ୟୁକ୍ରେନ୍ ପରେ ସ୍ୱିଡେନ ଓ ଫିନଲ୍ୟାଣ୍ଡକୁ ଋଷର ଧମକ: ‘ନାଟୋରେ ସାମିଲ ହେଲେ ପରିଣାମ ବହୁତ ଖରାପ ହେବ’

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ରୁଷିଆ ବର୍ତ୍ତମାନ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡକୁ ଚେତାବନୀ ଦେଇଛି। ରୁଷ କହିଛି ଯେ ଯଦି ଉଭୟ ଦେଶ ନାଟୋରେ ଯୋଗ ଦିଅନ୍ତି, ତେବେ ଏହାର ପରିଣାମ ୟୁକ୍ରେନ ଭଳି ଭୟଙ୍କର ହେବ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସ୍ୱିଡେନ ଏବଂ ଫିନଲ୍ୟାଣ୍ଡକୁ ରୁଷର ବୈଦେଶିକ ମନ୍ତ୍ରଣାଳୟ ନାଟୋରେ ଯୋଗଦେନ ଦେବାକୁ କହିଛି । ଯଦି ଏହା ଘଟେ, ଏହାର ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି । କ୍ରେମଲିନଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ରୁଷର ସୈନ୍ୟମାନେ ୟୁକ୍ରେନର ରାଜଧାନୀ କିଭ୍ରେ ପ୍ରବେଶ କରି ଘମାଘୋଟ ଲଢେଇ କରିଛନ୍ତି । ତେବେ ଏପରି ଏକ ଚେତାବନୀ ଅନ୍ୟ ରାଷ୍ଟ୍ରଗୁଡିକୁ ଅତିଷ୍ଠ କରିଛି ।
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ କ୍ଷମତାରୁ ହଟାଇବା ପାଇଁ ରୁଷ ତୀବ୍ର ଯୁଦ୍ଧ କରିବାରେ ଲାଗିଛି। ଖବର ମୁତାବକ ରୁଷର ପାରାଟ୍ରୁପରମାନେ ୟୁକ୍ରେନ ରାଜଧାନୀ କିଭ୍ରେ ପ୍ରବେଶ କରିସାରିଛନ୍ତି। ଏହି ସମୟ ମଧ୍ୟରେ ଆଲୋଚନା ପାଇଁ ରୁଷରୁ ପ୍ରତିନିଧି ପଠାଇବା ବିଷୟରେ ମଧ୍ୟ ଚର୍ଚ୍ଚା ହେଉଛି। ରିପୋର୍ଟ ଅନୁଯାୟୀ, ପୁଟିନ୍ ଖୁବ୍ ଶୀଘ୍ର ଜେଲେନସ୍କିଙ୍କ ସହ ଆଲୋଚନା ପାଇଁ ତାଙ୍କ ପ୍ରତିନିଧୀ ପଠାଇ ପାରନ୍ତି। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭଙ୍କ ଅନୁଯାୟୀ ବୈଦେଶିକ ମନ୍ତ୍ରଣାଳୟ, ପ୍ରତିରକ୍ଷା ଏବଂ ପ୍ରଶାସନିକ ଅଧିକାରୀଙ୍କ ସମେତ ରୁଷର କୂଟନୈତିକ ପ୍ରତିନିଧୀ ଦଳ ୟୁକ୍ରେନ ସହ ଆଲୋଚନା ପାଇଁ ମିନସ୍କକୁ ପଠାଯାଇପାରେ। ରୁଷ ଦ୍ୱାରା ଏକ ଆବେଦନ ପରେ ଏହି ବିବୃତ୍ତି ଆସିଛି ଯେ ୟୁକ୍ରେନ ଯଦି ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ତେବେ ଆଲୋଚନା ପାଇଁ ଆମେ ରାଜି ଅଛୁ ବୋଲି କହିଛି କିନ୍ତୁ ୟୁକ୍ରେନ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛି।
ଅନ୍ୟପଟେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ଅନ୍ୟ ଦିନ ଅପେକ୍ଷା ଆଜି ରାତିରେ ମୁସ୍କିଲ ହେବ। ଆମ ଦେଶର ଅନେକ ସହର ଆକ୍ରମଣର ଶିକାର ହେଉଛି। ଶର୍ନିହିଭ୍, ସୁମି, ଖାର୍କିଭ୍, ଡୋନ୍ବାସ୍ ଏବଂ ଦେଶର ଦକ୍ଷିଣରେ ଅବସ୍ଥିତ ସହରଗୁଡିକ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି କିନ୍ତୁ ଆମେ ଆମର ରାଜଧାନୀ କିଭ୍କୁ ହରାଇ ପାରିବୁ ନାହିଁ ।