ଅମରନାଥରେ ବାଦଲ ଫଟା ବର୍ଷା ଯୋଗୁ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି, ଅନେକ ନିଖୋଜ୍: ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ଅମରନାଥ ନିକଟରେ ଶୁକ୍ରବାର ବଡ଼ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଅମରନାଥ ଗୁମ୍ପାର ପାଖାପାଖି ଅଞ୍ଚଳରେ ବାଦଲ ଫଟା ବର୍ଷା କାରଣରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ବି ଅନେକ ନିଖୋଜ ଅଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପିର ଯବାନ ଉଦ୍ଧାର କାମରେ ସାମିଲ ହୋଇଛନ୍ତି । ବାଦଲ ଫାଟିବା ପରେ ପାଣି ଅମରନାଥ ଗୁମ୍ଫା ନିକଟରେ ଥିବା ଟେଣ୍ଟକୁ ଧୋଇନେଇଥିଲା । ଏଥିରେ ଭକ୍ତମାନେ ଆଶ୍ରୟ ନେଇଥିଲେ । ଏହାପରେ ଅମରନାଥ ଦର୍ଶନରେ ଯାଇଥିବା ଭକ୍ତଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଥିଲା । ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଶ୍ରଦ୍ଧାଳୁ ଭାସିଯାଇଥିଲେ । ବାବାଙ୍କ ଦର୍ଶନ ଆରମ୍ଭ ହେବା ପରେ ପ୍ରାୟ ୮ରୁ ୧୦ ହଜାର ଲୋକ ଯାଇଥିଲେ ।

ଅମରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି । ତେବେ ପାଗ ଖରାପ ଥିବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି । ଏହାଛଡା ସେଠାକାର ଭୌଗଳିକ ସ୍ଥିତି ଓ ଉଚ୍ଚତା ଯୋଗୁଁ ଉଦ୍ଧାରକାରୀ ଟିମ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ପାଣି ଯୋଗୁଁ ୩୦ରୁ ୪୦ ଟେଂଟ ଭାସିଯାଇଥିବା ଅନୁମାନ କରାଯାଉଛି । ହଠାତ ବାଦଲ ଫାଟିବା ଯୋଗୁଁ ପଣିର ପ୍ରକୋପ ବଢିଯାଇଥିଲା ଓ ଲୋକେ ଭାସିଯାଇଥିଲେ । ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।

ଉକ୍ତ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ରାଜ୍ୟପାଳ ମନୋଜ ସିହ୍ନା ଘଟଣା ଉପରେ ନଜର ରଖିବା ସହ ଶ୍ରଦ୍ଧାଳୁଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ସଂଯୁକ୍ତ ପୋଲିସ ନିୟନ୍ତ୍ରଣ କକ୍ଷ ପହଲଗାମ ସୂଚନା ଦେଇ କହିଛି କି ଏନ୍‌ଡିଆର୍‌ଏଫ, ଏସ୍‌ଡିଆର୍‌ଏଫ ଓ ଅନ୍ୟ ସୁରକ୍ଷା ଏଜେନ୍ସିମାନେ ଏବେ ଶ୍ରଦ୍ଧାଳୁଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.