ଛିଃ ଏତେ ନୃଶଂସ! ବିଛଣାରେ ପରିସ୍ରା କରିଦେବାରୁ ୫ ବର୍ଷର ପୁତୁରାକୁ ପିଟିପିଟି ମାରିଦେଲା ବଡ଼ ମା’

ବିଛଣାରେ ପରିସ୍ରା କରି ଦେବାରୁ ପୁତୁରାକୁ ପିଟି ପିଟି ମାରି ଦେଲା ବଡ଼ ମା’। ଏଭଳି ଛାତିଥରା ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଫରୁଖାବାଦରେ। ଏଠାରେ ମା’ନ ଥିବା ଏକ ପୁଅକୁ ବଡ଼ ମା’ ବାଡ଼େଇ ବାଡ଼େଇ ମାରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଘଟଣା ବାବଦରେ ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତା ବଡ଼ ମା’ ଓ ଘଟଣାରେ ସାମିଲ ଥିବା ବଡ଼ ମା’ଙ୍କ ବାପାଙ୍କୁ ଗିରଫ କରିଛି। ଗିରଫ ହେବା ପରେ ଅଭିଯୁକ୍ତା ଯାହା ଖୁଲାସା କରିଥିଲେ ତାହା ଥିଲା ଏମିତି।
ମହିଳା ଜଣକ କହିଛନ୍ତି, କୁନି ପୁଅର ମା’ ମରିଯିବା ପରେ ତା’ ବାପା ମାନେ ମହିଳାଙ୍କ ଦିଅର ପୁଅକୁ ବଡ଼ ମା’ଙ୍କ ପାଖରେ ଛାଡ଼ିଥିଲେ। କିନ୍ତୁ ପ୍ରତିଦିନ ରାତିରେ ପୁଅ ବିଛଣାରେ ପରିସ୍ରା କରିଦେଉଥିଲା। ଫଳରେ ପରଦିନ ତାଙ୍କୁ ବିଛଣା ଧୋଇବାକୁ ପଡ଼ୁଥିଲା। ସବୁଦିନ ବିଛଣା ଧୋଇ ଧୋଇ ସେ ବିରକ୍ତ ହେଇଯାଇଥିଲେ। ଗତ ୬ ତାରିଖରେ ପୁତୁରା ପୁଣିଥରେ ବିଛଣାରେ ପରିସ୍ରା କରିବାରୁ ସେ ତାକୁ ପ୍ରବଳ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ପୁତୁରାର ମୃତ୍ୟୁ ଘଟିଥିଲା।

ପୁତୁରାର ମୃତ୍ୟୁ ପରେ ଡରରେ ମହିଳା ଜଣକ ଏକଥା ତାଙ୍କ ବାପାଙ୍କୁ କହିଥିଲେ। ପରେ ତାଙ୍କ ବାପା ଆସି ମୃତଦେହକୁ ଏକ ବ୍ୟାଗ୍ରେ ପୂରାଇ ଜଙ୍ଗଲରେ ପୋତିଦେଇଥିଲେ। ଏହା ପରେ ମହିଳା ଜଣକ ଥାନାରେ ପୁତୁରାକୁ କେହି ଅପହରଣ କରିଥିବା ନେଇ ମାମଲା ରୁଜୁ କରିଥିଲେ। ମାତ୍ର ତାଙ୍କ କଥାରେ ତାଳମେଳ ନଥିବାରୁ ପୋଲିସର ତାଙ୍କ ଉପରେ ସନ୍ଦେହ ହୋଇଥିଲା। ପୋଲିସ ଅଧିକ ଚାପ ପକାଇବାରୁ ମହିଳା ସବୁ ସତ ଓଗାଳିଥିଲେ। ଏଥିସହ ପୁତୁରାକୁ ପୋତିଥିବା ସ୍ଥାନ ମଧ୍ୟ ଦେଖାଇଥିଲେ। ପୋଲିସ ମୃତଦେହକୁ ମାଟିରୁ ଖୋଳି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ମହିଳା ଓ ତାଙ୍କ ବାପାଙ୍କୁ ଗିରଫ କରିଛି।