Below header

ଯୁବତୀଙ୍କୁ ୧୨ କିମି ଘୋଷାଡି ନେବା ଘଟଣାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ: ପୋଲିସ କର୍ମଚାରୀ ହୋସ୍‌ରେ ନଥିଲେ, ଯୁବତୀଙ୍କୁ ସାହାଯ୍ୟ କରିନଥିଲେ

ନୂଆବର୍ଷରେ ନୃଶଂସ କାମ କଲେ । ୨୦ ବର୍ଷୀୟ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେଇ ୧୨ କିମି ଘୋଷାଡି ନେଲେ । ଜିରୋ ନାଇଟ୍ ସେଲିବ୍ରେସନର କିଛି ଘଣ୍ଟା ପରେ ଦିଲ୍ଲୀ ସୁଲତାନପୁରୀରେ ଲୋମଟାଙ୍କୁରା ଦୁର୍ଘଟଣା ଘଟିଥିଲା । ଏହି ମାମଲାରେ ପୋଲିସ ୫ ଜଣ ଲୋକଙ୍କୁ ଗିରଫ କରିଛି। କିନ୍ତୁ ଏହାକୁ ନେଇ ଦିଲ୍ଲୀ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି ।

ଖବର ମୁତାବକ, ଏହି ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଯୁବତୀ ଜଣକ ପିସିଆର ଭ୍ୟାନ୍‌ରେ ପୋଲିସ ଠାରୁ ସହାୟତା ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୋଲିସ କର୍ମଚାରୀ ହୋସରେ ନଥିଲେ । ପୋଲିସ ନିଶାରେ ରହିଥିବା ଯୋଗୁଁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ପ୍ରତ୍ୟକ୍ଷଦର୍ଶୀ ଜଣକ ଭୋର ୩.୩୦ ସମୟରେ କ୍ଷୀରର ବିକ୍ରି ପାଇଁ ଯାଉଥିବା ବେଳେ ଏଭଳି ଘଟଣା ଦେଖିଥିଲେ ।

ତାଙ୍କ କହିବା ଅନୁଯାୟୀ, କାରଟି ସାମାନ୍ୟ ଗତିରେ ଯାଉଥିବା ବେଳେ ଚାଳକ ହୋସରେ ଥିଲେ । ଯୁବତୀଙ୍କୁ ଘୋଷାଡି ନେବା ପରେ ସେ ପିସିଆର ସହାୟତା ନେବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ୫ଟା ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନ ଥିଲା ।

ତେବେ ଏହାକୁ ନେଇ ପୋଲିସ କହିଛି, ରବିବାର ଭୋର ୩.୩୦ ମିନିଟରେ ଏକ ଫୋନ କଲ ଆସିଥିଲା । ଆଉ ଫୋନରେ ଥିବା ଲୋକ କହିଥିଲେ, ଏକ ଗ୍ରେ ରଙ୍ଗର ବଲେନୋ କାର ଜଣେ ଯୁବତୀଙ୍କ ମୃତଦେହକୁ ଘୋଷାଡି ନେଉଛି। ଆଉ ଗାଡିର ରେଜିଷ୍ଟ୍ରେସନ ନମ୍ବର ମଧ୍ୟ କହିଥିଲେ । ଏହି ଆଧାରରେ ପୋଲିସ କାର ମାଲିକ ସମତେ ୫ ଜଣଙ୍କୁ ଗିରଫ କରିଛି । ଧାରା ୨୭୯ (ଦ୍ରୁତ ଗାଡିଚାଳନା) ଏବଂ ୩୦୪-ଏ (ଅବହେଳା ଦ୍ୱାରା ମୃତ୍ୟୁ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଦୀପକ ଖାନ୍ନା, ଅମିତ ଖାନ୍ନା, କୃଷ୍ଣ, ମିଥୁନ ଏବଂ ମନୋଜ ମିତ୍ତଲଙ୍କୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ସେମାନେ ଜାଣିନଥିଲେ ତାଙ୍କ କାର ଏକ ମୃତଦେହକୁ ଘୋଷାଡି ଆଣିଛି । ଆଉ ଯେତେବେଳେ ଜାଣିଲେ ମୃତଦେହକୁ କାରରୁ ହଟାଇବା ପରେ ଛାଡି ଫେରାର ହୋଇଯାଇଥିଲେ ।

ତେବେ ମୃତ ଯୁବତୀଙ୍କ ମା’ କହିଛନ୍ତି, ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି। ତାଙ୍କର ନଗ୍ନ ମୃତଦେହ ମିଳିଥିବାରୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରୁଛନ୍ତି। ଯୁବତୀଙ୍କ ମୃତଦେହ ସଂପୂର୍ଣ୍ଣ ଉଲଗ୍ନ ଥିଲା କିନ୍ତୁ ଡ୍ରେସ ସଂପୂର୍ଣ୍ଣ ଭାବେ ଚିରିନଥିଲା। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.