ସ୍ୱାମୀ- ସ୍ତ୍ରୀଙ୍କ ଇଛା ନଥିଲେ ହେବନି ଛାଡ଼ପତ୍ର, ଗୋଟିଏ ପକ୍ଷ ସହମତିରେ ଧାରା ୧୪୨ର ବ୍ୟବହାର କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଛାଡପତ୍ର ମାମଲା ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ‌ କହିଛନ୍ତି, ଭାରତରେ ବିବାହ ଏକ ଖାମଖିଆଲି ଘଟଣା ନୁହେଁ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଆଜି ବାହାଘର ଏବଂ କାଲି ବିଚ୍ଛେଦ ଭଳି ଯେଉଁସବୁ ଘଟଣା ଘଟୁଛି ସେଭଳି ଆମ ଦେଶରେ ହୁଏନାହିଁ ବା ଆମେ ସେହି ସ୍ତରରେ ପହଞ୍ଚି ନାହୁଁ। ଏହି ଘଟଣାରେ ଉଭୟ ପତି ଓ ପତ୍ନୀ ଉଚ୍ଚଶିକ୍ଷିତ। ଏଥିପାଇଁ ଗୋଟିଏ ବିବାହରେ ଜଣଙ୍କ ସହମତିରେ ଛାଡ଼ପତ୍ର ପାଇଁ କୋର୍ଟ ଧାରା ୧୪୨ ଅଧିନରେ ନିଜର ଶକ୍ତିର ବ୍ୟବହାର କରିପାରିବେ ନାହିଁ ।

ପତ୍ନୀ ବିବାହ ବନ୍ଧନରେ ରହିବାକୁ ଚାହୁଥିବା ବେଳେ ପତି ବିଚ୍ଛେଦ ଚାହୁଛନ୍ତି। ଏଭଳି ସ୍ଥିତିରେ ସୁପ୍ରିମକୋର୍ଟର ଜଷ୍ଟିସ୍ ସଞ୍ଜୟ କେ କୌଲ୍ ଏବଂ ଅଭୟ ଏସ୍ ଓକାଙ୍କ ଏକ ବେଞ୍ଚ ଏହି ଦମ୍ପତିଙ୍କୁ ଏକ ଘରୋଇ ମଧ୍ୟସ୍ଥିଙ୍କ ନିକଟକୁ ପଠାଇ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଏହି ବିବାହ ମାତ୍ର ୪୦ ଦିନ ଚାଲିଥିଲା ଏବଂ ଯୁବ ଦମ୍ପତି ସେମାନଙ୍କ ମତଭେଦ ସମାଧାନ କରିବାକୁ ଚେଷ୍ଟା କରିବା ଉଚିତ୍ । ଅଲଗା ରହୁଥିବା ଏହି ଯୋଡି ଉଚ୍ଚ ଶିକ୍ଷିତ । ସ୍ୱାମୀ ମିଳିତ ଜାତିସଂଘ (ୟୁଏନ) ସହିତ ଜଡିତ ଥିବା ବେଳେ ଏକ ଏନଜିଓ ଚଳାଉଥିଲେ। ସେହିଭଳି ପତ୍ନୀଙ୍କୁ କାନାଡ଼ାରେ ସ୍ଥାୟୀଭାବେ ବସବାସ ପାଇଁ ଅନୁମତି ରହିଛି। ପତି ବିବାହ ବିଚ୍ଛେଦ ପାଇଁ ଖଣ୍ଡପୀଠରେ ବାରମ୍ବାର ଯୁକ୍ତି ବାଢ଼ିବା ବେଳେ ପତ୍ନୀ କହିଥିଲେ ଫେସବୁକ୍‌ରେ ବନ୍ଧୁତା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପରେ କାନାଡ଼ାରେ ସବୁକିଛି ଛାଡ଼ି ଚାଲିଆସି ବିବାହ କରିଛନ୍ତି।

ଶୁଣାଣି ସମୟରେ ସ୍ୱାମୀ ବାରମ୍ବାର ବିବାହକୁ ରଦ୍ଦ କରିବାକୁ ବେଞ୍ଚରେ ନିବେଦନ କରିଥିଲେ । ଏହି ସମୟରେ ପତ୍ନୀ କହିଥିଲେ ଯେ, ସେ ଏହି ବିବାହ ପାଇଁ କାନାଡାର ସବୁକିଛି ତ୍ୟାଗ କରିଛନ୍ତି । ଅଦାଲତ ଦର୍ଶାଇଥିଲେ ଯେ “ଧାରା ୧୪୨ ଅନୁଯାୟୀ କ୍ଷମତା କେବଳ ସେତେବେଳେ ବ୍ୟବହାର କରାଯାଇପାରିବ ଯେତେବେଳେ ବିବାହର ଉଭୟ ପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ଅଲଗା ହୋଇଯିବେ । ଏହି ବିଚ୍ଛେଦ ନିଷ୍ପତ୍ତି ତରବରିଆ ଭାବେ ନିଆଯାଇଛି। ପରସ୍ପରକୁ ବୁଝିବା ଲାଗି ୪୦ଦିନର ସମୟ ପର୍ଯ୍ୟାପ୍ତ ନୁହେଁ। ଏହି ବେଞ୍ଚ ପଞ୍ଜାବର ପୂର୍ବତନ ତଥା ହରିୟାଣା ହାଇକୋର୍ଟର ପ୍ରଧାନ ବିଚାରପତି ଏସ୍ ଜେ ଭାଜିଫଦାରଙ୍କୁ ମଧ୍ୟସ୍ଥି ଭାବରେ ନିଯୁକ୍ତ କରିଛି ଏବଂ ତାଙ୍କୁ ବିବାହ ପରାମର୍ଶଦାତାଙ୍କ ସହାୟତା ଲୋଡ଼ିବାକୁ ସ୍ୱାଧୀନତା ଦେଇଛି । ଏହା ସହ ମଧ୍ୟସ୍ଥିଙ୍କଠାରୁ ତିନି ମାସ ମଧ୍ୟରେ ରିପୋର୍ଟ ମଗାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.