ୟୁକ୍ରେନରେ ରୁଷ୍‌ ସୈନ୍ୟ ଲୁଟୁଛନ୍ତି ମହିଳାଙ୍କ ଇଜ୍ଜତ୍‌! ଗର୍ଭବତୀ ନ ହେବା ପାଇଁ ବଣ୍ଟାଯାଉଛି ଗର୍ଭନିରୋଧକ ବଟିକା…

ରୁଷ୍-ୟୁକ୍ରେନ ଯୁଦ୍ଧ ଭିତରେ ୟୁକ୍ରେନରୁ ଆସିଛି ଅତି ସମ୍ବେଦନଶୀଳ ମାମଲା। ଏଠାରେ ହସ୍ପିଟାଲଗୁଡ଼ିକରେ ଦୁଷ୍କର୍ମ ପୀଡ଼ିତାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମାମଲାଗୁଡ଼ିକ ପଞ୍ଜିକୃତ ହେବା କ୍ଷଣି ବିଭିନ୍ନ ଚ୍ୟାରିଟି ସଂସ୍ଥା ଜରୁରୀକାଳୀନ ଗର୍ଭନିରୋଧକ ଔଷଧ ପଠାଇବା କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି। ଇତି ମଧ୍ୟରେ ଯୁଦ୍ଧରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳକୁ ପାଖାପାଖି ୩,୦୦୦ ଗର୍ଭନିରୋଧକ ପ୍ୟାକେଟ ପଠାଯାଇ ସାରିଲାଣି। ବିବିସିର ଏକ ରିପୋର୍ଟ ମୁତାବକ, International Planned Parenthood Federation (IPPF) ତରଫରୁ ଏହି ଔଷଧଗୁଡ଼ିକ ପ୍ରଦାନ କରାଯାଉଛି, ଯାହାକୁ ସ୍ୱେଚ୍ଛାସେବୀମାନେ ବିତରଣ କରୁଛନ୍ତି।

IPPF ସହ ଜଡିତ ଜଣେ ସ୍ୱେଚ୍ଛାସେବୀ କ୍ୟାରୋଲିନ୍ ହିକ୍ସନ୍ କହିଛନ୍ତି, ଯେତେବେଳେ ଗର୍ଭନିରୋଧକ ବଟିକା ବିତରଣ କରାଯାଏ, ସେଥିରେ ସମୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ଆହୁରି କହିଛନ୍ତି ଯେ ଆପଣଙ୍କ ପାଖରେ ପାଞ୍ଚ ଦିନର ୱିଣ୍ଡୋ ରହିଛି, ଯେଉଁଥିରେ ଏହି ଔଷଧ ସେବନ (ସକାଳ ବଟିକା) ଗର୍ଭଧାରଣକୁ ରୋକିବାରେ ପ୍ରଭାବଶାଳୀ ହୋଇଥାଏ। ତେଣୁ ଯଦି ଆପଣ ଲିଙ୍ଗଭିତ୍ତିକ ହିଂସାର ଶିକାର ହୋଇଛନ୍ତି, ତ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ଯଥାଶୀଘ୍ର ଏହି ଔଷଧ ଗ୍ରହଣ କରନ୍ତୁ। କାହିଁକି ନା, କାହା ପାଇଁ ଦୁଷ୍କର୍ମ ପରେ ଗର୍ଭବତୀ ହେବା ବହୁତ ଦୁର୍ଭାଗ୍ୟଜନକ ହୋଇପାରେ।

IPPF ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ମେଡିକାଲ ଆବର୍ସନ ପିଲ୍ସ (ଗର୍ଭପାତ ବଟିକା) ମଧ୍ୟ ପଠାଉଛି, ଯାହା ଗର୍ଭଧାରଣର ୨୪ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ। କ୍ୟାରୋଲିନ୍ ହିକ୍ସନ୍ କହିଛନ୍ତି, ଏହି ବଟିକା ଭିନ୍ନ ଭିନ୍ନ ପରିସ୍ଥିତିରେ ମହିଳାମାନଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ଏଥିରେ ସହମତି ଭିତ୍ତିରେ ଯୌନ ସମ୍ବନ୍ଧ ରଖିଥିବା ମହିଳାମାନେ ବି ସାମିଲ ଅଛନ୍ତି। ଏହି ମହିଳାମାନଙ୍କୁ ଲାଗୁଛି ଯେ ସନ୍ତାନ ଜନ୍ମ କରିବାର ଏହା ହେଉଛି ଭୁଲ୍ ସମୟ। ଯୁଦ୍ଧ ପୂର୍ବରୁ ୟୁକ୍ରେନରେ ଜରୁରୀକାଳୀନ ଗର୍ଭନିରୋଧକ ପାଇବା ସମ୍ଭବ ଥିଲା, କିନ୍ତୁ ବର୍ତ୍ତମାନ ଯୋଗାଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି।

ବିବିସି ରିପୋର୍ଟ ମୁତାବକ, ୟୁକ୍ରେନରେ ବହୁତ ଲୋକ ବିସ୍ଥାପିତ ହୋଇଛନ୍ତି, ତେଣୁ ସହାୟତା କର୍ମୀଙ୍କ ପାଇଁ ଏହା ଜାଣିବା କଷ୍ଟକର ଯେ କେଉଁ କ୍ଷେତ୍ରରେ କେତେ ସାମଗ୍ରୀ ଆବଶ୍ୟକ ପଡ଼ୁଛି। ଗତ ସପ୍ତାହରେ ୟୁକ୍ରେନ ସୈନ୍ୟମାନେ ମାରିୟୁପୋଲ୍‌ ସହର ପାଇଁ ଖାଦ୍ୟ ଏବଂ ଔଷଧ ମାଗିଥିଲେ, ଯାହାକୁ ରୁଷ୍‌ ସୈନ୍ୟଙ୍କ ଦ୍ୱାରା ରୋକି ଦିଆଯାଇଥିଲା। IPPF ୟୁକ୍ରେନରେ ଗର୍ଭନିରୋଧକ ବଟିକା ଯୋଗାଣ ସୁନିଶ୍ଚିତ କରିବା ପାଇଁ ମିଳିତ ଜାତିସଂଘ ପ୍ରଦୂଷଣ ପାଣ୍ଠି ଏବଂ ଅନ୍ତର୍ଜାତୀୟ ମେଡିକାଲ୍ କର୍ପସ ସହିତ ମିଶି କାମ କରୁଛି।

ସାରା ବିଶ୍ୱରେ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସି ରହିଥିବା ମହିଳା ଏବଂ ଯୁବତୀମାନଙ୍କୁ ମିଳିତ ଜାତିସଂଘ ତରଫରୁ ମେଡିକାଲ୍‌ କିଟ୍‌ ପଠାଯାଇଥାଏ। ଏହି କିଟ୍‌ରେ ଜରୁରୀକାଳୀନ ଗର୍ଭନିରୋଧକ ବଟିକା ବି ସାମିଲ ଥାଏ। ରିପୋର୍ଟ ମୁତାବକ, ୟୁକ୍ରେନ ରାଜଧାନୀ କିଭ୍‌ଠାରୁ କିଛି କିଲୋମିଟର ଦୂରରେ ଅବସ୍ଥିତ ଏକ ଗାଁରେ ରୁଷ୍‌ ସୈନ୍ୟମାନେ ବର୍ବର କାଣ୍ଡ ଘଟାଇଛନ୍ତି। ଯୁଦ୍ଧ ସମୟରେ ସେମାନେ ମହିଳାଙ୍କ ଉପରେ ଆକ୍ରମଣ ସହ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.