ମଣିପୁର: ଗ୍ରୋସରୀ ଦୋକାନରେ ମହିଳାଙ୍କୁ ଯୌନ ନିର୍ଯାତନା ଦେଲେ BSF ଯବାନ; ମିଳିଲା କର୍ମର ଦଣ୍ଡ

ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି ବିଏସ୍ଏଫ୍ ଯବାନ। ଘଟଣା ଇମ୍ଫାଲର। ଏକ ଗ୍ରୋସରୀ ଦୋକାନ ଭିତରେ ଯବାନ ଜଣକ ମହିଳାଙ୍କୁ ଅଶ୍ଳୀଳ ଢଙ୍ଗରେ ଛୁଉଁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ମଣିପୁରରେ ହିଂସାର ନିଆଁ ଜଳୁଛି। ଜୁଲାଇ ୧୯ରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ୍‌ କରାଇବା ଭିଡିଓ ନାରୀ ଅସ୍ମିତା ଉପରେ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏବେ ଏହିଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଏଥର ଜଣେ ମହିଳା ବିଏସ୍ଏଫ୍ ଯବାନଙ୍କ ଅଶ୍ଳୀଳ ହରକତର ଶିକାର ହୋଇଛନ୍ତି।

ଘଟଣା ଇମ୍ଫାଲର। ଏକ ଗ୍ରୋସରୀ ଦୋକାନ ଭିତରେ ଯବାନ ଜଣକ ମହିଳାଙ୍କୁ ଅଶ୍ଳୀଳ ଢଙ୍ଗରେ ଛୁଉଁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ବର୍ତ୍ତମାନ ଅଭିଯୁକ୍ତ ଯବାନଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଭିଡିଓରେ ଦେଖା ଯାଉଛି ଯେ INSAS ରାଇଫଲ ସହ ୟୁନିଫର୍ମ ପିନ୍ଧା ଜଣେ ବ୍ୟକ୍ତି ମହିଳାଙ୍କୁ ଅଶ୍ଳୀଳ ଢଙ୍ଗରେ ସ୍ପର୍ଶ କରୁଛନ୍ତି। ଭିଡିଓରୁ ସେ ହେଡ୍‌ କନଷ୍ଟେବଳ ସତୀଶ ପ୍ରସାଦ ବୋଲି ଜଣାପଡ଼ିଛନ୍ତି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏହି ଘଟଣା ଜୁଲାଇ ୨୦ରେ ଇମ୍ଫାଲର ଏକ ପେଟ୍ରୋଲ ପମ୍ପ ନିକଟ ଗ୍ରୋସରୀ ଦୋକାନରେ ଘଟିଛି। ଅଭିଯୁକ୍ତ ହେଡ୍‌ କନଷ୍ଟେବଳ ସତୀଶ ପ୍ରସାଦଙ୍କୁ ନିଲମ୍ବିତ କରାଯାଇଛି ଏବଂ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଧିକାରୀଙ୍କ କହିବା ଅନୁସାରେ, ଘଟଣାରେ ଆଭ୍ୟନ୍ତରୀଣ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କୁ କଡ଼ା ନଜରରେ ରଖାଯାଇଛି।