ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ବିନା ଅନୁମତିରେ କେହି ବ୍ୟବହାର କରିପାରିବେ ନାହିଁ ଅମିତାଭ ବଚ୍ଚନଙ୍କ ନାମ, ସ୍ୱର ଓ ଫଟୋ

ଶତାବ୍ଦୀର ମହାନାୟକ ଏବଂ ବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଓ ସ୍ୱର ଏଣିକି ବିନା ଅନୁମତିରେ ବ୍ୟବହାର କରିହେବ ନାହିଁ। ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାୟର କରି ନିଜ ନାମ, ଫଟୋ, ସ୍ୱର ଏବଂ ଅନ୍ୟାନ୍ୟ ପ୍ରତୀକକୁ ବିନା ଅନୁମତିରେ ବ୍ୟବହାର ଉପରେ ରୋକ୍‌ ଲଗାଇବାକୁ ଦାବି କରିଥିଲେ। ଏହି ପିଟିସନ ଉପରେ ଶୁଣାଣି ବେଳେ ହାଇକୋର୍ଟ ଆଜି ନିଜର ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି। କୋର୍ଟ କହିଛନ୍ତି କି, ଏବେ ଭବିଷ୍ୟତରେ ଅମିତାଭ ବଚ୍ଚନଙ୍କ ଅନୁମତି ବିନା ତାଙ୍କ ଫଟୋ, ସ୍ୱର ଏବଂ ଅନ୍ୟାନ୍ୟ ବ୍ୟକ୍ତିଗତ ପ୍ରତୀକ ବ୍ୟବହାର ହୋଇପାରିବ ନାହିଁ। ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଏହି ନିଷ୍ପତ୍ତି ସହ ଜଡିତ ନିଜର ଆଦେଶ ଜାରି କରିଛନ୍ତି।

ହାଇକୋର୍ଟ ଦେଶରେ କାର୍ଯ୍ୟ କରୁଥିବା ସମସ୍ତ ଟେଲିକମ୍ ଅପରେଟରଙ୍କୁ ବି ଏହି ପ୍ରସଙ୍ଗରେ ତାଙ୍କ ଆଦେଶ ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଜି କୋର୍ଟରେ ଶୁଣାଣି ସମୟରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି, ‘ମୋ କ୍ଲାଇଣ୍ଟ୍‌ଙ୍କ ବ୍ୟକ୍ତିଗତ ଅଧିକାର ଖରାପ କରାଯାଉଛି। ସେ ଚାହାନ୍ତି ଯେ ତାଙ୍କ ନାମ, ସ୍ୱର ଓ ଫଟୋ ତାଙ୍କ ବିନା ଅନୁମତିରେ ବ୍ୟବହାର ହେବା ଉଚିତ୍‌ ନୁହେଁ’।

ଅମିତାଭ ବଚ୍ଚନଙ୍କ ଓକିଲ ହାଇକୋର୍ଟରେ ଏହା ମଧ୍ୟ କହିଥିଲେ ଯେ ଅନେକ କମ୍ପାନୀ ଅମିତାଭ ବଚ୍ଚନଙ୍କ ବିନା ଅନୁମତିରେ ତାଙ୍କ ନାମ, ସ୍ୱର ଏବଂ ବ୍ୟକ୍ତିତ୍ୱର ବ୍ୟବହାର କରୁଛନ୍ତି, ଆଉ ଏ ସବୁ ଦୀର୍ଘ ଦିନରୁ ଲଗାତାର ଭାବେ ଚାଲି ଆସୁଛି। ଆଜିକାଲି ଅନଲାଇନ ଲଟେରୀ ଏବଂ ଟି-ସାର୍ଟ ଭଳି ପ୍ରଡକ୍ଟସ୍‌ରେ ମଧ୍ୟ ତାଙ୍କ କ୍ଲାଇଣ୍ଟ୍‌ଙ୍କ (ଅମିତାଭ ବଚ୍ଚନ) ଫଟୋ ଓ ସ୍ୱର ବ୍ୟବହାର କରାଯାଉଛି। ଏହିପରି ଅନେକ ୱେବସାଇଟର ଡୋମେନ୍ ଅମିତାଭ ବଚ୍ଚନଙ୍କ ନାମରେ ପଞ୍ଜିକୃତ ହେଉଛି। ଏମିତିରେ ତାଙ୍କ ଛବିକୁ ଖରାପ କରିବା ଉଦ୍ଦେଶ୍ୟରେ କରାଯାଉଥିବା ଏଭଳି ସମସ୍ତ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରାଯିବା ଉଚିତ୍।