ରାମଲଲାଙ୍କ ପାଇଁ ୧୧ କୋଟି ଟଙ୍କାର ମୁକୁଟ ଦାନ କରିଛନ୍ତି ହୀରା ବ୍ୟବାସାୟୀ, ଦେଖିବାକୁ ହୋଇଛି ଖୁବ୍‌ ସୁନ୍ଦର

ଗୁଜୁରାଟ ସୁରଟରୁ ହୀରା ବ୍ୟବସାୟୀ ମୁକେଶ ପଟେଲ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । ଅଯୋଧ୍ୟାରେ ନୂଆ ଭାବେ ନିର୍ମିତ ହୋଇଥିବା ରାମ ମନ୍ଦିରରେ ସ୍ଥାପିତ ରାମଲଲାଙ୍କ ମୂର୍ତ୍ତି ପାଇଁ ସେ ୧୧ କୋଟି ଟଙ୍କା ମୂଲ୍ୟର ଏକ 'ମୁକୁଟ' ଦାନ କରିଛନ୍ତି ।

ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଧୁମଧାମରେ ଶେଷ ହୋଇଛି ଏବଂ ରାମଲଲା ତାଙ୍କ ଜନ୍ମସ୍ଥାନରେ ବିରଜମାନ କରିଛନ୍ତି । ସୋମବାର ଦିନ ଲୋକମାନେ ଦେଶ ତଥା ବିଶ୍ୱରେ ଏହି ଉତ୍ସବକୁ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ରାମ ଲଲାଙ୍କ ମନ ମୋହୁଥିବା ମୂର୍ତ୍ତିକୁ ଦେଖିବା ପାଇଁ ରାମ ମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ହୋଇଥିଲା ।

୫୧ ଇଞ୍ଚର ପ୍ରତିମୂର୍ତ୍ତିର ପ୍ରଥମ ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ରାମଲଲାଙ୍କ ମୂର୍ତ୍ତିକୁ ବିଭିନ୍ନ ଅଳଙ୍କାରରେ ସଜାଯାଇଛି । ବିଭିନ୍ନ ପ୍ରକାର ଅଳଙ୍କାର ପିନ୍ଧି ଅତି ସୁନ୍ଦର ଦିଶୁଛନ୍ତି ରାମଲଲା । ସୁନା, ରୁପା ଓ ହୀରାରେ ତିଆରି ହୋଇଛି ଏସବୁ ଆଭୂଷଣ । ଏହି ସବୁ ଅଳଙ୍କାରରେ ୧୫ କିଲୋ ସୁନା ଓ ୧୮ ହଜାର ହୀରା ଖଚିତ ହୋଇଛି । ପୁଣି ପନ୍ନାଠୁ ଆରମ୍ଭ କରି ଅନ୍ୟ ଦୁର୍ମୂଲ୍ୟ ରତ୍ନ ଖଚିତ ହୋଇଛି । ତିଳକ, ମୁକୁଟ, ୪ଟି ହାର, କମରପଟି, ଦୁଇ ହଳ ପାଉଞ୍ଜି, ଦୁଇଟି ମୁଦି, ବିଜୟ ମାଳା ସମେତ ମୋଟ ୧୪ ପ୍ରକାର ଅଳଙ୍କାର ପ୍ରସ୍ତୁତ କରାଯାଇଥିଲା । ଏସବୁକୁ ଲକ୍ଷ୍ନୌର ଏକ ସୁନା ଅଳଙ୍କାର ଦୋକାନୀ ୧୨ ଦିନ ମଧ୍ୟରେ ତିଆରି କରିଥିଲେ । ପ୍ରଭୁ ଶ୍ରୀରାମ ସୂର୍ଯ୍ୟବଂଶୀ ହୋଇଥିବାରୁ ପ୍ରଥମେ ତାଙ୍କ ମୁକୁଟରେ ସୂର୍ଯ୍ୟ ଚିହ୍ନ କରାଯାଇଥିଲା । ଜଣେ ପାଞ୍ଚ ବର୍ଷର ବାଳକର ପଗଡ଼ିକୁ ହିସାବ କରି ମୁକୁଟ ପ୍ରସ୍ତୁତ କରାଯାଇଥିଲା । ସେହିପରି ସମସ୍ତ ଅଳଙ୍କାର ମଧ୍ୟ ଜଣେ ସାଢ଼େ ୫ ବର୍ଷର ପିଲା ଅନୁଯାୟୀ କରିବାକୁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଶେଷ ନିର୍ଦ୍ଦେଶ ଦିଆଯାଇଥିଲା ।

ଅନେକ ଭକ୍ତ ଖୁସି ହୋଇ ଭଗବାନ ରାମଙ୍କ ପାଇଁ ମୂଲ୍ୟବାନ ସାମଗ୍ରୀ ସମର୍ପଣ କରୁଛନ୍ତି । କିଏ କିଲୋ କିଲୋ ସୁନା ଦାନ କରୁଛି ତ କିଏ ହୀରା ମୁକୁଟ ଦାନ କରୁଛି । ସମାନ ଭାବେ ଗୁଜୁରାଟ ସୁରଟରୁ ହୀରା ବ୍ୟବସାୟୀ ମୁକେଶ ପଟେଲ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । ଅଯୋଧ୍ୟାରେ ନୂଆ ଭାବେ ନିର୍ମିତ ହୋଇଥିବା ରାମ ମନ୍ଦିରରେ ସ୍ଥାପିତ ରାମଲଲାଙ୍କ ମୂର୍ତ୍ତି ପାଇଁ ସେ ୧୧ କୋଟି ଟଙ୍କା ମୂଲ୍ୟର ଏକ ‘ମୁକୁଟ’ ଦାନ କରିଛନ୍ତି । ନବ ନିର୍ମିତ ରାମ ମନ୍ଦିରରେ ପ୍ରଭୁଙ୍କ ପାଇଁ ଏହି ମୁକୁଟ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ସୁରଟରେ ଥିବା ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀର ମାଲିକ ମୁକେଶ ପଟେଲ ପ୍ରଭୁ ଶ୍ରୀରାମଙ୍କୁ ସୁନା, ହୀରା ଏବଂ ମୂଲ୍ୟବାନ ରତ୍ନରେ ସଜାଯାଇଥିବା ୬ କିଲୋଗ୍ରାମ ଓଜନର ମୁକୁଟ ଉପହାର ଦେଇଛନ୍ତି । କହି ରଖିବାକୁ ଚାହିଁବୁ ଯେ ମୁକେଶ ପଟେଲ ତାଙ୍କ ପରିବାର ସହିତ ଅଯୋଧ୍ୟା ଯାଇ ମନ୍ଦିର ଟ୍ରଷ୍ଟର ଅଧିକାରୀମାନଙ୍କୁ ଏହି ମୁକୁଟ ଦେଇଛନ୍ତି । ଏହି ମୁକୁଟ ପ୍ରାଣ ପ୍ରତିଷ୍ଠା ସମାରୋହରେ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଏବଂ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟର ଟ୍ରଷ୍ଟି ଚମ୍ପତ ରାୟଙ୍କୁ ଦିଆଯାଇଛି ଏବଂ ଭଗବାନ ରାମ ଏହି ହୀରା ଖଚିତ ମୁକୁଟକୁ ଧାରଣ କରିବେ ।

ସୂଚନା ଅନୁସାରେ ଗ୍ରୀନ ଲ୍ୟାବ କମ୍ପାନୀର ଦୁଇ କର୍ମଚାରୀଙ୍କୁ ପ୍ରଭୁ ଶ୍ରୀ ରାମଙ୍କ ମୂର୍ତ୍ତିର ମାପ ନେବା ପାଇଁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅଯୋଧ୍ୟାକୁ ପଠାଯାଇଥିଲା । ମୂର୍ତ୍ତିର ମାପ ନେବା ପରେ ଗ୍ରୀନ୍ ଲ୍ୟାବ୍ କମ୍ପାନୀର କର୍ମଚାରୀମାନେ ସିଧା ସୁରଟକୁ ଆସି ରାମଲଲାଙ୍କ ପାଇଁ ମୁକୁଟ ତିଆରି କରିବା କାମ ଆରମ୍ଭ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.