ମଦ ପିଇଲେ ଆଉ ରକ୍ଷା ନାହିଁ, ଧରାପଡ଼ିଲେ ଜରିମାନା ଓ ଜେଲ୍‌ ସୁନିଶ୍ଚିତ

ମଦ ପିଇଲେ ଆଉ ରକ୍ଷା ନାହିଁ। ଏବେ ଦେବାକୁ ପଡ଼ିବ ଜରିମାନା ଓ ଭୋଗିବାକୁ ପଡ଼ିପାରେ ଜେଲ ଦଣ୍ଡ। ଏଭଳି ନିୟମ ଆଣୁଛନ୍ତି ବିହାରର ନୀତିଶ ସରକାର। ସୋମବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ମୋଟ୍‌ ୧୪ଟି ଦାବି ଉପରେ ମୋହର ଲାଗିଛି। ଏସବୁ ଦାବି ମଧ୍ୟରେ ମଦ ପିଉଥିବା ବ୍ୟକ୍ତିଙ୍କୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ମଦ ବନ୍ଦ ସଂଶୋଧନ ଆଇନ୍‌ ୨୦୨୨ରେ ଜରିମାନା ଓ ମାଜିଷ୍ଟ୍ରେଟ୍‌ଙ୍କ ଅଧିକାରକୁ ଅଧିସୂଚିତ କରିବା ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରାଯାଇଛି। ଏଥିସହ ଅନ୍ୟ କେତେକ ବିଷୟ ଉପରେ ମଧ୍ୟ ମୋହର ଲଗାଯାଇଛି।

ମଦ ପିଇଲେ ଦେବାକୁ ହେବ ଜରିମାନା:

ବିହାରରେ ଏବେ ମଦ ପିଇଲେ ଜରିମାନା ଭରିବାକୁ ହେବ। ନୂଆ ସଂଶୋଧିତ ବିଲ୍‌ ଆସିବା ପରେ ଏହି ନିୟମ ଜନ ସାଧାରଣଙ୍କ ପାଇଁ ଲାଗୁ ହୋଇଯିବ। ନୂଆ ଆଇନ୍‌ ଅନୁସାରେ, ପ୍ରଥମ ଥର ମଦ ପିଇଥିବା ଅବସ୍ଥାରେ ଧରାପଡ଼ିଲେ ବ୍ୟକ୍ତି ଜରିମାନା ନେଇ ଛାଡ଼ ପାଇପାରିବେ। କିନ୍ତୁ ୟା ଅର୍ଥ ନୁହେଁ ଯେ ସେ ପୋଲିସ ସାମ୍ନାରେ ମନ ମାନି କରିବେ କିମ୍ବା ଝଗଡ଼ା କରିବେ। ଯଦି ବ୍ୟକ୍ତିଙ୍କ ବ୍ୟବହାର ଅଧିକାରୀଙ୍କୁ ଠିକ୍‌ ନ ଲାଗିଲା ତେବେ ସେ ତାଙ୍କୁ ଜେଲ୍‌ ପଠାଇପାରିବେ।

ସୂଚନାଯୋଗ୍ୟ ଯେ ପ୍ରଥମ ଥର ମଦ ପିଇ ଧରାପଡ଼ିଲେ ଅଭିଯୁକ୍ତକୁ ୨୦୦୦-୫୦୦୦ ଟଙ୍କା ମଧ୍ୟରେ ଜରିମାନା ଭରିବାକୁ ହେବ। ଏହି ଜରିମାନା ରାଶି କାର୍ଯ୍ୟପାଳକ ପଦାଧିକାରୀଙ୍କ ସାମ୍ନାରେ ଉପସ୍ଥିତ ହେବାପରେ ହିଁ ସ୍ଥିର ହେବ। ସେହିପରି ଦ୍ୱିତୀୟ ଥର ଧରାପଡ଼ିଲେ ବର୍ଷେ ଜେଲ୍‌ ଦଣ୍ଡ ଅନିବାର୍ଯ୍ୟ ବୋଲି ବିହାରରେ ନିୟମ ହୋଇଛି।

Also Read: ପିକେ ପରେ ଏବେ ପୁଣିଥରେ ଏକାଠି ନଜର ଆସିବେ ରଣବୀର କପୁର ଓ ଅମୀର ଖାନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.