ନିର୍ବାଚନ କମିଶନରଙ୍କ ଚୟନ ଉପରେ ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି! ଏବେ ପ୍ରଧାନମନ୍ତ୍ରୀ, ସିଜେଆଇ ଓ ବିରୋଧୀ ଦଳ ନେତାଙ୍କ ମିଳିତ କମିଟି କରିବ ନିଯୁକ୍ତି

ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଏବେ ପ୍ରଧାନମନ୍ତ୍ରୀ, ସିଜେଆଇ ଏବଂ ଲୋକସଭାରେ ବିରୋଧ ଦଳ ନେତାଙ୍କ ୩ ସଦସ୍ୟ ବିଶିଷ୍ଟ କମିଟି କରିବ। ସୁପ୍ରିମ୍‌ କୋର୍ଟ ଆଜି ଏହି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି।

ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ସୁପ୍ରିମ କୋର୍ଟ ଆଜି ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ମୁତାବକ, ଏବେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତା ଏବଂ ସିଜେଆଇ (CJI) ମିଳିତ ଭାବେ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ଚୟନ କରିବେ। ସୁପ୍ରିମ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି କି, ନିର୍ବାଚନ କମିଶନରଙ୍କ ନିଯୁକ୍ତି ମଧ୍ୟ ସିବିଆଇ ନିର୍ଦ୍ଦେଶକଙ୍କ ସହମତିରେ ହେବା ଉଚିତ୍‌।

ସୁପ୍ରିମ କୋର୍ଟଙ୍କ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ସର୍ବସମ୍ମତିରୁ ଦେଇଥିବା ନିଷ୍ପତ୍ତିରେ କହିଛନ୍ତି ଯେ ତିନି ସଦସ୍ୟ ବିଶିଷ୍ଟ କମିଟିର ପରାମର୍ଶ କ୍ରମେ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ ଚୟନ କରିବେ। ଜଷ୍ଟିସ କେଏମ ଜୋସେଫଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ନିଜ ନିଷ୍ପତ୍ତିରେ କହିଛନ୍ତି, ଏହି ନିୟମ ସେ ପର୍ଯ୍ୟନ୍ତ ଜାରି ରହିବ, ଯେ ପର୍ଯ୍ୟନ୍ତ ସଂସଦ ଏହି ନିଯୁକ୍ତି ପାଇଁ ଆଇନ ତିଆରି ନ କରିଛି।

ସୁପ୍ରିମ୍‌ କୋର୍ଟ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ସିଧା ସରକାରଙ୍କ ଦ୍ୱାରା କରାଯିବା ପ୍ରକ୍ରିୟାକୁ ଭୁଲ୍‌ ଦର୍ଶାଇଛନ୍ତି। କୋର୍ଟରେ ଶୁଣାଣି ସମୟରେ ଜଷ୍ଟିସ ରସ୍ତୋଗୀ, ଜଷ୍ଟିସ ଜୋସେଫଙ୍କ ନିଷ୍ପତ୍ତିରେ ସହମତ ପ୍ରକାଶ କରିଥିଲେ। ଏହି ସମୟରେ ଜଷ୍ଟିସ ରସ୍ତୋଗୀ କହିଥିଲେ କି, ନିର୍ବାଚନ କମିଶନରଙ୍କୁ ହଟାଇବା ପ୍ରକ୍ରିୟା ମଧ୍ୟ କେନ୍ଦ୍ରୀୟ ନିର୍ବାଚନ କମିଶନରଙ୍କୁ ହଟାଇବା ପ୍ରକ୍ରିୟା ଭଳି ହିଁ ହେବା ଉଚିତ।

ଜଷ୍ଟିସ ଜୋସେଫ କହିଛନ୍ତି, ‘ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କର ଏକ ମିଳିତ କମିଟିର ପରାମର୍ଶରେ ରାଷ୍ଟ୍ରପତିଙ୍କ ଦ୍ୱାରା ହେବ। ଏହି ନିଯୁକ୍ତି ପ୍ରକ୍ରିୟା ସଂସଦ ଦ୍ୱାରା ଆଇନ ତିଆରି ନ ହେବା ପର୍ଯ୍ୟନ୍ତ ଜାରି ରହିବ।

ଜଷ୍ଟିସ କେଏମ ଜୋସେଫ କହିଛନ୍ତି, ଗଣତନ୍ତ୍ରକୁ ବଜାୟ ରଖିବା ପାଇଁ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ବଜାୟ ରଖିବା ଉଚିତ। ନଚେତ୍ ଏହାର ଭଲ ପରିଣାମ ରହିବ ନାହିଁ। ତାଙ୍କ ଅନୁସାରେ, ଗଣତନ୍ତ୍ର ବହୁତ ନିବିଡ଼ ଭାବେ ଲୋକଙ୍କ ଶକ୍ତି ସହିତ ଜଡିତ ରହିଛି। ସେମାନଙ୍କୁ ଅଲଗା କରାଯାଇ ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.