ଚଣ୍ଡୀଗଡ଼ ବିମାନବନ୍ଦର ଓ ସରକାରୀ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଯାଞ୍ଚ କରୁଛି ବୋମା ସ୍କ୍ଵାଡ୍‌

ଦିଲ୍ଲୀ ପରେ ଏବେ ଚଣ୍ଡୀଗଡ଼ । ଚଣ୍ଡୀଗଡ଼ର ଏକ ସରକାରୀ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏଠାରେ ସେକ୍ଟର-୩୨ସ୍ଥିତ ହସ୍ପିଟାଲ ଆଣ୍ଡ୍‌ ମେଡିକାଲ କଲେଜ ମେଣ୍ଟାଲ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟକୁ ବୋମା ଧମକ ମିଳିଛି । ଘଟଣାକୁ ନେଇ ହସ୍ପିଟାଲ ଷ୍ଟାଫ୍‌ ଏବଂ ରୋଗୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଥିବା ସୂଚନା ରହିଛି ।

ଦିଲ୍ଲୀରେ ହସ୍ପିଟାଲ ଏବଂ ସ୍କୁଲଗୁଡ଼ିକୁ ବୋମା ଧମକ ମିଳିବା ପରେ ଏବେ ଚଣ୍ଡୀଗଡ଼ର ହସ୍ପିଟାଲକୁ ଧମକପୂର୍ଣ୍ଣ ଇ-ମେଲ୍‌ ଆସିଛି । ଏହି ଘଟଣା ପରେ ଆଖପାଖ ଅଞ୍ଚଳଗୁଡ଼ିକୁ ଖାଲି କରାଯାଉଛି । ଖବର ପାଇ ଚଣ୍ଡୀଗଡ଼ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ସୂଚନା ମୁତାବକ, ହସ୍ପିଟାଲ ପ୍ରଶାସନକୁ ଧମକପୂର୍ଣ୍ଣ ଇ-ମେଲ୍‌ ପଠାଯାଇଥିଲା । ହସ୍ପିଟାଲର ମନୋବୈଜ୍ଞାନିକ ବିଭାଗ ଏହି ମେଲ୍‌ ପାଇଥିଲା । ବୋମା ଧମକ ମିଳିବା ପରେ ହସ୍ପିଟାଲ ପ୍ରଶାସନ ଏବଂ ସିକ୍ୟୁରିଟି ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା ।

ସୂଚନା ପାଇ ଚଣ୍ଡୀଗଡ଼ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ, କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ସମେତ ଅନେକ ଯାଞ୍ଚ ଏଜେନ୍ସି ହସ୍ପିଟାଲରେ ପହଞ୍ଚିଥିଲେ । ବର୍ତ୍ତମାନ ବୋମା ସ୍କ୍ଵାଡ୍‌ ସାହାଯ୍ୟରେ ହସ୍ପିଟାଲ ପରିସରରେ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି । କୁହାଯାଉଛି ଯେ ଏହି ଇ-ମେଲ୍‌ରେ ଆଉ କେତେକ ହସ୍ପିଟାଲର ନାମ ମଧ୍ୟ ଉଲ୍ଲେଖ କରାଯାଇଛି । ହସ୍ପିଟାଲ ସହିତ ଚଣ୍ଡୀଗଡ଼ ଏୟାରପୋର୍ଟକୁ ମଧ୍ୟ ବୋମା ଧମକ ମିଳିଥିବା ଜଣାଯାଇଛି ।

କହି ରଖୁଛୁ ଯେ ଏହା ପୂର୍ବରୁ ଦିଲ୍ଲୀର ବିଭିନ୍ନ ହସ୍ପିଟାଲକୁ ବୋମା ଧମକ ମିଳିଥିଲା । ଏହାକୁ ନେଇ ଚାରିଆଡ଼େ ଆତଙ୍କର ବାତାବରଣ ଖେଳିଯାଇଥିଲା । ଏହି ହସ୍ପିଟାଲଗୁଡ଼ିକ ମଧ୍ୟରେ ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ (ଜନକପୁରୀ), ହେଡ୍‌ଗେଓ୍ଵାର ହସ୍ପିଟାଲ, ଦୀପଚନ୍ଦ୍ର ବନ୍ଧୁ ହସ୍ପିଟାଲ ଆଦି ଅନ୍ତର୍ଭୁକ୍ତ ଥିଲା । ଏହାସହ ବୁରାଡ଼ି ହସ୍ପିଟାଲ, ସଞ୍ଜୟ ଗାନ୍ଧି ହସ୍ପିଟାଲକୁ ମଧ୍ୟ ଧମକ ମିଳିବା ପରେ ଉଭୟ ହସ୍ପିଟାଲରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା ।

Leave A Reply

Your email address will not be published.