Below header

ଚୀନରେ ଭୟଙ୍କର ସ୍ଥିତି! ଔଷଧର ଘୋର ଅଭାବ; କମଳା ଓ ଲେମ୍ବୁ ଖାଇବାକୁ ଡହଳ ବିକଳ ହେଉଛନ୍ତି ରୋଗୀ

କରୋନା ପୁଣିଥରେ ଭୟଙ୍କର ରୂପ ଧାରଣ କରୁଛି। ଚୀନରେ ସ୍ଥିତି ବହୁତ ଖରାପ ରହିଛି। ଏଠି କରୋନା ମାମଲା ଥମିବାର ନାଁ ଧରୁନାହିଁ। ପ୍ରତିଦିନ ଲକ୍ଷାଧିକ ମାମଲା ସାମ୍ନାକୁ ଆସୁଥିବା ବେଳେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟୁଛି। ଏ ଭିତରେ ଚୀନରୁ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକି ସେଠାକାର ସ୍ଥିତିକୁ ସ୍ପଷ୍ଟ କରି ଦେଉଛି। ଚୀନର ଡିଣ୍ଟେସନ କ୍ୟାମ୍ପ୍‌ରେ ଔଷଧଗୁଡ଼ିକର ଘୋର ଅଭାବ ରହିଛି, ଯାହାଫଳରେ ରୋଗୀମାନେ ଡହଳ ବିକଳରେ ଲେମ୍ବୁ, କମଳା ଆଦି ଲୁଟିବାରେ ଲାଗିପଡ଼ିଛନ୍ତି।

ଏହି ଘଟଣା ଚୀନର ଏକ ଡିଣ୍ଟେସନ କ୍ୟାମ୍ପ୍‌ର ବୋଲି କୁହାଯାଉଛି। ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। ରିପୋର୍ଟ ଅନୁସାରେ, ଭିଡିଓରେ ନଜର ଆସୁଥିବା ସ୍ଥାନ ସଂଘାଇର ଏକ ହେଲ୍‌ଥ ସେଣ୍ଟରର, ଯାହାକୁ ଡିଣ୍ଟେସନ କ୍ୟାମ୍ପ୍‌ କରାଯାଇଛି। କରୋନା ରୋଗୀଙ୍କୁ ଏଠାରେ ଡିଟେନ୍‌ କରି ରଖାଯାଇଛି ଏବଂ ସେମାନେ ଏଠାକାର ଅବସ୍ଥା ଦେଖି ଖୁବ୍‌ ହୋହଲ୍ଲା କରୁଛନ୍ତି। ସେମାନଙ୍କ ପାଖରେ ଔଷଧ ସୁଦ୍ଧା ପହଞ୍ଚିପାରୁ ନାହିଁ।

ଚୀନରେ ଔଷଧର ଘୋର ଅଭାବ ହେତୁ ଲୋକମାନେ ପ୍ରଚୁର ମାତ୍ରାରେ କମଳା ଓ ଲେମ୍ବୁ ଖାଉଛନ୍ତି। କମଳା ଓ ଲେମ୍ବୁ ସେବନ ଦ୍ୱାରା ଇମ୍ୟୁନିଟି ବଢ଼ିଥାଏ ଏବଂ ସଂକ୍ରମଣ ହେବାର ଆଶଙ୍କା କମି ଯାଇଥାଏ। ସାରା ଚୀନରେ ଏବେ ହାହାକାର ସ୍ଥିତି। ଲଣ୍ଡନର ଗ୍ଲୋବାଲ ହେଲ୍‌ଥ ଇଣ୍ଟେଲିଜେନ୍ସ କମ୍ପାନୀ ଏୟାରଫିନିଟି ମୁତାବକ, ଚୀନରେ ପ୍ରତିଦିନ ୧୦ ଲକ୍ଷ କରୋନା ମାମଲା ସାମ୍ନାକୁ ଆସୁଛି।

ରିପୋର୍ଟ ମୁତାବକ, ୨୪ ଘଣ୍ଟା ଭିତରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଚୀନରେ ଜିରୋ କୋଭିଡ୍‌ ପଲିସି ଉଠିଯିବା ପରେ ଆଗକୁ ୨୧ ଲକ୍ଷ ମୃତ୍ୟୁ ହେବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। କମଳା ଓ ଲେମ୍ବୁ ପାଇଁ ଚୀନବାସୀ ଟଣା ଘୋଷଡ଼ା ହୋଉଥିବା ଭିଡିଓରେ ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.