ଗୁଳି ବାଜିବା ପରେ ବି ହାର ମାନିନଥିଲେ ଡ୍ରାଇଭର, ଦୀର୍ଘ ୩୦ କିଲୋମିଟର ବସ୍‌ ଚଳାଇ ବଞ୍ଚାଇଲେ ୩୫ ଜୀବନ

୩୫ ତୀର୍ଥଯାତ୍ରୀଙ୍କୁ ନେଇ ଏକ ମିନି ବସ୍ ଅମ୍ରାବତୀ-ନାଗପୁର ରାଜପଥରେ ଯାତ୍ରା କରୁଥିଲା ଠିକ୍‌ ଏହି ସମୟରେ ହଠାତ୍‌ ବସ୍‌ ଉପରେ ହୋଇଥିଲା ଆକ୍ରମଣ । ଏହି ଆକ୍ରମଣରେ ବସ୍ ଡ୍ରାଇଭର ସୋମଦେବ କାଓ୍ଵଡେଙ୍କ ବାହୁରେ ଗୁଳି ବାଜିଥିଲା ।

ବସ୍‌ ଡ୍ରାଇଭରଙ୍କ ବାହୁରେ ବାଜିଥିଲା ଗୁଳି କିନ୍ତୁ ମନରେ ଟିକେ ବି ଭୟ ଆସିନଥିଲା । ହାତରୁ ଧାର ଧାର ହୋଇ ରକ୍ତ ଝରି ପଡ଼ୁଥାଏ କିନ୍ତୁ ଲକ୍ଷ୍ୟ ଥିଲା କେମିତି ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବେ । ଆଉ ସେଇ ଗୁଳି ବାଜିଥିବା ହାତରେ ଦୀର୍ଘ ୩୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ କରିଥିଲେ ଡ୍ରାଇଭର । ଲୁଟେରାଙ୍କ ଠାରୁ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ ବସ୍‌ ଡ୍ରାଇଭର ଆଉ ଶେଷରେ ସୁରକ୍ଷିତ ଭାବେ ୩୫ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି । ତାଙ୍କର ଏ ସାହସିକତା ପାଇଁ ସମଗ୍ର ଦେଶରେ ଏବେ ତାଙ୍କର ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା ପୂରା ଘଟଣା କଣ ଥିଲା ।

ବାହୁରେ ଗୁଳି ବାଜିବା ସତ୍ତ୍ୱେ କାଓ୍ଵଡେ ବସ୍ କୁ ଦୀର୍ଘ ୩୦ କିଲୋମିଟର ପର୍ଯ୍ୟନ୍ତ ଚଳାଇଥିଲେ ଏବଂ ତୀର୍ଥଯାତ୍ରୀମାନଙ୍କୁ ଡକାୟତମାନଙ୍କ କବଳରୁ ଉଦ୍ଧାର କରିଥିଲେ । ଏଭଳି ସାହସିକ କାର୍ଯ୍ୟ କରିଥିବାରୁ ସମସ୍ତେ କାଓ୍ଵଡେଙ୍କର ପ୍ରଶଂସା କରୁଛନ୍ତି ।

ସୂଚନାନୁସାରେ ବସ୍ ଡ୍ରାଇଭର କାଓ୍ଵଡେ ୩୫ ତୀର୍ଥଯାତ୍ରୀଙ୍କୁ ନେଇ ଅମ୍ରାବତୀର ଅମ୍ବେ ମାତା ମନ୍ଦିରରୁ ନାଗପୁର ଅଭିମୁଖେ ଯାତ୍ରା କରୁଥିଲେ। ବସ୍‌ ଡ୍ରାଇଭର ନନ୍ଦଗାଓନପେଠ ଟୋଲ ପ୍ଲାଜା ପାର କରିବା ମାତ୍ରେ ଦେଖିଲେ ଯେ ଗୋଟିଏ ଗାଡି ତାଙ୍କ ବସ୍‌ ର ପିଛା କରୁଛି। ଦେଖୁ ଦେଖୁ ଉକ୍ତ ଗାଡ଼ି ଭିତରୁ କିଛି ଡକାୟତମାନେ ବସ୍‌ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଅବସ୍ଥା ଧିରେ ଧିରେ ବିଗିଡିବା ଆରମ୍ଭ କରିଥିଲା । ଲୁଟେରାମାନେ ବସ୍‌ ର ପିଛା କରି କରି ବସ୍‌ ଡ୍ରାଇଭରଙ୍କ ଉପରେ ଗୁଳି ଚଳାଇଥିଲେ। ଡ୍ରାଇଭରଙ୍କ ବାହୁରେ ଗୁଳି ବାଜିଲା କିନ୍ତୁ ଗୁଳି ବାଜିବା ପରେ ବି ଡ୍ରାଇଭର ଜଣଙ୍କ ୩୦ କିଲୋମିଟର ପର୍ଯ୍ୟନ୍ତ ବସ୍ ଚଲାଇଥିଲେ। ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଟିକେ ବି ପଛଘୁଞ୍ଚା ଦେଇନଥିଲେ ଡ୍ରାଇଭର।

ଏହା ପରେ ସେ ସଫଳତାର ସହ ଟେଓସା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଏହି ଘଟଣା ପରେ ଅମ୍ରାବତୀ ପୋଲିସ ଉକ୍ତ ବସକୁ ନନ୍ଦଗାଓଁପେଟ ପୋଲିସ ଷ୍ଟେସନକୁ ନେଇ ଯାଇଥିଲେ। ପ୍ରାଥମିକ ଚିକିତ୍ସା ପାଇଁ କାେଓ୍ଵଡେଙ୍କୁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଲୁଟେରା ଗ୍ୟାଙ୍ଗ କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ରେଜିଷ୍ଟ୍ରେସନ ନମ୍ବର ଥିବା ଏକ ଗାଡି ଚୋରି କରିଥିଲା। ପରେ ଏଭଳି କାଣ୍ଡ କରିଛନ୍ତି ଲୁଟେରା ।

ଡ୍ରାଇଭରଙ୍କ ବାହୁରେ ଗୁଳି ବାଜିବା ପରେ ବି ସେ ସମସ୍ତ ଯାତ୍ରୀଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ । ଏଭଳି ବୀରତ୍ୱ ପ୍ରଦର୍ଶନ କରିଥିବାରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ପ୍ରକୃତ କର୍ତ୍ତବ୍ୟ ଏବଂ ସାହସିକତା ଦେଖାଇଛନ୍ତି ଏହି ଡ୍ରାଇଭର ଯାହା ସତରେ ଉଚ୍ଚ ପ୍ରଂଶସନୀୟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.