ନୁହ ହିଂସାର ଅଭିଯୁକ୍ତ ବିଟୁ ବଜରଙ୍ଗୀ ଗିରଫ, ଫରିଦାବାଦରୁ ଧରିଲା ପୋଲିସ

ନୁହରେ ହିଂସା ସୃଷ୍ଟି କରିବା ଏବଂ ଉତ୍ତେଜିତ ଭାଷଣ ଦେବା ମାମଲାରେ ନୁହ ପୋଲିସ ମଙ୍ଗଳବାର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ବିଟୁ ବଜରଙ୍ଗୀଙ୍କୁ ଗିରଫ କରିଛି।

ହରିୟାଣାର ନୁହରେ ଜୁଲାଇ ୩୧ରେ ହୋଇଥିବା ହିଂସାକୁ ନେଇ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୁହରେ ହିଂସା ସୃଷ୍ଟି କରିବା ଏବଂ ଉତ୍ତେଜିତ ଭାଷଣ ଦେବା ମାମଲାରେ ନୁହ ପୋଲିସ ମଙ୍ଗଳବାର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ବିଟୁ ବଜରଙ୍ଗୀଙ୍କୁ ଗିରଫ କରିଛି।

ପୋଲିସ ବିଟୁଙ୍କୁ ତାଙ୍କ ଫରିଦାବାଦସ୍ଥିତ ବାସଭବନରୁ ଗିରଫ କରିଛି। ହିଂସା ମାମଲାର ତଦନ୍ତ ପରେ ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ହିଂସାକାଣ୍ଡର ଦିନକ ପରେ ଅଗଷ୍ଟ ୧ରେ ହରିୟାଣାର ଫରିଦାବାଦର ଡବୁଆ ଥାନାରେ ବିଟୁ ବଜରଙ୍ଗୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ନୁହରୁ ଆରମ୍ଭ ହୋଇଥିବା ଏହି ହିଂସା ଗୁରୁଗ୍ରାମ ଏବଂ ଆଖପାଖ ଜିଲ୍ଲାକୁ ମଧ୍ୟ ବ୍ୟାପିଯାଇଥିଲା।

ଜୁଲାଇ ୩୧ରେ ବ୍ରଜମଣ୍ଡଳ ଶୋଭାଯାତ୍ରା ପୂର୍ବରୁ ଫରିଦାବାଦରୁ ବାହାରିବା ସମୟରେ ବିଟୁ ବଜରଙ୍ଗୀ ଉତ୍ତେଜିତ ଭାଷଣ ଦେଇଥିଲେ। ସେ ନିଜକୁ ଗୋରକ୍ଷକ ବୋଲି ଦାବି କରନ୍ତି।

ଏଏସ୍‌ପି ଉଷା କୁଣ୍ଡୁଙ୍କ ଅଭିଯୋଗ ଆଧାରରେ ବିଟୁ ବଜରଙ୍ଗୀଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ନୁହ ସଦର ଥାନାରେ ୪୧୩ ନଂ. ରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ପୋଲିସ ତାଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.