ଅଯୋଧ୍ୟା ରାମ ମନ୍ଦିର ପରେ ଏବେ ବିହାରରେ ହେବ ମାତା ସୀତାଙ୍କ ମନ୍ଦିର, ସରକାର ଅଧିଗ୍ରହଣ କରିବେ ୫୦ ଏକର ଜମି

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ଏବେ ବିହାରରେ ହେବ ମାତା ସୀତାଙ୍କ ମନ୍ଦିର । ଉତ୍ତର ବିହାରର ସୀତାମଢ଼ି ଜିଲ୍ଲାରେ ମାତା ସୀତାଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପରେ ଏବେ ବିହାରରେ ହେବ ମାତା ସୀତାଙ୍କ ମନ୍ଦିର । ଉତ୍ତର ବିହାରର ସୀତାମଢ଼ି ଜିଲ୍ଲାରେ ମାତା ସୀତାଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି । ବିହାର ସରକାର ସୀତାମଢ଼ିରେ ଥିବା ବର୍ତ୍ତମାନର ମନ୍ଦିର ଚାରିପାଖରେ ୫୦ ଏକର ଜମି ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବିହାର କ୍ୟାବିନେଟ ବୈଠକରେ ଶୁକ୍ରବାର ଏହି ନିଷ୍ପତ୍ତି ନିଆଯାଇଛି । କହି ରଖୁଛୁ, ସୀତାମଢ଼ି ଜିଲ୍ଲାର ପୁନୌରା ଧାମକୁ ମାତା ସୀତାଙ୍କ ଜନ୍ମସ୍ଥଳୀ ଭାବରେ ବିବେଚନା କରାଯାଉଛି ।

ପୂର୍ବତନ ଏମ୍‌ଏଲ୍‌ସି ତଥା ବିଜେପି ନେତା କାମେଶ୍ୱର ଚୌପାଲ କହିଛନ୍ତି ଯେ ‘ମାତା ସୀତାଙ୍କ ପାଇଁ ସୀତାମଢ଼ି ଯେପରି, ପ୍ରଭୁ ରାମଙ୍କ ପାଇଁ ଅଯୋଧ୍ୟା ସେହିପରି । ଏହା ହିନ୍ଦୁମାନଙ୍କର ଏକ ପବିତ୍ର ଜାଗା । ବିଶ୍ୱର ବିଭିନ୍ନ ସ୍ଥାନରୁ ଏବେ ଲୋକମାନେ ଅଯୋଧ୍ୟା ରାମ ମନ୍ଦିରକୁ ପୂଜା କରିବାକୁ ଆସିବେ ଏବଂ ସେମାନେ ସୀତାଙ୍କ ଜନ୍ମସ୍ଥଳୀ ମଧ୍ୟ ଦେଖିବାକୁ ଚାହିଁବେ’ ।

ସୂଚନାଯୋଗ୍ୟ, ଚୌପାଲ ୧୯୮୯ ମସିହାରେ ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ ସମୟରେ ପ୍ରଥମ ଇଟା ରଖିଥିଲେ । ଏହା ବ୍ୟତୀତ ସେ ଅଯୋଧ୍ୟା ମନ୍ଦିର ବୋର୍ଡର ଟ୍ରଷ୍ଟି ମଧ୍ୟ ଅଛନ୍ତି ।

ଚୌପାଲ ଆହୁରି କହିଛନ୍ତି, ‘ସୀତାମଢ଼ିରେ ଏକ ମନ୍ଦିର ଅଛି, ଯାହା ପାଖାପାଖି ୧୦୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା, କିନ୍ତୁ ଏହା ଭଲ ଅବସ୍ଥାରେ ନାହିଁ । ତେଣୁ ଆମର ପ୍ରସ୍ତାବ ହେଉଛି ଅଯୋଧ୍ୟାରେ ରାମ ମନ୍ଦିର ପରି ଏକ ନୂତନ ମନ୍ଦିର ନିର୍ମାଣ କରିବା ।

ସୀତାମଢ଼ି ରାମାୟଣ ସର୍କିଟ୍‌ର ଏକ ଅଂଶ, ଯାହା ରାମାୟଣରେ ବର୍ଣ୍ଣିତ ୧୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ଏକ ସମୂହ । ଏହାକୁ କେନ୍ଦ୍ର ସରକାର ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଚିହ୍ନଟ କରିଛନ୍ତି । କହି ରଖୁଛୁ ଯେ ମାତା ସୀତାଙ୍କ ମନ୍ଦିର ନିର୍ମାଣ ନେଇ ଦୀର୍ଘ ଦିନ ଧରି ଦାବି ରହିଆସିଛି, କିନ୍ତୁ କିଛି ବର୍ଷ ପୂର୍ବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ଦିନଠାରୁ ଦାବି ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.