ଓମିକ୍ରନ୍‌ ସଂକ୍ରମିତ ହେବା ପରେ କେତେ ଦିନ ଯାଏଁ ମଜଭୁତ ରହେ ଇମ୍ୟୁନିଟି, ICMR ଦେଲା ବଡ଼ ସୂଚନା

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଉଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ କରୋନା ସଂକ୍ରମଣ ପରେ ଇମ୍ୟୁନିଟି ସିଷ୍ଟମ୍‌ର ସ୍ଥିତିକୁ ନେଇ ଆଇସିଏମ୍‌ଆରର ମହାନିର୍ଦ୍ଦେଶକ ନୂଆ ସୂଚନା ଦେଇଛନ୍ତି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ ଗୁରୁବାର ଦିନ କହିଛନ୍ତି, କୋଭିଡ୍‌ ସଂକ୍ରମଣ ପରେ ରୋଗ ପ୍ରତିରୋଧକ କ୍ଷମତା ପାଖାପାଖି ୯ ମାସ ଯାଏଁ ମଜଭୁତ ରହିଥାଏ। ତା’ ପରେ ଏହା ଧୀରେ ଧୀରେ କମେ।

ଡା.ଭାର୍ଗବ କହିଛନ୍ତି, ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ମୁତାବକ, ସାର୍ସ ସିଓବି ୨ର ପ୍ରତିରୋଧକ ଶକ୍ତି ୮ ମାସ ଯାଏଁ ବଜାୟ ରହେ। ଚୀନ୍‌ର ଏକ ଅଧ୍ୟୟନରେ କୁହାଯାଇଛି, ଆଣ୍ଟିବଡି ଓ ସେଲ୍ୟୁଲାର ପ୍ରତିରକ୍ଷା ପ୍ରତିକ୍ରିୟା ସଂକ୍ରମଣର ୯ ମାସରୁ ଅଧିକ ସମୟ ଯାଏଁ ବଜାୟ ରହେ। କିନ୍ତୁ ଅନ୍ୟ ରିସର୍ଚ୍ଚରୁ ଜଣାଯାଇଛି ଯେ ଆଣ୍ଟିବଡି ପ୍ରତିକ୍ରିୟା ସଂକ୍ରମଣ ପରେ ୧୩ ମାସରୁ ଅଧିକ ସମୟ ଯାଏଁ ରହିଥାଏ।

ଏ ସମସ୍ତ ରିସର୍ଚ୍ଚରୁ ନିଷ୍କର୍ଷ ବାହାରିଛି ଯେ ସଂକ୍ରମଣ ପରେ ୮ରୁ ୧୩ ମାସ ଯାଏଁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ରହିଥାଏ। ଏଣୁ ଏବେ ଏହାକୁ ଆନୁମାନିକ ୯ ମାସ ବୋଲି ଧରାଯାଉଛି। ତେବେ ଏ ଅବସରରେ ଆଇସିଏମ୍‌ଆରର ମୁଖ୍ୟ କହିଛନ୍ତି ଯେ ସମସ୍ତ କୋଭିଡ୍‌ ଟିକା ସଂକ୍ରମଣକୁ ରୋକିପାରିବେ ଓ ମୁଖ୍ୟତଃ ଏହା ରୋଗକୁ ସଂଶୋଧିତ କରିଥାଏ।

ଡା.ଭାର୍ଗବ ଏ ଅବସରରେ ବାରମ୍ବାର ଦୋହରାଇଛନ୍ତି ଯେ ଟିକାକରଣ ପୂର୍ବରୁ ଓ ପରେ ମାସ୍କ ପିନ୍ଧିବା ଖୁବ୍‌ ଜରୁରୀ। ଏଥିସହ ଭିଡ଼ ହୋଇଥିବା ଅଞ୍ଚଳକୁ ଯିବାକୂ ମଧ୍ୟ ସେ ବାରଣ କରିଛନ୍ତି। ଆମେ ସଚେତନ ହେଲେ ହିଁ ସଂକ୍ରମଣକୁ ରୋକି ହେବା ବୋଲି ଡା. ଭାର୍ଗବ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.