ପୁଣି କରୋନା କବଳରେ ଚୀନ୍ : ସଂକ୍ରମଣ ବଢ଼ିବା ପରେ ପଜିଟିଭ ବ୍ୟକ୍ତିଙ୍କୁ ନେବା ପାଇଁ ଘରେ ପହଞ୍ଚିଲା କ୍ରେନ୍; ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ : ୨ ବର୍ଷ କାଳ କରୋନାର କରାଳ ରୂପ ସାରା ବିଶ୍ବ ଦେଖିବା ପରେ ଏବେ ଧୀରେ ଧୀରେ ସଂକ୍ରମଣ କମିବାରେ ଲାଗିଛି। ପରିସ୍ଥିତି ସୁଧୁରୁଥିବା ବେଳେ କରୋନା ଭୂତାଣୁର ଉତ୍ପତିସ୍ଥଳ ବୋଲି କୁହାଯାଉଥିବା ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦ୍ରୁତ ଗତିରେ ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଅନେକ ସହରରେ ପୁନର୍ବାର ଲକଡାଉନ୍ ଲାଗୁ କରାଯାଇଛି। ସାମାଜିକ ଦୂରତାକୁ ଅନୁସରଣ କରିବା ପାଇଁ ଅଜବ ଉପାୟ ଅବଲମ୍ବନ କରାଯାଉଛି।
ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ କରୋନା ପଜିଟିଭ ବ୍ୟକ୍ତିଙ୍କୁ କ୍ରେନ୍ ଦ୍ୱାରା ଉଠାଯାଉଛି। ଏହି କ୍ରେନ ଘର ଭିତରୁ ଜଣେ ପଜିଟିଭ ବ୍ୟକ୍ତି ଉଠାଉଥିବା ଦେଖିବାକୁ ମିଳିଛି । ସାରା ବିଶ୍ୱରେ ଏବେ କରୋନା କଟକଣା ହଟାଉଥିବା ବେଳେ ଚୀନ କଣ ପାଇଁ ଏଭଳି ନୀତି ଆପଣାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ଚୀନରେ ଏବେ ବି ଜିରୋ କୋଭିଡ୍ ନୀତି ଜାରି ରହିଥିବାରୁ ଏଭଳି କରାଯାଉଥିବା କୁହାଯାଉଛି । ଚୀନ୍ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏହି ଭିଡିଓ କେଉଁ ସହରରୁ ଆସିଛି ତାହା ଜଣା ପଡିନାହିଁ।
中国式现代化。【方老师,投稿一个防疫大革命的荒谬视频。一个阳性患者被吊机吊出小区,因为他们不敢进去接,也不想患者的细菌留在地板上,这样能保证最小的接触面积。】 pic.twitter.com/2BM3Afm3V6
— 方舟子 (@fangshimin) October 25, 2022
ଚାଇନାର ଲେଖକ ଫାଙ୍ଗ ଝୋଉଜିନ ଏହି ଭିଡିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି – କରୋନା ରୋଗୀଙ୍କୁ କ୍ରେନ୍ ଦ୍ୱାରା ଅଲଗା ଅଲଗା ୱାର୍ଡକୁ ନିଆଯାଇଥିଲା। ଅଧିକାରୀମାନେ ଚାହୁଁ ନଥିଲେ ଯେ କୌଣସି ବ୍ୟକ୍ତି କରୋନା ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତୁ। ସାମାଜିକ ଦୂରତା ନାମରେ PPE କିଟ୍ ପିନ୍ଧିଥିବା ଅଧିକାରୀ ମଧ୍ୟ ରୋଗୀ ପାଖକୁ ଆସିନଥିଲେ। ଏହାର କିଛି ଦିନ ପୂର୍ବରୁ ବ୍ୟବସାୟିକ ଟାଇକନ୍ ହର୍ଷ ଗୋଏଙ୍କା ଏକ ଭିଡିଓ ସେୟାର କରି ଚାଇନାର ଆଇସୋଲେସନ ସେଣ୍ଟରର ବାସ୍ତବତା ଚିତ୍ର ଦର୍ଶାଇଥିଲେ। ଭିଡିଓରେ କିଛି ଜେଲ୍ ବ୍ୟାରେକ୍ ପରି କୋଠରୀ ଦେଖିବାକୁ ମିଳିଥିଲା। ଏହି ଧଳା ରଙ୍ଗର କୋଠରୀରେ ଛୋଟ ଛୋଟ ଝରକା ଖୋଲା ଥିଲା ଏବଂ ସେଥିରେ ଜଣେ PPE କିଟ୍ ପିନ୍ଧିଥିବା ବ୍ୟକ୍ତି ଲୋକମାନଙ୍କୁ ଖାଦ୍ୟ ଏବଂ ଔଷଧ ବଢ଼ାଇ ଦେଉଥିଲେ ।
ଚୀନର ରିପୋର୍ଟ ମୁତାବକ ତିନି ଦିନ ହେବ ଚୀନରେ ହଜାରରୁ ଅଧିକ କରୋନା ସକ୍ରମିତ ଚିହ୍ନଟ ହେଉଛନ୍ତି । ଆଶ୍ଚର୍ଯ୍ୟର କଥା ଏଭଳି କଠୋରତା ପରେ ମଧ୍ୟ ଚାଇନାରେ କରୋନା ମାମଲା ଦିନକୁ ଦିନ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏହା ପୁନର୍ବାର ଏହାର ଜିରୋ କୋଭିଡ୍ ନୀତିକୁ କଡାକଡି କରୁଛି। ଦେଶର ପାର୍କ, ସପିଂ ମଲ୍, ପ୍ରେକ୍ଷାଳୟ ପରି ସର୍ବସାଧାରଣ ସ୍ଥାନରେ ପ୍ରବେଶ ପାଇଁ କରୋନା ନେଗେଟିଭି ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ୭୨ ଘଣ୍ଟାରୁ ଅଧିକ ପୁରୁଣା ରିପୋର୍ଟ ଗ୍ରହଣ କରାଯିବ ନାହିଁ ବୋଲି କୁହାଯାଇଛି ।
ସୂଚନା ଯୋଗ୍ୟ ୧୭ ନଭେମ୍ବର ୨୦୧୯ ରେ ଚାଇନାର ୱୁହାନ ସହରରେ କରୋନାର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ। ଏହାର ୨୧ ଦିନ ପରେ, ଅର୍ଥାତ୍ ୮ ଡିସେମ୍ବର ୨୦୧୯ ରେ କରୋନା ସଂକ୍ରମଣର ପ୍ରଥମ ରୋଗୀଙ୍କ ବିଷୟରେ ସୂଚନା ଦିଆଯାଇଥିଲା। ଡିସେମ୍ବର ୨୦୧୯ ସୁଦ୍ଧା ଚୀନ୍ କର୍ତ୍ତୃପକ୍ଷ ୨୬୬ ଜଣ କରୋନା ଭୂତାଣୁ ଚିହ୍ନଟ କରିଥିଲେ। ୧ ଜାନୁୟାରୀ ୨୦୨୦ ସୁଦ୍ଧା ୩୮୧ ଟି ମାମଲା ରୁଜୁ ହୋଇଥିଲା।