ଏବଂ ଜୀବନ ହାରିବାକୁ ଚାହୁଁଥିଲି।
ଅଭିଯୋଗ ଅନୁସାରେ, ମେ’ ୩ ସନ୍ଧ୍ୟା ସାଢ଼େ ୬ଟା। ଉତ୍ତ୍ୟକ୍ତ ଲୋକେ ମହିଳା ଏବଂ ତାଙ୍କ ପଡ଼ୋଶୀଙ୍କ ଘର ଜାଳିବା ଆରମ୍ଭ କରିଥିଲେ। ଏଭଳି ସ୍ଥିତିରେ ପୀଡ଼ିତା ନିଜର ଦୁଇ ପୁଅ, ଝିଆରୀ ଓ ଭାଉଜ ସହିତ ଘଟଣାସ୍ଥଳରୁ ଦୌଡ଼ିବାକୁ ଲାଗିଥିଲେ। ଭାଉଜ ଏକ ଛୁଆକୁ ପିଠିରେ ପକାଇ ଆଗରେ ଦୌଡ଼ୁଥିବା ବେଳେ ପୀଡ଼ିତା ଝିଆରୀକୁ ପିଠିରେ ପକାଇ ଆଉ ଏକ ଛୁଆର ହାତ ଧରି ପଛରେ ଦୌଡ଼ୁଥିଲେ। ସେହି ସମୟରେ ହଠାତ୍ ପୀଡ଼ିତା ତଳେ ପଡ଼ିଯାଇଥିଲେ ଏବଂ ରାସ୍ତାରୁ ଉଠିବାକୁ ଅସମର୍ଥ ଥିଲେ।
ସେ କହିଛନ୍ତି ଯେ ମୁଁ ତଳେ ପଡ଼ିଯାଇଥିବା ଦେଖି ଭାଉଜ ମୋ ପାଖକୁ ଦୌଡ଼ି ଆସିଥିଲେ ଏବଂ ମୋ ପିଠିରୁ ଝିଆରୀକୁ ଉଠାଇ ମୋର ଦୁଇ ପୁଅଙ୍କୁ ଧରି ସେଠାରୁ ପଳାଇଯାଇଥିଲେ। ଯେତେବେଳେ ମୁଁ ଉଠିବାକୁ ଅସମର୍ଥ ଥିଲି, ସେତେବେଳେ ୫/୬ ଜଣ ଯୁବକ ତାଙ୍କ ପାଖକୁ ଆସି ଜୋର୍ରେ ଗାଳି ଦେଇଥିଲେ। ଏହାପରେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ସେ ଏହାକୁ ବିରୋଧ କରିବାରୁ ଏହି ଗୋଷ୍ଠୀ ତାଙ୍କୁ ତଳେ ପକାଇ ଯୌନ ଉତ୍ପୀଡ଼ନ କରିଥିଲେ।