ଗୁଜରାଟକୁ ମାଡି ଆସୁଛି ବାୟୁ, ଫନିର ସଫଳ ମୁକାବିଲା କରିଥିବା ଓଡ଼ିଶାର ପରାମର୍ଶ ଲୋଡ଼ିଲେ ଗୁଜରାଟ ସରକାର

ଗୁଜରାଟ : ଗୁଜରାଟରେ ବାୟୁର ପ୍ରଭାବ ଆରମ୍ଭ ହୋଇ ସାରିଲାଣି। ବଢି ସାରିଲାଣି ପବନର ବେଗ। ରାତି ୧୨ଟାରୁ ଆହୁରି ବଢିବ। ସକାଳେ ପୋରବନ୍ଦର ଓ ମହୁଆ ମଧ୍ୟ ଦେଇ ଅତିକ୍ରମ କରିବ ଭେରି ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବାୟୁ । ଲ୍ୟାଣ୍ଡଫଲ୍‌ ବେଳେ ଘଣ୍ଟାପ୍ରତି ୧୪୫ରୁ ୧୫୫ କିଲୋମିଟର ବେଗରେ ପବନ ବହିବ । ଏହାର ବେଗ ବଢ଼ି ୧୭୦ କିଲୋମିଟର ଛୁଇଁପାରେ। ଦେଢ ମିଟରରୁ ଦୁଇ ମିଟର ଉଚ୍ଚରେ ଉଠିପାରେ ଜୁଆର। ଏଥିପାଇଁ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ତଳି ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ପ୍ରାୟ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେନା ଓ ଏନଡିଆରଏଫ୍‌। କଚ୍ଛ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ସୋମନାଥ, ଦ୍ୱାରକା ଓ କଚ୍ଛ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ଫେରିଯିବାକୁ ଦିଆଯାଇଛି ନିର୍ଦ୍ଦେଶ। ରାଜ୍ୟରେ ୧୦ଟି ଜିଲ୍ଲାରେ ଦୁଇ ଦିନ ପାଇଁ ବନ୍ଦ ରହିବ ସ୍କୁଲ। ବାତିଲ କରାଯାଇଛି ସବୁ ସରକାରୀ ଅଧିକାରୀଙ୍କ ଛୁଟି। ଗୁଜରାଟରେ ସେନା ସହ ୫୧ ଏନ୍‌ଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି। ରାଜ୍ୟର କିଛି ରୁଟରେ ରେଳ ଚଳାଚଳକୁ ଆସନ୍ତାକାଲି ପର‌୍ୟ୍ୟନ୍ତ ବନ୍ଦ ରଖାଯାଇଥିବା ବେଳେ ଅହମ୍ମଦାବାଦ ବିମାନବନ୍ଦରରୁ କାଲି କିଛି ବିମାନର ଉଡ଼ାଣକୁ ବି ରଦ୍ଦ କରାଯାଇଛି।

୨୦ ବର୍ଷ ଭିତରେ ଗୁଜରାଟ ଏହି ବାତ୍ୟା ସବୁଠାରୁ ବଡ଼ ବୋଲି କୁହାଯାଉଛି। ଗତମାସରେ ଓଡ଼ିଶା ଏଭଳି ଏକ ବାତ୍ୟାର ସମ୍ମୁଖିନ ହୋଇଥିଲା। ପ୍ରାକ୍‌ ପ୍ରସ୍ତୁତି ଯୋଗୁଁ ବହୁ ଧନଜୀବନ ରକ୍ଷା କରିପାରିଥିଲେ ଓଡ଼ିଶା ସରକାର। ତେଣୁ ବାୟୁର କିଭଳି ମୁକାବିଲା ଓ ପରିଚାଳନା କରାଯିବ ସେ ନେଇ ଗୁଜରାଟ ସରକାର ଓଡ଼ିଶା ସରକାରଙ୍କ ସହାୟତା ଲୋଡିଛନ୍ତି । ଗୁଜରାଟ ମୁଖ୍ୟ ଶାସନ ସଚିବ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇଛନ୍ତି।

ଗୁଜରାଟ ସୁରଟରେ ବହୁ ସଂଖ୍ୟା ଓଡ଼ିଆ ରହୁଛନ୍ତି । ବିଶେଷ କରି ଗଂଞ୍ଜାମ ଜିଲ୍ଲାରୁ ଯାଇ ଲୋକେ ସେଠାରେ କାମ କରୁଛନ୍ତି। କିନ୍ତୁ ବାତ୍ୟାର ପ୍ରଭାବ ସୁରଟ ଉପରେ ପଡିବ ନାହିଁ। ରାଜ୍ୟର କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଡିଉ, ଗିର ସୋମନାଥ, ଅମରେଲି ଓ ଭାବନଗର ଜିଲ୍ଲା ବାତ୍ୟା ଯୋଗୁଁ ପ୍ରଭାବିତ ହେବା ଆଶଙ୍କା ରହିଛି। ବାତ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି କେନ୍ଦ୍ର ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.