ଗଭୀର ଅବସାଦ ଦେଇ ଗତି କରୁଛି ଭାରତୀୟ ସେନା! ୨୦୧୧ରୁ ୨୦୧୯ ଭିତରେ ଆତ୍ମହତ୍ୟା କରିଛନ୍ତି ୧୦୦୦ରୁ ଅଧିକ ଯବାନ

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ଯବାନମାନଙ୍କ ମଧ୍ୟରେ ଆତ୍ମହତ୍ୟା କରିବାର ପ୍ରବୃତ୍ତି ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ଗୃହ ମନ୍ତ୍ରଣାଳୟ ନିକଟରେ CRPF ଡିଜି କୁଲଦୀପ ସିଂଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କଫୋର୍ସ ଗଠନ କରିଥିଲା, ଯାହାକି ଯବାନମାନଙ୍କ ଦ୍ୱାରା ବିଗତ କିଛି ଦିନ ମଧ୍ୟରେ କରାଯାଇଥିବା ଆତ୍ମହତ୍ୟା ଉଦ୍ୟମ, ସାଥୀଙ୍କ ଉପରେ ମରଣାନ୍ତକ ଆକ୍ରମଣ, କ୍ରୋଧ, ଅସୁସ୍ଥତା, ମଦ୍ୟପାନ, ନିଶାଦ୍ରବ୍ୟର ଦୂରୁପଯୋଗ, ଆକ୍ରମଣାତ୍ମକ ପ୍ରବୃତ୍ତି ଏବଂ ଚାପଗ୍ରସ୍ତ ଜୀବନର ଘଟଣା ଉପରେ ଅନୁସନ୍ଧାନ କରିବ। ଏହାର ଉଦ୍ଦେଶ୍ୟ ହେଉଛି, ଯବାନଙ୍କ ଭିତରେ ଥିବା ଚାପ, କ୍ରୋଧ ଏବଂ ଉଦାସୀନତାକୁ ହ୍ରାସ କରି ସେମାନଙ୍କୁ ମୃତ୍ୟୁ ମୁଖରୁ ରୋକିବା। ଏଥି ପୂର୍ବରୁ CRPF ଦ୍ୱାରା ‘ଚୌପାଲ ପେ ଚର୍ଚ୍ଚା’ ଓ ‘ସଂସ୍କାରଶାଳା’ ଏବଂ ପ୍ରତିରକ୍ଷା ମନୋବୈଜ୍ଞାନିକ ଅନୁସନ୍ଧାନ ସଂସ୍ଥାନ ଦ୍ୱାରା ‘ମିଳାପ’ ଓ ‘ସହଯୋଗ’ ଭଳି କାର୍ଯ୍ୟକ୍ରମ ମଧ୍ୟ ସମାନ ଉଦ୍ଦେଶ୍ୟରେ ଚଲା ଯାଇଥିଲା।

ଆକଳନକୁ ଦେଖିଲେ ଲାଗୁଛି କି, ଦେଶର ପ୍ରତିରକ୍ଷା କ୍ଷେତ୍ରରେ ନେତୃତ୍ୱ ନେଇଥିବା ସେନାର ଯବାନମାନେ ଗଭୀର ଅବସାଦ ଦେଇ ଗତି କରୁଛନ୍ତି। ସେବାରତ ଯବାନମାନଙ୍କ ମଧ୍ୟରେ ବଢ଼ୁଥିବା ଆତ୍ମହତ୍ୟା ପ୍ରବୃତ୍ତି ଏକ ଗୁରୁତର ସମସ୍ୟା ସୃଷ୍ଟି କରିଛି। ପ୍ରତ୍ୟେକ ବର୍ଷ ସେନାର ପାଖାପାଖି ଶହେ ଯବାନ ବିଭିନ୍ନ କାରଣରୁ ଆତ୍ମହତ୍ୟା କରୁଛନ୍ତି। ମାର୍ଚ୍ଚ ୨୦୨୦ରେ ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀଙ୍କ ଦ୍ୱାରା ଲୋକସଭାରେ ଦର୍ଶାଯାଇଥିବା ତଥ୍ୟ ମୁତାବକ, ୨୦୧୯ରେ ୯୫ ଯବାନ, ୨୦୧୮ରେ ୧୦୭ ଏବଂ ୨୦୧୭ରେ ୧୦୩ ଯବାନ ଆତ୍ମହତ୍ୟା କରିଛନ୍ତି। ସେହିପରି ୨୦୧୧ରୁ ୨୦୧୮ ମଧ୍ୟରେ ୮୯୧ ଏବଂ ୨୦୧୪ରୁ ୨୦୧୭ ମଧ୍ୟରେ ପ୍ରତି ୩ ଦିନରେ ଜଣେ ଯବାନ ଆତ୍ମହତ୍ୟା କରିଥିଲେ।

ଗତ ୧୯ ଡିସେମ୍ବରରେ ଜମ୍ମୁ-କାଶ୍ମୀରର ଗାନ୍ଦରବଲ ଜିଲ୍ଲାରେ CRPFର ଜଣେ ହେଡ କନେଷ୍ଟବଳ ନିଜ ସର୍ଭିସ୍‌ ରାଇଫଲରୁ ନିଜକୁ ଗୁଳି ମାରି ଦେଇଥିଲେ। ସେହି ଦିନ ପଞ୍ଜାବରେ ବିଏସ୍ଏଫର ଜଣେ ଯବାନ ମଧ୍ୟ ଏମିତି ହିଁ କରିଥିଲେ। ସେପଟେ ୩୦ ନଭେମ୍ବରରେ ଜମ୍ମୁ-କାଶ୍ମୀରର ରାମବନରେ ଜଣେ ଯବାନ ଆତ୍ମହତ୍ୟା କରିଥିଲେ। ଏହା ମଧ୍ୟ ଚିନ୍ତାଜନକ ବିଷୟ ଯେ ଯବାନଙ୍କ କ୍ରୋଧ ଏବଂ ଉଦାସୀନତା ସେମାନଙ୍କ ସାଥୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସାଜୁଛି। ୨୦୧୮ରୁ ୨୦୨୧ ମଧ୍ୟରେ ଯବାନମାନଙ୍କ ଦ୍ୱାରା ନିଜ ସାଥୀଙ୍କ ଉପରେ ୧୩ ଥର ଫାୟାରିଂ ଘଟଣା ଘଟିଛି, ଯେଉଁଥିରେ ୪୦ ଯବାନଙ୍କର ମୃତ୍ୟୁ ହୋଇଛି।

ଗୃହ ମନ୍ତ୍ରଣାଳୟ ଯବାନମାନଙ୍କ ମଧ୍ୟରେ ଅବସାଦ ଏବଂ ଆତ୍ମହତ୍ୟା ପଛର କାରଣ ପାରିବାରିକ ଓ ଜମି ସମ୍ବନ୍ଧୀୟ ବିବାଦ, ଚାପ, ଅସୁସ୍ଥତା ଏବଂ ଆର୍ଥିକ ସମସ୍ୟା ବୋଲି ଦର୍ଶାଇଛି। ତେବେ ଏହା ଆଶ୍ଚର୍ଯ୍ୟଜନକ ଯେ କଠିନ ପରିସ୍ଥିତିରେ ଦେଶର ମସ୍ତକ ଉଚ୍ଚ ରଖିବା ପାଇଁ ପ୍ରତିବଦ୍ଧ ଥିବା ଯବାନମାନେ ନିଜ ଜୀବନର ହିଁ ଶତ୍ରୁ ପାଲଟି ଯାଉଛନ୍ତି। ସାହସିକତା ଏବଂ ବୀରତ୍ୱ ସହିତ ପ୍ରତ୍ୟେକ ସମସ୍ୟା ଉପରେ ବିଜୟ ହାସଲ କରୁଥିବା ଏମିତି ଅନେକ ଯବାନ ନିଜ ସହିତ ନିଜର ସମ୍ପର୍କକୁ ସମାପ୍ତ କରି ଦେଉଛନ୍ତି। ଏପରି ପରିସ୍ଥିତିରେ ଚିନ୍ତା କରିବା ଉଚିତ ଯେ ଏମିତି କ’ଣ କାରଣ ରହିଛି, ଯାହା ଆମ ଯବାନମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛି। ଏଥି ସହିତ ଏହାର ସମାଧାନ ଉପରେ ମଧ୍ୟ ଆଲୋଚନା କରିବାକୁ ହେବ, ଯଦ୍ଦ୍ଵାରା ମାନସିକ ଅବସାଦ ଦେଇ ଗତି କରୁଥିବା ଯବାନମାନଙ୍କୁ ଠିକ୍ ମାର୍ଗଦର୍ଶନ ମିଳି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.