ସ୍କୁଟି ନମ୍ବର ପ୍ଲେଟ୍‌ରେ ରହିଛି ‘S…’ ଶବ୍ଦ, ଲୋକ ଲଜ୍ଜା ଭୟରେ ଘରୁ ଗାଡ଼ି ବାହାର କରିପାରୁନାହାନ୍ତି ଯୁବତୀ

ଆର୍‌ଟିଓ ପକ୍ଷରୁ ଏମିତି ଗାଡ଼ି ନମ୍ବର ମିଳିଛି ଯେ ସ୍କୁଟିକୁ ଘରୁ ବାହାର କରିପାରୁନାହାନ୍ତି ଯୁବତୀ। ଏହି ନମ୍ବରରେ SEX ଲେଖାଯାଇଛି। ଏହି ଶବ୍ଦର ଅର୍ଥ ଅଶାଳୀନ ଲାଗୁଥିବାରୁ ଲାଜରେ ଯୁବତୀ ଜଣକ ଗାଡ଼ି କିଣିବା ଦିନଠାରୁ ତାକୁ ଥରୁଟିଏ ବି ରାସ୍ତାକୁ କାଢ଼ିପାରୁନାହାନ୍ତି। ଏଭଳି ଘଟଣା ଘଟିଛି ଦିଲ୍ଲୀର ଜଣେ ଯୁବତୀଙ୍କ ସହ। ଦିଲ୍ଲୀରେ ଆର୍‌ଟିଓ ପକ୍ଷରୁ ଏକ ଦୁଇ ଚକିଆ ସ୍କୁଟିକୁ ଏମିତି ଏକ ନମ୍ବର ଜାରି କରାଯାଇଛି, ଯାହା ପାଇଁ ପୂରା ପରିବାର ଚିନ୍ତାରେ।

ନିୟମ ମୁତାବକ, ସାଉଥ୍‌ ଦିଲ୍ଲୀ ଆର୍‌ଟିଓ ପକ୍ଷରୁ ଗାଡ଼ିଗୁଡ଼ିକୁ DL3C ଓ DL3S ସିରିଜ୍‌ର ନମ୍ବର ଦିଆଯାଇଛି। ଏହି ଧାରାରେ ଗତ ମାସରେ DL3 SEX ସିରିଜ୍‌ର ନୂଆ ନମ୍ବରର ଆଲର୍ଟ ହୋଇଥିଲା। କିନ୍ତୁ ଏବେ ଏହି ସିରିଜ୍‌ ଗାଡ଼ି ମାଲିକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାରଣ ଏହି ସିରିଜ୍‌ରେ ଯେଉଁ ଆଲ୍‌ଫାବେଟ୍‌ ଦିଆଯାଉଛି, ତାହା ଖୁବ୍‌ ଅଜବ। ଏହା SEX ଶବ୍ଦ ତିଆରି କରୁଛି।

ଦିଲ୍ଲୀର ଜଣେ ଯୁବତୀଙ୍କୁ ତାଙ୍କ ବାପା ଉପହାରରେ ଏକ ସ୍କୁଟି ଦେଇଥିଲେ। କିନ୍ତୁ ଆର୍‌ଟିଓ ପକ୍ଷରୁ ଏହି ଗାଡ଼ିର ନମ୍ବର ଦିଆଯିବା ପରେ ନମ୍ବର ପ୍ଲେଟ୍‌ରେ SEX ଲେଖାଯାଇଛି। ଫଳରେ ଲାଜରେ ଯୁବତୀ ଜଣକ ଏହି ସ୍କୁଟିକୁ ରାସ୍ତାକୁ କାଢ଼ି ପାରୁନାହାନ୍ତି। ରାସ୍ତାରେ ଏହି ନମ୍ବରର ପ୍ଲେଟ୍‌ ଥିବା ଗାଡ଼ି ଚଲାଇଲେ ଲୋକମାନେ ତାଙ୍କୁ ଅଶାଳୀନ କମେଣ୍ଟ କରିବା ସହ ଅଭଦ୍ର ଭାଷା କହୁଛନ୍ତି। ଗାଡ଼ି ନମ୍ବର ପାଇଁ ତାଙ୍କୁ ଲୋକେ ଚିଡ଼ାଉଛନ୍ତି ମଧ୍ୟ। ଏଣୁ ଯୁବତୀ ଲୋକ ଲଜ୍ଜା ଭୟରେ ଗାଡ଼ି କାଢ଼ି ପାରୁନଥିବା କହିଛନ୍ତି।

ଏ ନେଇ ଆର୍‌ଟିଓ ଅଧିକାରୀଙ୍କୁ ପଚାରିବାରୁ ସେମାନେ କହିଛନ୍ତି, ଥରେ ଇସ୍ୟୁ ହୋଇସାରିବା ପରେ ଆଉ ଗାଡ଼ି ନମ୍ବର ବଦଳାଇବା ସମ୍ଭବ ନୁହେଁ। କିନ୍ତୁ ଯଦି ଏବେ ଏଭଳି ଅଭିଯୋଗ ଆସଛି ତେବେ ଆମେ ତା’ ଉପରେ ପୁଣିଥରେ ବିଚାର କରିବୁ। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମେ କିଛି କରିବୁ ବୋଲି କହିଛନ୍ତି ପରିବହନ ବିଭାଗର ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.